ଭୁବନେଶ୍ବର: ୬ଦଫା ଦାବି ନେଇ ଆଜି ଲୋୟର୍ ପିଏମ୍ଜିରେ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସ-କ୍ୟାଡର) ମହାସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି। ଓଟିଇଟି-୨୦୧୯ ପରୀକ୍ଷାରେ ବିଭ୍ରାଟ ଓ ଅନ୍ୟାନ୍ୟ ଦାବିର ସମାଧାନ କରିବା ପାଇଁ ଶିକ୍ଷକମାନେ ଦାବି କରିଥିଲେ। ସଭାପତି ଶରତ ଚନ୍ଦ୍ର ନାୟକ, ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀ, କାର୍ଯ୍ୟକାରୀ ସଭାପତି ଜୟନ୍ତୀଲାଲ ସାହୁ, ମହାସଚିବ ହନେଶ ପାତ୍ର ବାଗଙ୍କ ନେତୃତ୍ବରେ ଶତାଧିକ ଶିକ୍ଷକ ରେଳ ଷ୍ଟେସନ୍ରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜିରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ମହାସଂଘର ଦାବି ମଧ୍ୟରେ ରହିଛି, ତ୍ରୁଟିକୁ ବିଚାରକୁ ନ ନେଇ ଗତ ମାସ ୨୧ତାରିଖରେ ଓଟିଇଟି ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ତାହାର ପୁନର୍ବିଚାର କରାଯାଇ ଉପଯୁକ୍ତ ଗ୍ରେସ୍ ମାର୍କ ପ୍ରଦାନ ସହିତ ପୁଣିଥରେ ପରୀକ୍ଷା ଫଳ ପ୍ରକାଶ କରାଯାଉ। ଅନଲାଇନ୍ ପରିବର୍ତେ ଅଫଲାଇନ୍ ଜରିଆରେ ବର୍ଷକୁ ଦୁଇଥର ଓଟିଇଟି ପରୀକ୍ଷା କରାଯାଉ। ଚଳିତବର୍ଷ ଡିସେମ୍ବର ମାସରେ ଆଉ ଥରେ ପରୀକ୍ଷା କରାଯାଉ। ବିଜ୍ଞପ୍ତି ନଂ-୨୫୨୯୦ରେ ଉଲ୍ଲିଖିତ ୨୦୧୯ ମାର୍ଚ ୩୧ ତାରିଖ ସୁଦ୍ଧା ଓଟିଇଟି ପାସ୍ କରିବା ସର୍ତକୁ ୨୦୨୨ ମସିହା ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଏନ୍ପିଏସ୍ ବ୍ୟବସ୍ଥା ତୁରନ୍ତ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶନାମା ପ୍ରକାଶ କରାଯାଉ। ମୃତ(ଏକ୍ସ-କ୍ୟାଡର୍) ଶିକ୍ଷକମାନଙ୍କ ପରିବାରବର୍ଗଙ୍କୁ ନିୟମିତ ଶିକ୍ଷକର ସୁବିଧା ସୁଯୋଗ ପ୍ରଦାନ ସହ ପରିବାରର ଜଣକୁ ସରକାରୀ ଚାକିରି ପ୍ରଦାନ କରାଯାଉ। ୬ ମାସର ବକେୟା ଦରମା ସହ ପ୍ରତି ମାସ ଟ୍ରେଜେରି ଜରିଆରେ ଦରମା ପ୍ରଦାନ କରିବା ପାଇଁ ମହାସଂଘ ଦାବି କରିଛି। ଏହି ଦାବି ନେଇ ଆଜି ମହାସଂଘର କର୍ମକର୍ତା ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/sf56h4sf5h4sf56h4sf56h4sf56h4s56h4sf6h4sffffffff.jpg)