ଭୁବନେଶ୍ୱର: ଅକ୍ଷୟ ତୃତୀୟା ଅବସରରେ ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ-୨୦୨୫ ବରମୁଣ୍ଡା ଓୟୁଏଟି ଫାର୍ମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସିଏମ୍ କିଷାନ ଯୋଜନାରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ୠତୁ ପାଇଁ ୧୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସମୁଦାୟ ୫୧ ଲକ୍ଷ ଚାଷୀ ସହାୟତା ରାଶି ପାଇଛନ୍ତି। ଏଥିରେ ସହରାଞ୍ଚଳର ୨୫,୫୩୨ ଜଣ ଚାଷୀ ପ୍ରଥମ ଥର ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ଫସଲ ବିବିଧକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ଚାଷୀମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ଆମ ସରକାର ଆସିବା ପରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ। ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛୁ। କୃଷି କାର୍ଯ୍ୟ ସହିତ ମାଛ ଚାଷ, ପ୍ରାଣୀ ପାଳନ, କୁକୁଡ଼ା ଓ ବତକ ଚାଷ ପାଇଁ ରିହାତି ସହିତ ଆବଶ୍ୟକ ସହାୟତା ଯୋଗାଇ ଦେଉଛୁ।  

Advertisment

ମୁଖ୍ୟମନ୍ତ୍ରୀ କହିଲେ, ପୂର୍ବ ସରକାରଙ୍କ ସବୁ ଯୋଜନା କେବଳ ସ୍ଲୋଗାନରେ ଥିଲା। ଯାହା କାର୍ଯ୍ୟକାରୀ ହୋଇଛି ତାହା  କେବଳ ଠିକାଦାରଙ୍କୁ ପୋଷିବାକୁ। ସେମାନଙ୍କ ଅପାରଗତ‌ା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଜି ପଛରେ। ପୂର୍ବ ସରକାର ଏମଏସ୍୍‌ପି ପାଇଁ କ୍ବିଣ୍ଟାଲ୍‌ ପିଛା ୨୯୫୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବାକୁ କେବଳ ବିଧାନସଭାରେ ପ୍ରସ୍ତାବ ଆଣି ଚୁପ୍ ରହିଗଲେ। ଆମେ କଥା ଦେଇଥିଲୁ ଓ କଥା ରଖି ପ୍ରତି କ୍ବିଣ୍ଟାଲ୍‌ରେ ୩୧୦୦ ଟଙ୍କା ଏମ୍‌ଏସ୍‌ପି ଦେଲୁ। ଏଥିରେ ସବୁଠାରୁ ଅଧିକ ଲାଭ ପାଇଥିବା ଚାଷୀ ହେଉଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଏବଂ ବିଜେଡିର ବିଧାୟକ ନିରଞ୍ଜନ ପୂଜାରୀ। ଅଧିକ ବୋନସ୍‌ ଆକାରରେ ସେ ୪୫ ଲକ୍ଷ ଟଙ୍କା ପାଇଛନ୍ତି।  

୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ: ମୁଖ୍ୟମନ୍ତ୍ରୀ
ପୂର୍ବ ସରକାର କେବଳ ସ୍ଲୋଗାନ୍‌ରେ ଚାଲିଥିଲା
ଏମ୍‌ଏସ୍‌ପି ବୃଦ୍ଧି ପରେ ସର୍ବାଧିକ ଲାଭ ପାଇଛନ୍ତି ବିଜେଡି ବିଧାୟକ

ଶ୍ରୀ ମାଝୀ ଆହୁରି କହିଥିଲେ, ଗତ ୨୪ ବର୍ଷ ଭିତରେ ଜଳସେଚନ ପାଇଁ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଏବେ ବି ସ୍ଥିତିରେ ସୁଧାର ଆସି ନାହିଁ। ପୂର୍ବ ସରକାର ପ୍ରଥମେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। ପରେ ପ୍ରତି ୫ ବର୍ଷରେ ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ପାଣି ଯାଉଛି ବୋଲି କହିଲେ। ଅର୍ଥାତ ୨୫ ବ‌ର୍ଷରେ ୫୦ ଲକ୍ଷ ହେକ୍ଟର ଚାଷ ଜମି ପାଣି ପାଇବା କଥା। ମାତ୍ର ୧୭ ଲକ୍ଷ ହେକ୍ଟର ହୋଇଛି ବୋଲି ସୂଚନା ଅଛି। ତାହା ମଧ୍ୟ କାଗଜପତ୍ରରେ ହୋଇଛି। ୮୦ ବ୍ଲକ୍‌ରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ହୋଇ ନାହିଁ। ଗତ ସରକାରଙ୍କ କାମ କମ୍‌, ପ୍ରଚାର ବେଶି ଥିଲ‌ା। କିନ୍ତୁ ଆମେ ଚାଷ କାର୍ଯ୍ୟ ଆରମ୍ଭଠାରୁ ଫସଲ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ଚାଷୀଙ୍କ ସହିତ ଅଛୁ। 
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ, କୃଷି ଓ କୃଷକଙ୍କୁ ବଜାର ଯୋଗାଇଦେବା ସହିତ ତାଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ଦେବା ପାଇଁ ଆମ ସରକାର କାମ କରୁଛି। କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଓ କୃଷି ନିର୍ଦ୍ଦେଶକ ଶୁଭମ ସକ୍‌ସେନା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଓୟୁଏଟିର ବରମୁଣ୍ଡା କୃଷି ଶୈକ୍ଷିକ ପ୍ରତିଷ୍ଠାନରେ ପାରମ୍ପରିକ ହଳ ଲଙ୍ଗଳରେ ଅଖିମୁଠି ଅନୁକୂଳ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ୧୯୨୧ ମସିହାରେ ରଚିତ ‘କୃଷକ ସଂଗୀତ ପୁସ୍ତକ’ ଉନ୍ମୋଚନ କରିଥିଲେ। ଏଥିରେ ସ୍ୱଭାବ କବିଙ୍କ ବଂଶଧର ଉପସ୍ଥିତ ଥିଲେ।