ରାଜ୍ୟବ୍ୟାପୀ ଭିଜିଲାନ୍ସ ତନାଘନା

ଧରାପଡ଼ିଲେ ଲାଞ୍ଚୁଆ କିରାଣି
ଖଡ଼ିଆଳ : ଲା‌ଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କିରାଣି ସଂଜୟ ନାଏକ। ଜମି ରେଜିଷ୍ଟ୍ରି ବାବଦରେ ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଖଡ଼ିଆଳ ଥାନା ସୁନାରିସିକୁଆଁ ଗାଁର ପରମେଶ୍ବର ବାରିକଙ୍କ ସ୍ତ୍ରୀ ଅଞ୍ଜୁ ବାରିକଙ୍କ ନାମରେ ୩୦ ଡେସିମିଲ ଜମି ରେଜିଷ୍ଟ୍ରି କରିବାର ଥିଲା। ଏଥିପାଇଁ କିରାଣି ସଂଜୟ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଅଭିଯୋଗକାରୀ ଶ୍ରୀ ବାରିକ ୨୦ ହଜାର ଟଙ୍କାରେ କଥା ଛିଣ୍ଡାଇଥିଲେ। ଏ ସଂପର୍କରେ ଶ୍ରୀ ବାରିକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ବୁଧବାର ସେ ୨୦ ହଜାର ଟଙ୍କା କିରାଣି ସଞ୍ଜୟଙ୍କୁ ଦେଇଥିଲେ। ଏହି ସମୟରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ କିରାଣି ସଞ୍ଜୟଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରି ତାଙ୍କୁ ଗିରଫ କରିଥିଲେ। ଏହା ଛଡ଼ା କିରାଣି ସଞ୍ଜୟଙ୍କ କାର୍ଯ୍ୟାଳୟ ତଥା ନୂଆପଡ଼ାସ୍ଥିତ ତାଙ୍କ ବାସଭବନରେ ମଧ୍ୟ ତଦନ୍ତ କରାଯାଇଥିଲା। ନୂଆପଡ଼ା ଭିଜିଲାନ୍ସ ଡିଏସପି ସତ୍ୟବାନ ନାଏକଙ୍କ ନେତୃତ୍ବରେ ଏହି ଚଢ଼ଉ କରାଯାଇଥିଲା।

ଜାଲରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଡିଏଲ୍‌ଆର୍‌ ଟାଇପିଷ୍ଟ୍‌
ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଡିଏଲ୍‌ଆର୍‌ ଟାଇପିଷ୍ଟ୍‌ ପ୍ରଶାନ୍ତ କୁମାର ନାୟକ। ତାଙ୍କର ବ୍ରହ୍ମପୁର ଆସିକା ରୋଡ଼୍‌ ସ୍ଥିତ ବାସଗୃହ ସମେତ ୫ଟି ସ୍ଥାନରେ ଚଢ଼ଉ ହୋଇଛି। ଠାବ ହୋଇଥିବା ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୫୭ଲକ୍ଷ ୬୮ହଜାର ୪୨୮ଟଙ୍କା ବୋଲି ଆକଳନ କରା ଯାଇଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ଙ୍କ କୋର୍ଟରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଚଢ଼ଉ ହୋଇଥିଲା।

ଶ୍ରୀ ନାୟକ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଡିଏଲ୍‌ଆର୍‌ ଟାଇପିଷ୍ଟ ଭାବେ ୧୯୯୦ ମସିହାରେ ଚାକିରି ଆରମ୍ଭ କରି ବର୍ତ୍ତମାନ ଯାଏ କାର୍ଯ୍ୟରତ। ଭିଜିଲାନ୍ସ ପକ୍ଷରୁ ଆସିକା ରୋଡ଼ ସ୍ଥିତ ତାଙ୍କ ବାସଭବନ, ବ୍ୟାଙ୍କ କଲୋନୀ ୮ମ ଲେନ୍‌ ସ୍ଥିତ ଦୁଇ ମହଲା କୋଠା, ଆସିକା ରୋଡ଼ରେ ଥିବା ୨ମହଲା ବିଶିଷ୍ଟ ଗୋଦାମ୍‌, ବ୍ରହ୍ମପୁର ବିଷ୍ଣୁ ନଗରରେ ଭଡ଼ାରେ ଲାଗିଥିବା ଗୋଦାମ ଗୃହ ଓ ବୃନ୍ଦାବତୀ ନଗର ଗୋଦାମରେ ଭିଜିଲାନ୍ସ ଚଢ଼ଉ କରିଥିଲା। ତଦନ୍ତ ପରେ ଆୟ ଓ ବେହିସାବ ସମ୍ପତ୍ତି ପରିମାଣ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ୍‌ କହିଛି।

ଲାଞ୍ଚ ନେଇ ଧରାପଡ଼ିଲେ ଡ୍ରଗ୍ସ ଇନ୍ସ‌ପେକ୍ଟର ଅଫିସ ପିଅନ୍
ଯାଜପୁରସଦର/ ବ୍ୟାସନଗର : ଔଷଧ ଦୋକାନର ଲାଇସେନ୍ସ‌ ନବୀକରଣ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ‌ ହାତରେ ଧରାପଡ଼ିଛନ୍ତି ଯାଜପୁର ଡ୍ରଗ୍ସ ଇନ୍ସ‌ପେକ୍ଟର କାର୍ଯ୍ୟାଳୟର ପିଅନ ରୁଘନାଥ ପଣ୍ଡା। ଭିଜିଲାନ୍ସ‌ ଟିମ୍‌ ତାଙ୍କୁ ଗିରଫ କରିବା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ କରୋନା ପରୀକ୍ଷା କରାଇ ଚୌଦ୍ବାର ଜେଲ୍‌କୁ ‌ପଠାଇ ଦେଇଛି।

ବାଲିଚନ୍ଦ୍ରପୁର ଅଞ୍ଚଳର ଜଗଦମ୍ବା ମେଡିସିନ ଦୋକାନର ଲାଇସେନ୍ସ‌ ୨୦୨୪ ପର୍ଯ୍ୟନ୍ତ ନବୀକରଣ ପାଇଁ ମାଲିକ ସନ୍ତୋଷ କୁମାର ସାହୁଙ୍କଠାରୁ ୨୦୧୯ରେ ସେ ୧୮ ହଜାର ଟଙ୍କା ନେଇଥିଲେ। ପୁନର୍ବାର ଦୋକାନ ଇନ୍ସ‌ପେକ୍ସନ ପାଇଁ ସେ ୫ ହଜାର ଟଙ୍କା ଦାବି କରିଥିଲେ। ଏନେଇ ସନ୍ତୋଷ ଗତ ୨୮ ତାରିଖରେ ଯାଜପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଜଣାଇଥିଲେ। ଆଜି ଡ୍ରଗ୍ସ ଇନ୍ସ‌ପେକ୍ଟର କାର୍ଯ୍ୟାଳୟରେ ରଘୁନାଥ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ।ଏହି ସମୟରେ ଭିଜିଲାନ୍ସ‌ ଅଧିକାରୀ ଅନସୂୟା ସେନାପତି ଓ ଟିମ୍ ପହଞ୍ଚି ତାଙ୍କୁ ରଙ୍ଗେହାତ୍‌ କାବୁ କରିଥିଲେ। ଏଥିସହ ରଘୁନାଥ ପଣ୍ଡାଙ୍କ ସଂପର୍କୀୟଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ବିଷ୍ଣୁପୁରଠାରେ ମଧ୍ୟ ଚଢ଼ଉ କରାଯାଇଛି।

କୋଟିପତି ଲ୍ୟାବ୍‌ ଆସିଷ୍ଟାଣ୍ଟ ଗିରଫ
ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଚିକିଟି କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ଲ୍ୟାବ୍‌ ଆସିଷ୍ଟାଣ୍ଟ କ‌ୈଳାସ ଚନ୍ଦ୍ର ମହାନ୍ତି ଏବଂ ତାଙ୍କ ପତ୍ନୀ ପ୍ରତିଭା କୁମାରୀ ପଣ୍ଡାଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ କରିଛି। ଲ୍ୟାବ୍‌ ଆସିଷ୍ଟାଣ୍ଟ ଶ୍ରୀ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ ‌କରି କୋର୍ଟ ଚାଲାଣ କରିଛି। ତାଙ୍କ ବେହିସାବ ସମ୍ପତ୍ତି ପରିମାଣ ୧କୋଟି ୧ଲକ୍ଷ ୫୦ହଜାର ୫୧୨ଟଙ୍କା ବୋଲି ଭିଜିଲାନ୍ସ ଆକଳନ କରିଛି, ଯାହାକି ତାଙ୍କ ବାସ୍ତବ ଆୟଠାରୁ ୧୧୦. ୮ ପ୍ରତିଶତ ଅଧିକ। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ୍‌ ବଳରେ ବ୍ରହ୍ମପୁର ଭିଜିଲାନ୍ସ ଗତକାଲି ଚିକିଟି କଲେଜର ଲ୍ୟାବ୍‌ ଆସିଷ୍ଟାଣ୍ଟ ଶ୍ରୀ ମହାନ୍ତିଙ୍କ ଚିକିଟିଗଡ଼ ସ୍ଥିତ ପୈତୃକ ଘର ସମେତ ୫ଟି ସ୍ଥାନରେ ଚଢ଼ଉ କରିଥିଲା।

ଆର୍‌ଡବ୍ଲୁଏସ୍‌ଏସ୍‌ର କୋଟିପତି କିରାଣି
ଅନୁଗୁଳ : ଆର୍‌ଡବ୍ଲୁଏସ୍ଏସ୍‌ ଅନୁଗୁଳ ସବ୍‌ ଡିଭିଜନର କନିଷ୍ଠ କିରାଣି ରୋହିତାଶ୍ବ ବାଘଙ୍କର ସମ୍ପତ୍ତି ଖୋଳତାଡ଼ ସରିନାହିଁ। ଆଜି ଦ୍ବିତୀୟ ଦିନରେ ବି ଭିଜିଲାନ୍‌ସ ତାଙ୍କ ସମ୍ପତ୍ତି ତାଲିକାର ହିସାବ କିତାବ ଚଳାଇଥିବା ବେଳେ ବ୍ୟାଙ୍କ୍‌ରେ କେତେ ଟଙ୍କା ରହିଛି ତାହାର ତଥ୍ୟ ଦେବାକୁ ବ୍ୟାଙ୍କ୍‌କୁ ନୋଟିସ୍‌ ହୋଇଛି। ଅନ୍ୟପକ୍ଷରେ ରିପୋର୍ଟ ଲେଖାଯିବା ସୁଦ୍ଧା ରୋହିତାଶ୍ବଙ୍କୁ ଭିଜିଲାନ୍‌ସ ଗିରଫ କରି ନାହିଁ।

ଉଲ୍ଲେଖଯୋଗ୍ୟ, ଆର୍‌ଡବ୍ଲୁଏସ୍‌ଏସ୍‌ ଅନୁଗୁଳ ସବ୍‌ ଡିଭିଜନର ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟରଙ୍କ ଅଫିସ୍‌ରେ କିରାଣି ଭାବେ ଚାକିରି କରୁଥିବା ଶ୍ରୀ ବାଘଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ଶ୍ରୀ ବାଘଙ୍କର ଘର ଅନୁଗୁଳ ଜିଲ୍ଲାରେ ହୋଇଥିଲେ ହେଁ ତାଙ୍କର ସମ୍ପତ୍ତିକୁ ଖୋର୍ଦ୍ଧାଠାରୁ ଆରମ୍ଭ କରି ବୌଦ୍ଧ ପର୍ଯ୍ୟନ୍ତ ଲମ୍ବାଇଥିଲେ। ପ୍ରାପ୍ତ ତଥ୍ୟ ମୁତାବକ, ରାଜଧାନୀ ଭୁବନେଶ୍ବରରେ ଜମି, ଆଠମଲ୍ଲିକରେ ଜମି, ତିନି ମହଲା କୋଠା, ପାଣି ପାଉଚ୍‌ ଫ୍ୟାକ୍ଟ୍ରି, କୁକୁଡ଼ା ଫାର୍ମ, ସୁନାଗହଣାଠାରୁ ଆରମ୍ଭ କରି ବ୍ୟାଙ୍କ୍‌ ଜମାକୁ ହିସାବ କଲେ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍‌ସକୁ ୧କୋଟି ୧୪ଲକ୍ଷ ୪୯ହଜାର ୮୬୮ଟଙ୍କାର ସମ୍ପତ୍ତିର ହିସାବ ମିଳିଲାନି। ଏହା ବାଦ୍‌ ବ୍ୟାଙ୍କ୍‌ରେ କେମିତି କଣ ଜମା ରହିଛି ତାହାର ହିସାବ ମଧ୍ୟ ବିଭିନ୍ନ ବ୍ୟାଙ୍କ୍‌କୁ ମଗାଯାଇଛି। ବ୍ୟାଙ୍କ୍‌ ତଥ୍ୟ ଆସିଲେ ଶ୍ରୀ ବାଘଙ୍କର ସମ୍ପତ୍ତି ପ୍ରକୃତରେ କେତେ ତାହା ସ୍ପଷ୍ଟ ହେବ ବୋଲି ଭିଜିଲାନ୍‌ସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର