ଆଜି ରାତିରୁ ରାଜ୍ୟବ୍ୟାପୀ ଲକ୍‌ ଡାଉନ୍, ବଳକା ୧୬ ଜିଲ୍ଲାରେ ଲାଗିଲା କଟକଣା

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଆଜି ରାଜ୍ୟ ସରକାର ରାଜ୍ୟବ୍ୟାପୀ ଲକ୍‌-ଡାଉନ୍ ଘୋଷଣା କରିଛନ୍ତି। ଆଜି ମଧ୍ୟରାତ୍ରରୁ ଆସନ୍ତା ୨୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କୁ ନେଇ ଆଜି ଦିନରେ ହୋଇଥିବା ଭିଡିଓ କନଫରେନ୍ସିଂରେ ଏ ସଂପର୍କିତ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ସଂପୂର୍ଣ୍ଣ ଲକ୍‌- ଡାଉନ୍ ସୁନିଶ୍ଚିତ କରିବା ପାଇଁ ଜିଲ୍ଳାପାଳମାନଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ।

କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ଗତ ୨୧ ତାରିଖରେ ୫ଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ଲକ୍‌-ଡାଉନ୍ ଘୋଷଣା କରାଯାଇଥିଲା। ସେହିସବୁ ଅଞ୍ଚଳକୁ ଅଧିକ ସଂଖ୍ୟାରେ ବିଦେଶ ଫେରନ୍ତାମାନେ ପହଞ୍ଚିଥିଲେ। ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବିଦେଶ ଫେରନ୍ତାଙ୍କ ଉପସ୍ଥିତିକୁ ନଜରରେ ରଖି କରୋନା ସଂକ୍ରମଣକୁ ରୋକିବା ଲାଗି ପୁନର୍ବାର ୨୩ ତାରିଖରେ ରାଜ୍ୟ ସରକାର ଆଉ ୯ଟି ଜିଲ୍ଲାକୁ ସଂପୂର୍ଣ୍ଣ ଲକ୍‌-ଡାଉନ୍ ଘୋଷଣା କରିଥିଲେ।

ଲକ୍‌-ଡାଉନ୍‌ ସମୟରେ ଡାକ୍ତରଖାନା, କ୍ଲିନିକ୍, ପାଥୋଲାବ୍, ଔଷଧ ଦୋକାନ ପରି ଅତ୍ୟାବଶ୍ୟକ ସେବା ସମେତ ପୁଲିସ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ, ଓଡ୍ରାଫ୍, ବିଦ୍ୟୁତ, ପାଣି, ମ୍ୟୁନିସିପାଲ ସେବା ଓ କରୋନା ପ୍ରତିହତ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ କାର୍ଯ୍ୟ ଜାରି ରହିବ। ବ୍ୟାଙ୍କ, ଏଟିଏମ୍ ସାଙ୍ଗକୁ ପେଟ୍ରୋଲ ପମ୍ପ ଖୋଲା ରହିବ। ବ୍ୟାଙ୍କଗୁଡ଼ିକ ଜିଲ୍ଲାପାଳଙ୍କ ପରାମର୍ଶରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ। ଏଟିଏମ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ଟଙ୍କା ମହଜୁଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଫଳ, କ୍ଷୀର, ପାଉଁରୁଟି, ବିସ୍କୁଟ, ବେକେରି, ସଉଦା ଦୋକାନ, ପନିପରିବା, ମାଛ, ମାଂସ ଦୋକାନ ସହିତ କ୍ଷୀର ବୁଥ ଖୋଲା ରହିବ। ତେବେ କ୍ଷୀର ବୁଥ୍‌ରେ ଚା’ କିମ୍ବା କଫି ବିକ୍ରି ହୋଇପାରିବ ନାହିଁ। ଲକ୍‌-ଡାଉନ୍ ସମୟରେ ପରିବାରର ଜଣେ ସଦସ୍ୟ ‌ଦିନକୁ ଥରେ ନିକଟସ୍ଥ ଦୋକାନକୁ ଯାଇ ସର୍ବନିମ୍ନ ଅତ୍ୟାବଶ୍ୟକ ସାଗ୍ରୀ ଆଣିବା ଓ ରାସ୍ତାକୁ ଗାଡ଼ି ନ ନେବା ପାଇଁ ଅନୁରୋଧ କରାଯାଇଛି। ସେହିପରି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ରହିଥିବା ଛାତ୍ରବାସଗୁଡ଼ିକୁ ବନ୍ଦ କରିବା ସହ ଅନ୍ତେବାସୀଙ୍କୁ ସେମାନଙ୍କ ଛାତ୍ରବୃତ୍ତି ଟଙ୍କା ପ୍ରଦାନ ପୂର୍ବ ପିତାମାତା/ଅଭିଭାବକଙ୍କ ସହ ଆଜି ସଂଧ୍ୟା ଘରେ ପହଞ୍ଚାଇ ଦିଆଯିବ। ଏହି କାର୍ଯ୍ୟ ତତ୍ତ୍ବାବଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ବ ଦିଆଯାଇଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର