ଭୁବନେଶ୍ବର : ଗାଁରୁ ଗାଁ ବୁଲିବ କଂଗ୍ରେସ। ବିଜେଡି ଓ ବିଜେପି ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ। ଗୋଟିଏ ଜିଲ୍ଲାରେ ସର୍ବାଧିକ ୭୫ କି.ମି ପର୍ଯ୍ୟନ୍ତ ପଦଯାତ୍ରା କରାଯିବ। ଆସନ୍ତା ଅଗଷ୍ଟ ୯ତାରିଖରୁ ଏହି ପଦଯାତ୍ରା ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ। ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ପରିସରରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନ ବ୍ୟାପୀ ‘ନବସଂକଳ୍ପ ଶିବିର’ରେ କଂଗ୍ରେସ ନେତୃବୃନ୍ଦ ଏକାଠି ହେବା ସହିତ ଅସଜଡ଼ା ହୋଇ ପଡ଼ିଥିବା ସଂଗଠନକୁ କିଭଳି ମଜଭୁତ ହେବ ତାହା ଉପରେ ମାନସ ମନ୍ଥନ କରିଛନ୍ତି।
ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯିବ। ଶିବିରରେ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଉଭୟ ବିଜେଡି ଓ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି। ଯେଉଁଭଳି ଭାବେ ଉଭୟ ସରକାର ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇ ଏଥିରେ ବିଫଳ ହୋଇଛନ୍ତି ସେ ସଂପର୍କରେ ଲୋକମାନଙ୍କ ନିକଟକୁ ଯିବା ଲାଗି ଆଲୋଚନା ହୋଇଛି। ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୯୦ ମସିହାରେ କଂଗ୍ରେସର ୧୦ଜଣ ବିଧାୟକ ଥିଲେ। ଏହା ସତ୍ତ୍ବେ ବି ୧୯୯୫ରେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ ଆମେ ସରକାର ଗଢ଼ିଥିଲୁ। ଏବେ କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି। ତେଣୁ କଂଗ୍ରେସ ପୁଣିଥରେ ଓଡ଼ିଶାରେ ଶାସନକୁ ଫେରି ପାରିବ ନାହିଁ ବୋଲି କହିବାର ଅର୍ଥ କିଛି ନାହିଁ। ଆଗାମୀ ଦିନରେ ଲଢ଼େଇ ହେବ। କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି, ଗାଁରୁ ସହର ପର୍ଯ୍ୟନ୍ତ କଂଗ୍ରେସ କର୍ମୀଙ୍କୁ ଏକାଠି କରି ୨୦୨୪ ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯିବ। ବିଜେଡି ଓ ବିଜେପି ୯ବର୍ଷ ଏକାଠି ସରକାରରେ ରହିଲେ। ବିଜେଡି ଏକୁଟିଆ ୨୨ବର୍ଷ ଶାସନରେ ରହିଲାଣି। ହେଲେ ବିଜେଡି ସରକାର ଓଡ଼ିଶାକୁ ଏକ ଭିଜନ୍ ଦେବାରେ ବିଫଳ ହୋଇଛନ୍ତି। ଭୋଟ ନାଁରେ ଓଡ଼ିଶାକୁ ତଳିତଳାନ୍ତ କରି ଦିଆଯାଇଛି।
/sambad/media/post_attachments/wp-content/uploads/2022/06/m2-300x93.jpg)
ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତାଙ୍କୁ ଟାର୍ଗେଟ୍ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ପରିବାର ଏକ। ମୋର କାହା ସହିତ ଭେଦଭାବ ନାହିଁ। କିଏ କାହା ସହିତ କ’ଣ ଆଲୋଚନା କଲା, କାହା ଛକକୁ ଗଲା ସେଇଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ତାହା ଉପରେ ମୋର ଆଲୋଚନା କରିବାର ନାହିଁ।
ସେହିପରି ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର କହିଛନ୍ତି, ରାଜ୍ୟରେ କଂଗ୍ରେସକୁ ସୁଦୃଢ଼ କରାଯିବ। ଓଡ଼ିଶାର କୋଣ ଅନୁକୋଣରେ କଂଗ୍ରେସ ଚିନ୍ତାଧାରାର ବାର୍ତା ପହଞ୍ଚାଯିବ। କେନ୍ଦ୍ରରେ ଦୀର୍ଘ ୮ବର୍ଷ ଧରି ଏକ ଜନବିରୋଧୀ ସାଂପ୍ରଦାୟିକତା ସୃଷ୍ଟି କରୁଥିବା ସରକାର ବିରେଧରେ ଓଡ଼ିଶା କଂଗ୍ରେସ ଜନବିପ୍ଲବ ସୃଷ୍ଟି କରିବ। ଏହାସହ ରାଜ୍ୟର ୨୨ବର୍ଷର ଅପାରଗ ବିଜେଡି ବିରୋଧରେ ମଧ୍ୟ ନିର୍ଣ୍ଣାୟକ ଲଢ଼େଇ ହେବ ବୋଲି ଶ୍ରୀ ଚେଲାକୁମାର କହିଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସ ଦଳରେ ସବୁସ୍ତରରେ ଶୃଙ୍ଖଳାର ଆବଶ୍ୟକତା ରହିଛି। ଦଳ ଭିତରେ ଥିବା କନ୍ଦଳ ଯୋଗୁଁ କଂଗ୍ରେସ ଦୁର୍ବଳ ହୋଇଛି। ଯାହାଫଳରେ କଂଗ୍ରେସ ବିରୋଧୀଙ୍କୁ ଠିକ୍ ଭାବେ ଲଢ଼ିବାରେ ବିଫଳ ହେଉଛି। ଜନସାଧାରଣ ଉଭୟ ମୋଦୀ ଓ ନବୀନ ସରକାର ଉପରେ ଅତିଷ୍ଠ ହୋଇ ସାରିଛନ୍ତି। ତେଣୁ ଦଳକୁ ଶୃଙ୍ଖଳିତ ଢଙ୍ଗରେ ଲଢ଼ିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଓଡ଼ିଶାର ସମସ୍ତ ଖଣି କୌଣସି ବ୍ୟକ୍ତି କିମ୍ବା ଘରୋଇ କମ୍ପାନିକୁ ନ ଦେବା ଲାଗି ବୈଠକରେ ଆଲୋଚନା ହୋଇଛି। ଆଇନରେ ସଂଶୋଧନ କରି ରାଜ୍ୟ ସରକାର କମ୍ପାନି କିମ୍ବା ବ୍ୟକ୍ତିଗତ ଲୋକଙ୍କ ପାଖରେ ଥିବା ଖଣିକୁ ହାତକୁ ନିଅନ୍ତୁ। ଖଣି ମାଫିଆ ଓଡ଼ିଶାର ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି। କଂଗ୍ରେସର ପରାଜୟ ପଛରେ ଏହା ହେଉଛି ମୁଖ୍ୟ କାରଣ। ଖଣିଜ ସଂପଦଭରା ଜମି ଉପରେ ଟିକସ ବସାଇବା ପାଇଁ ସୁପ୍ରିମକୋର୍ଟ ସବୁଜ ସଂକେତ ଦେଇଛନ୍ତି। ତେଣୁ ରାଜ୍ୟ ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଅପରପକ୍ଷରେ ଏଆଇସିସି ନିଷ୍ପତ୍ତି ଅନୁଯାୟୀ ରାଜ୍ୟ କଂଗ୍ରେସ ପକ୍ଷରୁ ୬ଟି କମିଟି ଗଠନ କରାଯାଇଛି। ଏଥିରେ ପଲିଟିକାଲ କମିଟି, ଅର୍ଗାନାଇଜେସନାଲ କମିଟି, ଇକୋନୋମିକ କମିଟି, ସୋସିଆଲ ଜଷ୍ଟିସ୍ କମିଟି, ୟୁଥ, ଷ୍ଟୁଡେଣ୍ଟ ଓ ଓମେନ ଏମ୍ପାୱାରମେଣ୍ଟ କମିଟି ଓ ଖେତ ମଜଦୁର କିଷାନ କମିଟି ସ୍ଥାନ ପାଇଛି। ଦୁଇଦିନ ଧରି ଏହି କମିଟି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ। ପ୍ରଥମ ଦିନର ବୈଠକରେ ଏଆଇସିସି ସଂପାଦକ ରୁଦ୍ର ରାଜୁ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ସୁରେଶ ରାଉତରାୟ, ରାଜନ ଏକ୍କା, ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜୀବ ବିଶ୍ବାଳ, ଶରତ ରାଉତ, ପଞ୍ଚାନନ କାନୁନ୍ଗୋ, ଦାଶରଥୀ ଗମାଙ୍ଗ, ବନ୍ଦିତା ପରିଡ଼ା, ୟାସର ନୱାଜ, ସ୍ମୃତି ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ତତ୍ତ୍ବାବଧାନରେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା। ପିସିସି ଉପସଭାପତି ଯଜ୍ଞେଶ୍ବର ବାହୁ ବୈଠକ ପରିଚାଳନା କରିଥିବା ବେଳେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଧନ୍ୟବାଦ ଦେଇଥିଲେ।
ଯୋଗ ଦେଲେନି ୩ ବିଧାୟକ
ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ବରରେ ନବସଂକଳ୍ପ ଶିବିର ବୈଠକ ବସିଛି। ସଭାପତିଙ୍କ ପ୍ରଥମ ବୈଠକରୁ ହିଁ ଦଳ ଭିତରେ ଥିବା ଏକତାର ଅଭାବ ସ୍ପଷ୍ଟ ବାରି ହୋଇପଡ଼ିଛି। ରାଜ୍ୟରେ କଂଗ୍ରେସର ମୋଟ ୯ଜଣ ବିଧାୟକ ଥିବା ବେଳେ ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ୍ ଓ ରମେଶ ଜେନା ଅନୁପସ୍ଥିତ ରହିଛନ୍ତି। ଦ୍ବିତୀୟ ଦିବସରେ ସେମାନେ ଯୋଗଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଦେହ ଅସୁସ୍ଥ କାରଣରୁ ଡାକ୍ତର ବିଶ୍ରାମ ନେବାକୁ କହିଛନ୍ତି। ଏହି କାରଣରୁ ଶିବିରରେ ଯୋଗ ଦେଇନାହିଁ। ମାତ୍ର ଦଳ ପ୍ରତି ମୋର ସମର୍ଥନ ଜାରି ରହିବ ବୋଲି ତାରା ‘ସମ୍ବାଦ’କୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/m1-1.jpg)