ଦିଗପହଣ୍ଡି: ଦୁର୍ଘଟଣାରେ ସିନା ଜୀବନ ଚାଲିଗଲା। ହେଲେ ନିଜ ଶରୀରର ଦୁଇଟି କିଡ୍ନି ଓ ଦୁଇଟି ଚକ୍ଷୁ ଦାନ କରି ଦୁଇ ଅମୂଲ୍ୟ ଜୀବନକୁ ବଞ୍ଚାଇ ସେ ଅମର ହୋଇଗଲେ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ରାଜନଗର ସାହିର ବାସିନ୍ଦା ପ୍ରିୟଙ୍କା ରାଣୀ ରାଜୁଙ୍କ ଏହି ମହାନତା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରିୟଙ୍କା ହେଉଛନ୍ତି ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ କାଉନସିଲର୍ ତଥା ଖେମୁଣ୍ଡି ସ୍ବେଚ୍ଛାକୃତ ରକ୍ତଦାତା ସଂଘର ସଭାପତି ଭି.ଧର୍ମାରାଜୁଙ୍କ ବୋହୂ ଓ ସମୀରଙ୍କ ପତ୍ନୀ। ଗତକାଲି ରାତିରେ କଟକ ବଡ଼ ଡାକ୍ତରଖାନାର ଏକ ଟିମ୍ ଭୁବନେଶ୍ବର ଆପୋଲୋ ଡାକ୍ତରଖାନା ଆସି ପ୍ରିୟଙ୍କାଙ୍କ ଶରୀରରୁ କିଡ୍ନି ଓ ଚକ୍ଷୁ ବାହାର କରିଥିଲେ। ପରେ ତାଙ୍କ କିଡ୍ନିକୁ ନିଆଯାଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇଜଣ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇଥିଲା। ଗତ ୨୬ ତାରିଖରେ ଦିଗପହଣ୍ଡି-ବ୍ରହ୍ମପୁର ରାଜ୍ୟ ରାଜପଥ ଗଣିଆନାଳ ଛକ କୁରେଇଶୁଣି ମନ୍ଦିର ନିକଟରେ କାର୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ଧର୍ମାରାଜୁଙ୍କ ସମେତ ତାଙ୍କ ପରିବାରର ମୋଟ ୬ଜଣ ସଦସ୍ୟ ଆହତ ହୋଇଥିଲେ। ହେଲେ ବୋହୂ ପ୍ରିୟଙ୍କା ଓ ୩ ବର୍ଷୀୟ ନାତୁଣୀ ସିଦ୍ଧିର ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ଆପୋଲୋ ଡାକ୍ତରଖାନା ପଠାଯାଇଥିଲା। ତେବେ ପ୍ରିୟଙ୍କାଙ୍କ ମସ୍ତିଷ୍କ ଅକାମୀ ପାଲଟିଯାଇଥିଲା। ଫଳରେ ତାଙ୍କ ଅଙ୍ଗଦାନ ପାଇଁ ଡାକ୍ତରମାନେ ପରିବାରବର୍ଗଙ୍କ ସମ୍ମତି ଲୋଡ଼ିଥିଲେ। ଚିକିତ୍ସିତ ଅବସ୍ଥାରେ ଗତକାଲି ରାତିରେ ପ୍ରିୟଙ୍କା ଆଖି ବୁଜିଦେଇଥିଲେ। ପରିବାରବର୍ଗଙ୍କ ସ୍ବୀକୃତି କ୍ରମେ ଆପୋଲୋ ହସ୍ପିଟାଲ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିବା ପରେ ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାର ଏକ ଡାକ୍ତରୀ ଟିମ୍ ଆପୋଲୋ ଡାକ୍ତରଖାନାରେ ପହଞ୍ଚି ପ୍ରିୟଙ୍କାଙ୍କ ଶରୀରରୁ କିଡ୍ନି ଓ ଚକ୍ଷୁ ବାହାର କରିଥିଲେ। ତେବେ ମୃତକଙ୍କ ପ୍ରିୟଙ୍କାଙ୍କ ଝିଅ ସିଦ୍ଧି ଭେଣ୍ଟିଲେଟର୍ରେ ଜୀବନ ସହ ସଂଘର୍ଷ କରୁଛି।
ଅନ୍ୟପକ୍ଷରେ, ଏହି ଘଟଣା ପରେ ସଂପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ହେଲେ ପ୍ରିୟଙ୍କାଙ୍କ ମହାନତା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଥିଲା। ସୂଚନା ଥାଉକି, ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଲାଲସିଂ ଗ୍ରାମର ସୁରଜ ବେହେରା ମୃତ୍ୟୁ ପରେ ଶରୀରର ୬ଟି ଅଙ୍ଗଦାନ କରି ସାରା ଦେଶରେ ବିରଳ ଉଦାହରଣ ତିଆରି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/ff5j4dgj7dg98j7dg98j7dg65j465dgjdgjgggggggggggg.jpg)