ରାଜ୍ୟବ୍ୟାପୀ ପ୍ରତିବାଦ: ଆଇଆଇସି ଦୋଷକଲେ, ବଳିପଡ଼ିଲେ ହାବିଲଦାର

ହାବିଲଦାର ସସ୍‌ପେଣ୍ଡ୍‌; ଆଇଆଇସି ଓ ତଦନ୍ତକାରୀ ଅଧିକାରୀ ବଦଳିଲେ, ୪୮ ଘଣ୍ଟା ପରେ ବି ଏସ୍‌ପି ନିରବ

ବାଲେଶ୍ବର/ପୁରୀ: ସମ୍ବାଦ ଓ କନକ ନ୍ୟୁଜ୍‌ର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କୁ ଥାନା ଭିତରେ ମାଡ଼ ମାରି ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ ଓ ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମହଙ୍ଗା ପଡ଼ିଛି। ପୁଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ବର ଉଠିବା ପରେ ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତେବେ ବିବାଦୀୟ ଆଇଆଇସିଙ୍କୁ ନିଲମ୍ବନ ପରିବର୍ତ୍ତେ କେବଳ ବଦଳିରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖିଛନ୍ତି ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର। ପୁଲିସର ଅମାନବୀୟ କାର୍ଯ୍ୟକୁ ନେଇ ସବୁ ଆଡ଼ୁ ସମାଲୋଚନାର ଶରବ୍ୟ ହୋଇଥିଲେ ମଧ୍ୟ ଆଇଆଇସିଙ୍କ ସୁରକ୍ଷା ପାଇଁ ଜଣେ ତଳିଆ କର୍ମଚାରୀ ହାବିଲଦାର ଚିତ୍ତରଞ୍ଜନ ସିଂଙ୍କୁ ନିଲମ୍ବନ କରାଯାଇଛି। ପୂର୍ବାଞ୍ଚଳ ପୁଲିସ ଆଇଜି ଦାୟିତ୍ବରେ ଥିବା କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏହା ସମ୍ପୂର୍ଣ୍ଣ ବେଆଇନ୍ ଓ ଅନୁଚିତ ଦର୍ଶାଇ ଦୋଷୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ତେବେ ଘଟଣାକୁ ୪୮ ଘଣ୍ଟା ବିତିଥିଲେ ମଧ୍ୟ ଏହି ସ୍ପର୍ଶକାତର ମାମଲାରେ ଖୋଦ୍ ଜିଲ୍ଲା ପୁଲିସ ମୁଖ୍ୟ ଗଣମାଧ୍ୟମ ସାମ୍‌ନାକୁ ଆସୁନାହାନ୍ତି କି ‌ଫୋନ୍‌ ଉଠାଉନାହାନ୍ତି।

ବାଲେଶ୍ବର ଫକୀର‌ମୋହନ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସାମ୍ବାଦିକ ଲୋକନାଥ ଦଳେଇଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆଜି ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୋଡ଼ରେ ବେଡ଼ି ପକାଯିବା ଫଟୋ ଭାଇରାଲ୍‌ ହେବା ପରେ ଚଟାଣରେ ଗଡ଼ୁଥିବା ଶ୍ରୀ ଦଳେଇଙ୍କୁ ଗତକାଲି ରାତାରାତି ଏକ କ୍ୟାବିନ୍‌କୁ ସ୍ଥାନାନ୍ତର କରିଥିଲା ପୁଲିସ। ସେଠାରେ ବି ତାଙ୍କୁ ବନ୍ଧୁକଧାରୀ ପୁଲିସ ଜଗି ରହିଥିଲେ। ରାତିରେ କବାଟ ଖୋଲା ରଖିବାକୁ କହିବାରୁ କାନ୍ଦିଥିଲେ ଦଳେଇଙ୍କ ପତ୍ନୀ ନିରୁପମା। ସେ ଜଣେ ମହିଳା, ଅସୁସ୍ଥ ସ୍ବାମୀଙ୍କ ଦେଖାଶୁଣା ପାଇଁ ଆସିଛନ୍ତି। ରାତିରେ କେମିତି କବାଟ ଖୋଲା ରଖିବେ ବୋଲି କହିବାରୁ ଡାକ୍ତରଖାନାରେ କିଛି ଲୋକ ପ୍ରତିବାଦ କରିଥିଲେ। ଫଳରେ ପୁଲିସ ଚୁପ୍ ରହିଥିଲା। ଶ୍ରୀ ଦଳେଇଙ୍କ ରକ୍ତଚାପ, ରକ୍ତଶର୍କରା ନିୟନ୍ତ୍ରଣରେ ରହୁନଥିବା ବେଳେ ତାଙ୍କ ଫୁସଫୁସ୍ ସଂକ୍ରମିତ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ୩ ଦିନ ଆଇସିୟୁରେ ରଖି ଚିକିତ୍ସା କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। ଏସବୁ ଭିତରେ ବି ଆଜି ଆଇସିୟୁ ବାହାରେ ୫ ଜଣ ସଶସ୍ତ୍ର ପୁଲିସ ତାଙ୍କୁ ଜଗି ବସିଥିବା ଦେଖିବାକୁ ମିଳିଥିଲା।

ହାବିଲଦାର ସସ୍‌ପେଣ୍ଡ୍‌; ଆଇଆଇସି ଓ ତଦନ୍ତକାରୀ ଅଧିକାରୀ ବଦଳିଲେ
କାର୍ଯ୍ୟାନୁଷ୍ଠାନ ହେବ: ଆଇଜି
୪୮ ଘଣ୍ଟା ପରେ ବି ଏସ୍‌ପି ନିରବ
ଆଇସିୟୁରେ ଲୋକନାଥ
ତଥାପି ବର୍ବରତା ଜାରି, ରାତିରେ କବାଟ ଖୋଲା ରଖିବାକୁ କହିଲେ

ସେପଟେ ଓୟୁଜେ ବାଲେଶ୍ବର ଶାଖାର ସଦସ୍ୟମାନେ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନଙ୍କୁ ଭେଟି ତାଙ୍କ ଜରିଆରେ ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ, ଡିଜିପି, ମାନବାଧିକାର କମିସନ୍‌ ଓ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ଆନ୍ତର୍ଜାତିକ ମାନବାଧିକାର ସଂଗଠନର ଏକ ପ୍ରତିନିଧି ଦଳ ଆଜି ବାଲେଶ୍ବର ଆସି ଏସ୍‌ପିଙ୍କୁ ଭେଟିଛନ୍ତି। ଜଣେ ସାମ୍ବାଦିକଙ୍କ ବିରୋଧରେ ପୁଲିସର ଅମାନବୀୟ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରତିନିଧି ଦଳ।

ପୂର୍ବାଞ୍ଚଳ ଆଇଜି ଦାୟିତ୍ବରେ ଥିବା ବରିଷ୍ଠ ଆଇପିଏସ୍‌ ନରସିଂହ ଭୋଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ ନୀଳଗିରି ଥାନା ଆଇଆଇସିଙ୍କର ଏପ୍ରକାର ବେଆଇନ୍‌ କାର୍ଯ୍ୟ କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଛି। ସେଥିରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ‘ମାର ମାର ଭଣ୍ଡାରିଆକୁ ମାର୍‌’ ନୀତିରେ ଜଣେ ତଳିଆ କର୍ମଚାରୀଙ୍କୁ ନିଲମ୍ବନ ଓ ଦୁଇ ଅଧିକାରୀଙ୍କୁ କେବଳ ବଦଳି କରି କି ପ୍ରକାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ପୁଲିସ ଉଚ୍ଚ କର୍ତ୍ତୃପକ୍ଷ? ୫-ଟିରେ ଅର୍ନ୍ତଭୁକ୍ତ ହେବାପରେ ବି ପୁଲିସର ମାନସିକତା ଆଦୌ ପରିବର୍ତ୍ତନ ହୋଇନଥିବା କହିଛନ୍ତି ଭୁବନେଶ୍ବରର ବରିଷ୍ଠ ଆଇନଜୀବୀ ବନବିହାରୀ ପଣ୍ଡା। ଏହି ଘଟଣାରେ ଜିଲ୍ଲାର ଅନେକ ପୁଲିସ ଅଧିକାରୀ ଓ କର୍ମଚାରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତଳିଆ କର୍ମଚାରୀଙ୍କୁ ବଳି ପକାଇ ଆଇଆଇସି, ଡିଏସ୍‌ପି, ଏସ୍‌ଡିପିଓଙ୍କୁ ବଦଳି କରି ଦିଆଯାଉଛି। ପୁଲିସ ବିଭାଗରେ ଇଏ କେମିତିକା ନ୍ୟାୟ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର