ଓବିସି ସଂରକ୍ଷଣକୁ ନେଇ ବୟାନବାଜି ଜାରି

ଭୁବନେଶ୍ବର : ଓବିସି ସଂରକ୍ଷଣକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ରାଜନୈତିକ ବୟାନବାଜି ଜାରି ରହିଛି। ଓବିସି ଓ ଏସ୍‌ଇବିସିଙ୍କ ସହ ରାଜ୍ୟ ସରକାର ବାରମ୍ବାର ପ୍ରତାରଣା କରୁଛନ୍ତି ବୋଲି ବିଜେପି ଆଜି କହିଥିବାବେଳେ ବିଜେଡି କହିଛି ଯେ, ସଂରକ୍ଷଣ ସୀମା ୫୦%ରୁ ଅଧିକ ରଖିବା ପାଇଁ ରାଜ୍ୟ ବିଜେପି କେନ୍ଦ୍ର ଉପରେ ଚାପ ପକାଉ।

ଆଜି ବିଜେପିର ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ଦେଶର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଲୋକସଭା ଓ ରାଜ୍ୟସଭାରେ ୧୨୭ତମ ସମ୍ବିଧାନ ସଂଶୋଧନ ବିଧେୟକ ପାରିତ ହୋଇଛି। ତେଣୁ ଏବେ ରାଜ୍ୟ ସରକାର ତୁରନ୍ତ ଓବିସିମାନଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରନ୍ତୁ। ଓବିସିମାନଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ ଓ ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେବା ପାଇଁ ୧୯୯୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସୁପ୍ରିମକୋର୍ଟକୁ ଯାଇଥିଲେ। ସେହିପରି ୨୦୧୪ ମସିହାରେ ବିଜେଡି ସରକାର ହାଇକୋର୍ଟକୁ ଯାଇଥିଲେ। ରାଜ୍ୟ ସରକାର ଚାହୁଁଛନ୍ତି ଯେ, ଯେଉଁମାନେ ସାମାଜିକ, ଆର୍ଥିକ ଦୃଷ୍ଟିରୁ ପଛୁଆ ଅଛନ୍ତି ସେମାନେ ସର୍ବଦା ପଛରେ ରୁହନ୍ତୁ। ଯେଉଁଥିପାଇଁ ବିଜେଡି ଏହି ବିଲ୍‌କୁ ସଂସଦରେ ସମର୍ଥନ କରିଥିଲେ ହେଁ ରାଜ୍ୟରେ ପଛୁଆ ବର୍ଗଙ୍କୁ ତାଙ୍କ ନ୍ୟାର୍ଯ୍ୟ ହକ୍ ପ୍ରଦାନ କରୁନି।
ଏହାର ଜବାବ୍ ଦେଇ ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି ଯେ, ବିଜେପି ମୁଖପାତ୍ର ଶ୍ରୀମତୀ ସାହୁ ବୋଧେ ଜାଣିନାହାନ୍ତି ଯେ, ଗତକାଲି ବିଜେଡି ସାଂସଦମାନେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟି ଏକ କେନ୍ଦ୍ରୀୟ ଆଇନ୍ ଦାବି କରିଛନ୍ତି। ଯେଉଁଥିରେ ସଂରକ୍ଷଣ ସୀମା ୫୦%ରୁ ଉର୍ଦ୍ଧ୍ବ କରାଗଲେ ଓଡ଼ିଶା ସରକାର ଓବିସି ବର୍ଗଙ୍କ ପାଇଁ ଅଧିକ ସଂରକ୍ଷଣ କରିପାରିବେ। ଅପରପକ୍ଷେ ମାନ୍ୟବର ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ୫୦%ରେ ସୀମିତ ରଖିଛନ୍ତି।

ଓଡ଼ିଶା ବିଜେପି ମିଥ୍ୟା ଓ ବିଭ୍ରାନ୍ତିକର ବିବୃତ୍ତି ଦେବା ପରିବର୍ତ୍ତେ ନିଜ ଦଳ ପରିଚାଳିତ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଏକ କେନ୍ଦ୍ରୀୟ ଆଇନ ଆଣିବାକୁ ଅନୁରୋଧ କରୁ, ଯେଉଁଥିରେ ସଂରକ୍ଷଣ ସୀମା ୫୦%ରୁ ଅଧିକ ରହିବ ଓ ଓଡ଼ିଶା ସରକାର ଓବିସିମାନଙ୍କୁ ସଂପୂର୍ଣ୍ଣ ଭାବେ ସଂରକ୍ଷଣ ସୁବିଧା ଦେଇପାରିବେ। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଇବିସି/ଓବିସିମାନଙ୍କର ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଆସୁଛନ୍ତି। ହେଲେ କେନ୍ଦ୍ର ସରକାର ଏହାକୁ ଗ୍ରହଣ କରୁନାହାନ୍ତି। ଯେଉଁଥିପାଇଁ ରାଜ୍ୟ ସରକାର ଚାହିଁଲେ ବି ଏସ୍‌ଇବିସି/ଓବିସିଙ୍କୁ ସଂରକ୍ଷଣ ସୁବିଧା ଯୋଗାଇ ଦେଇପାରୁନାହାନ୍ତି।

ସମ୍ବନ୍ଧିତ ଖବର