ଭୁବନେଶ୍ବର : ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ସ୍ବର୍ଗତ ବିଜୟ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ସିଆର୍ପି ଛକସ୍ଥିତ ସଂକଟମୋଚନ ହନୁମାନ ମନ୍ଦିର ପରିସରରେ ତାଙ୍କର ଅର୍ଦ୍ଧାବୟବ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ବିଶିଷ୍ଟ ସ୍ଥପତି ରବି ରଥଙ୍କ ଦ୍ବାରା ନିର୍ମିତ ଏହି ଫାଇବର୍ ପ୍ରତିମୂର୍ତ୍ତିକୁ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଅନାବରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ସେ କହିଥିଲେ, ବିଜୟ ବାବୁଙ୍କୁ ସମ୍ମାନ ଜଣାଇବା ପାଇଁ ଏହା ଏକ ତରିକା ହୋଇପାରେ, ମାତ୍ର ତାଙ୍କ କାମ ସମସ୍ତଙ୍କ ମନରେ କୀର୍ତ୍ତି ହୋଇ ରହିବ। ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ସ୍ବର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସ୍ବର୍ଗତ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ମନ୍ଦିରରେ ତ୍ରିଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୧୭ ତାରିଖ ଅଖଣ୍ଡ ରାମଚରିତ ମାନସ ପାଠ, ୧୮ ତାରିଖରେ ୧୦୮ ହନୁମାନ ଚାଳିସା ଓ ଆଜି ସମୂହ ସୁନ୍ଦରକାଣ୍ଡ ପାଠ ସହିତ ୧୦୮ ଦୀପଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ପଟ୍ଟନାୟକଙ୍କ ପୁଅ ସ୍ବରୂପ ପଟ୍ଟନାୟକ, ଅଜୟ ପଟ୍ଟନାୟକ, ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ପ୍ରଭୁଜିତ୍ ମହାନ୍ତି, ମନମୋହନ ଶର୍ମା, ସଂଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଡୁମୁଡୁମାସ୍ଥିତ ବାଳାଶ୍ରମର ଅନ୍ତେବାସୀମାନଙ୍କୁ ପୋଷାକ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା।