ହସ୍ତତନ୍ତର ଆଦିଭୂମି ଭାବେ ଓଡ଼ିଶା ବିଶ୍ୱପ୍ରସିଦ୍ଧ: ରୀତା

ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ, ପୁରସ୍କୃତ ହେଲେ ତନ୍ତୁବାୟ ସହଯୋଗ ସମିତି

ଭୁବନେଶ୍ବର : ବୟନିକା ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରବିବାର ଦିନ ଜୟଦେବ ଭବନଠାରେ ‘ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ’ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ରୀତା ସାହୁ କହିଲେ, ହସ୍ତତନ୍ତର ଆଦି ଭୂମି ଭାବେ ଓଡ଼ିଶା ବିଶ୍ୱପ୍ରସିଦ୍ଧ। ବୁଣାକାର ଓ କାରିଗରମାନଙ୍କୁ ଏହି ଅବସରରେ ସେ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ସମୃଦ୍ଧି କାମନା କରିଥିଲେ। ଅନ୍ୟତମ ଅତିଥି ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା କହିଲେ, ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ବିଶ୍ବ ଦରବାରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଆଗାମୀ ଦିନରେ ବୁଣାକାରମାନେ ସରକାରଙ୍କ ସ୍ବତନ୍ତ୍ର ଯୋଜନାର ଲାଭ ଉଠାଇ ଆହୁରି ଆଗକୁ ବଢ଼ିପାରିବେ। ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସୁଶାନ୍ତ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାର ଭାଇ ଭଉଣୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଦୀର୍ଘ ବର୍ଷ ଧରି ବୁଣାକାରଙ୍କ ସେବାରେ କାର୍ଯ୍ୟରତ ଥିବା ବ୍ରହ୍ମପୁରର ପଦ୍ମନାଭପୁର ତନ୍ତୁବାୟ ସହଯୋଗ ସମିତି, ଖୋର୍ଦ୍ଧା ସଦରଥାନା ତନ୍ତୁବାୟ ସହଯୋଗ ସମିତି ଏବଂ ଖୋର୍ଦ୍ଧା ତନ୍ତୁବାୟ ସହଯୋଗ ସମିତିକୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ବିଗତ ତିନି ବର୍ଷର ହାରାହାରି ବ୍ୟବସାୟକୁ ଆଧାର କରି ସର୍ବାଧିକ ହସ୍ତତନ୍ତ ବସ୍ତ୍ର ବ୍ୟବସାୟ କରିଥିବା ଆଠଗଡ଼ର ଗମିଲୋ ତନ୍ତୁବାୟ ସହଯୋଗ ସମିତିକୁ ପ୍ରଥମ ପୁରସ୍କାର ବାବଦରେ ତିନି ଲକ୍ଷ ଟଙ୍କା, ବରଗଡ଼ ଜାଲପାଲି ତନ୍ତୁବାୟ ସହଯୋଗ ସମିତିକୁ ଦ୍ୱିତୀୟ ପୁରସ୍କାର ବାବଦରେ ୨ଲକ୍ଷ ଟଙ୍କା ଏବଂ ବରଗଡ଼ ଲୁରୁପାଲି ତନ୍ତୁବାୟ ସହଯୋଗ ସମିତିକୁ ତୃତୀୟ ପୁରସ୍କାର ଭାବେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ସୂଚନା ଓ ଲୋକସଂପର୍କ ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସୁନ୍ଦରଗଡ଼ର ମୟୂରୀ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆଜି ସାରା ଦେଶରେ ‘୮ମ ଜାତୀୟ ହସ୍ତତନ୍ତ ଦିବସ’ ପାଳିତ ହେଉଛି। ପ୍ରତ୍ୟେକ ଭାରତୀୟଙ୍କ ଭିତରେ ଆମର ଐତିହ୍ୟସଂପନ୍ନ ଓ ବହୁପୁରାତନ ପାରମ୍ପରିକ ହସ୍ତତନ୍ତ କଳା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏହି ସଂସ୍କୃତି ଓ କଳା ସହ ବଂଶାନୁକ୍ରମେ ଜଡ଼ିତ ବୁଣାକାରମାନଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରାଯାଉଛି। ଭାରତବର୍ଷରେ ଓଡ଼ିଶାର ରୁଦ୍ଧିମନ୍ତ ହସ୍ତତନ୍ତ ବସ୍ତ୍ର ବିଶେଷତଃ ବାନ୍ଧବସ୍ତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସର୍ବୋପରି ଏହି ହସ୍ତତନ୍ତ କ୍ଷେତ୍ର ଲକ୍ଷଲକ୍ଷ ଗ୍ରାମୀଣ ବୁଣାକାରଙ୍କୁ ଜୀବିକା ଯୋଗାଇବାରେ ସମର୍ଥ ହୋଇପାରିଛି।

ସମ୍ବନ୍ଧିତ ଖବର