ରାଜ୍ୟ ସରକାର ନିରବ, ପ୍ରତିବାଦର ସ୍ବର କ୍ଷୀଣ
ଆହୁରି ଦୁର୍ବଳ ହେବାରେ ଲାଗିଛନ୍ତି ଅନୁସୂଚିତ ଜନଜାତି
ପୂର୍ବ ସରକାରରେ ଜୁଏଲ ଥିଲେ ମନ୍ତ୍ରୀ, ଏବେ ବିଶ୍ବେଶ୍ବର

Advertisment

ଭୁବନେଶ୍ୱର : ଆଦିବାସୀ କଲ୍ୟାଣ ବିଭାଗର ବଜେଟରେ କମୁଛି ରାଜ୍ୟର ଭାଗ। ବର୍ଷକୁ ବର୍ଷ ଖସୁଛି କେନ୍ଦ୍ରୀୟ ଅନୁଦାନ। ଏଥିଯୋଗୁଁ ଦେଶରେ ତୃତୀୟ ସର୍ବାଧିକ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ଓଡ଼ିଶା କ୍ଷତିଗ୍ରସ୍ତ ହେବା ଆରମ୍ଭ କଲେଣି। ସବୁଠାରୁ ବଡ଼ କଥା ହେଲା, କେନ୍ଦ୍ରରେ ଗତ ସରକାର ସମୟରେ ଆଦିବାସୀ ମନ୍ତ୍ରାଳୟ ଦାୟିତ୍ବରେ ଥିଲେ ଓଡ଼ିଆ ସାଂସଦ ଜୁଏଲ ଓରାମ। ଏ ସରକାରରେ ମଧ୍ୟ ଓଡ଼ିଆ ସାଂସଦ ବିଶ୍ବେଶ୍ବର ଟୁଡୁ ଏହି ବିଭାଗର ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ତଥାପି କାହିଁକି ଓ କେଉଁ କାରଣରୁ ଓଡ଼ିଶା ଅବହେଳାର ଶିକାର ହେଉଛି, ତାହା ବୁଝାପଡୁନାହିଁ। ଆଦିବାସୀ କଲ୍ୟାଣକାରୀ ଯୋଜନାଗୁଡିକ ଧୀରେ ଧୀରେ ସଙ୍କୁଚିତ ହେଉଥିବା ନେଇ ମଧ୍ୟ ଆପତ୍ତି ଉଠାଇଲେଣି ସାମାଜିକ ସଂଗଠନ। ହେଲେ ରାଜ୍ୟ ସରକାରଙ୍କ ସ୍ବର କିନ୍ତୁ ଏ କ୍ଷେତ୍ରରେ ଯେଭଳି ଶାଣିତ ବା ପ୍ରଭାବୀ ହେବା କଥା ତାହା ପରିଦୃଷ୍ଟ ହେଉନାହିଁ।

publive-image

ଚଳିତ ବର୍ଷର କେନ୍ଦ୍ରୀୟ ବଜେଟରେ ଆଦିବାସୀ କଲ୍ୟାଣ ବିଭାଗ ପାଇଁ ୮୪୫୧.୯୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାକୁ ନେଇ ସାମାଜିକ ସଙ୍ଗଠନ ବସୁନ୍ଧରାର ଗିରି ରାଓ କହିଛନ୍ତି, ସମୁଦାୟ ଜନସଂଖ୍ୟାର ୮.୬ ପ୍ରତିଶତ ଥିବା ଆଦିବାସୀଙ୍କ ପାଇଁ ବଜେଟ ହୋଇଛି ମାତ୍ର ୦.୨୧ ପ୍ରତିଶତ। ଯଦିଓ ୨୦୧୯ ତୁଳନାରେ ବଜେଟ ଟଙ୍କା ବୃଦ୍ଧି ପାଇଛି କିନ୍ତୁ ଏହାର ଲାଭ ଓଡ଼ିଶା ଭଳି ରାଜ୍ୟକୁ ମିଳିବ ନାହିଁ। କାରଣ ମୋଟ ବଜେଟ ପରିମାଣ ତୁଳନାରେ ରାଜ୍ୟ ଅଂଶ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏଇ ଯେମିତି ସମୁଦାୟ ବଜେଟରୁ ୨୦୧୯ ମସିହାରେ ରାଜ୍ୟର ଭାଗ ଥିଲା ୯୨.୩୭ ପ୍ରତିଶତ (୬୬୯୪.୩୪ କୋଟି)। କିନ୍ତୁ ୨୦୨୦ ମସିହାରେ ଏହା ୬୯.୮୩ ପ୍ରତିଶତ (୩୮୩୬.୬୮ କୋଟି)କୁ ଖସିଆସିଛି। ୨୦୨୧ ମସିହାରେ ଏହି ଅଂଶ ଆହୁରି ଖସି ୬୩.୧୩ ପ୍ରତିଶତ ( ୩୯୦୨.୦୩ କୋଟି) ହୋଇଥିଲା। ୨୦୨୨ ମସିହାରେ ସର୍ବନିମ୍ନ ସ୍ତରକୁ ଆସି ୫୪.୭୩ ପ୍ରତିଶତ (୪୫୯୮.୩୪ କୋଟି)ରେ ପହଞ୍ଚିଛି।

publive-image odishasuntimes.com

୨୦୨୦ ମସିହାରୁ ଦେଶରେ ସୃଷ୍ଟି ମହାମାରୀରେ ଆଦିବାସୀମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଏହି ସମୟରେ ଅର୍ଥ ବିକେନ୍ଦ୍ରୀକରଣ ସର୍ବାଧିକ ଆବଶ୍ୟକତା ଥିଲା। ରାଜ୍ୟକୁ ଅଧିକ ଟଙ୍କା ଦେବା ଦରକାର ଥିଲା। ଅଥଚ ଏଭଳି ସମୟରେ ରାଜ୍ୟକୁ ଅନୁଦାନ ହ୍ରାସ କରାଯାଇଛି। ପୂର୍ବରୁ ରାଜ୍ୟରେ ଆଦିବାସୀ ଜନସଂଖ୍ୟା ଅନୁସାରେହିଁ ବଜେଟ ଦିଆଯାଉଥିଲା। ମୋଦୀ ସରକାରଙ୍କ ଅମଳରେ ଗଠିତ ନୀତି ଆୟୋଗର ନିଷ୍ପତ୍ତି ଅନୁସାରେ, ରାଜ୍ୟର ପ୍ରସ୍ତୁତ ଅଟକଳ ଅନୁସାରେ କେନ୍ଦ୍ର ଟଙ୍କା ଦେବ। ଅର୍ଥାତ ରାଜ୍ୟକୁ ଅନୁଦାନ ପ୍ରଦାନର ଏକଚାଟିଆ ଅଧିକାର କେନ୍ଦ୍ର ପାଖକୁ ଚାଲି ଆସିଛି। ଓଡ଼ିଶା ଭଳି ଅଣବିଜେପି, ଗରିବ କିନ୍ତୁ ଦୁର୍ବଳ ସ୍ବର ଥିବା ରାଜ୍ୟକୁ ସେମାନେ ଅଧିକ ଅନୁଦାନ ଦେଉ ନାହାନ୍ତି। ବରଂ ପ୍ରତିବର୍ଷ ସାଂଘାତିକ ଭାବରେ ହ୍ରାସ କରୁଛନ୍ତି ବୋଲି ସାମାଜିକ ସଂଗଠନମାନେ ମତ ରଖିଛନ୍ତି। ଖାସ୍ ଏହି କାରଣରୁ ରାଜ୍ୟର ଅସଂଖ୍ୟ ଆଦିବାସୀ କ୍ଷତିଗ୍ରସ୍ତ ହେଉଛନ୍ତି। ଲଘୁବନଜାତ ସଂଗ୍ରହ ସମେତ ଅନେକ ଯୋଜନାରେ ଟଙ୍କା ନାହିଁ କହିଲେ ଚଳେ। ଆଶ୍ଚର୍ଯ୍ୟଜନକ ଭାବରେ ଏଥିସମ୍ପର୍କରେ ରାଜ୍ୟ ଶାସକ ଦଳ ବିଜେଡି କିମ୍ବା ବିରୋଧୀ କଂଗ୍ରେସ କେହି ମୁହଁ ଖୋଲୁ ନାହାନ୍ତି। ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, କେନ୍ଦ୍ରର ଅନୁଦାନ ହ୍ରାସକୁ ସେ ବିରୋଧ କରନ୍ତି।