ପ୍ରଥମ ଦିନରେ ୧୬ ରୋଗୀ କଲେ ନାମ ପଂଜୀକରଣ, ପ୍ରତି ସୋମବାର ଓପିଡି
ଶିଶୁ ଆଲର୍ଜି, ଶ୍ବାସରୋଗ, ଫୁସ୍ଫୁସ୍ ରୋଗ ଓପିଡି ଓ ପାର୍କିଂସ୍ଥଳ ଉଦ୍ଘାଟିତ
କଟକ : କଟକ ବଡ଼ ମେଡିକାଲରେ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ଲିଭର୍ ପ୍ରତିରୋପଣ ଚିକିତ୍ସା ବ୍ୟବସ୍ଥା। ପ୍ରଥମ ପର୍ଯ୍ୟାୟରେ ଲିଭର ପ୍ରତିରୋପଣ ଓପିଡିକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍ଘାଟନ କରିଛନ୍ତି।
ପ୍ରଥମଦିନରେ ଲିଭର ପ୍ରତିରୋପଣ ପାଇଁ ୧୬ ଜଣ ଲିଭର୍ ଆବଶ୍ୟକ କରୁଥିବା ବ୍ୟକ୍ତି ନାମ ପଂଜୀକରଣ କରିଛନ୍ତି। ପ୍ରଥମ ବ୍ୟକ୍ତି ଭାବେ ରାଉଲକେଲାର ବିଚିତ୍ରାନନ୍ଦ ଖଟୁଆ ନାମ ପଂଜୀକରଣ କରିଛନ୍ତି। ତାଙ୍କ ପୁଅ ତାଙ୍କୁ ଲିଭର ଦାନ କରିବେ। ଏହି ପଂଜୀକରଣ ବ୍ୟବସ୍ଥାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ସୁପର୍ ସ୍ପେସାଲିଟି ଆଉଟ୍ଡୋରରେ ଉଦ୍ଘାଟନ କରି ଥିବା ବେଳେ ହେପାଟୋଲୋଜି ବିଭାଗ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭାଗ ମିଳିତ ସହଯୋଗରେ ଏହି ଓପିଡି କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଏଥିସହ ଶିଶୁରୋଗ ବିଭାଗରେ ଶିଶୁ ରୋଗୀଙ୍କ ପାଇଁ ଶିଶୁ ଆଲର୍ଜି, ଶ୍ବାସ ରୋଗ ଏବଂ ଫୁସ୍ଫୁସ୍ ରୋଗ ଓପିଡି ଏବଂ ପାର୍କିଂ ବ୍ୟବସ୍ଥାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ଦାସ ଉଦ୍ଘାଟନ କରିଛନ୍ତି। ଉକ୍ତ ଓପିଡିରେ ଶିଶୁରୋଗୀ ପ୍ରତି ଶୁକ୍ରବାର ଚିକିତ୍ସା ସେବା ପାଇ ପାରିବେ। ଲିଭର ପ୍ରତିରୋପଣ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇ ରୋଗୀ ୨୫ ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏସ୍ସିବିରେ ଏହି ଚିକିତ୍ସା ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରି ରାଜ୍ୟ ସରକାର ପୁଣି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି।
ସୂଚନା ଅନୁଯାୟୀ ଏସ୍ସିବିରେ ପ୍ରତି ସୋମବାର ଲିଭର ପ୍ରତିରୋପଣ ଓପିଡି ଖୋଲାଯିବ। ଚିକିତ୍ସା ପରାମର୍ଶ ସହ ଲିଭର ପ୍ରତିରୋପଣ ପାଇଁ ଆଗ୍ରହୀ ବ୍ୟକ୍ତି ଏହି ଓପିଡିରେ ନିଜ ନାମ ପଂଜୀକରଣ କରିପାରିବେ। ତେବେ ପ୍ରଥମ ଦିନରେ ୩ ଜଣ ନିଜର ଡୋନର୍ ଅର୍ଥାତ୍ ସଂପର୍କୀୟମାନେ ଲିଭର ଦାନ କରିବା ପାଇଁ ଓ ୧୩ ଜଣ କାଡାଭରିକ୍ ଅର୍ଥାତ ମସ୍ତିଷ୍କ ମୃତ ରୋଗୀଙ୍କ ଶରୀରରୁ ଲିଭର ନେଇ ରୋଗୀର ଶରୀରରେ ପ୍ରତିରୋପଣ କରିବା ପାଇଁ ପଂଜୀକରଣ କରିଥିବା ଏସ୍ସିବି ପକ୍ଷରୁ ସୂଚନା ଦିଆଯାଇଛି। ନାମ ପଂଜୀକରଣ ଆରମ୍ଭ ହୋଇଥିବା ବେଳେ କିଛି ମାସ ପରେ ଏହି ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ଏହି ଅସ୍ତ୍ରୋପଚାର ୟୁରୋଲୋଜି ଓଟିରେ କରାଯିବା ପାଇଁ ଯୋଜନା କରାଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର ଅନନ୍ୟା ଦାସ, ଏସ୍ସିବି ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଶିଶୁଭବନର ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ଞାନେନ୍ଦ୍ର ବେହେରା, ହେପାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ଯକ୍ଷ୍ମା ଛାତି ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭାଗୀୟ ମୁଖ୍ୟ ଡାକ୍ତର ଶରତ ଚନ୍ଦ୍ର ଜୟସିଂହ, ଡାକ୍ତର ସୁଶାନ୍ତ କୁମାର ଜେନା, ଡାକ୍ତର ସନାତନ ବେହେରା, ଡାକ୍ତର ମାନସ ବେହେରା, ଡାକ୍ତର ସତ୍ୟ ସାମନ୍ତରାୟ, ଏସ୍ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହରଣା, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ।
ଏହାସହିତ ଆଜି ଏସ୍ସିବିରେ ଦୁଇଟି ଦୁଇ ଓ ଚାରିଚକିଆ ଗାଡ଼ି ପାର୍କିଂସ୍ଥଳ ଉଦଘାଟିତ ହୋଇଛି।