ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଛକକୁ ପର୍ଶୁରାମ ଛକ ଭାବେ ନାମିତ କରାଯିବା ସହ ସେଠାରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବସାଇବା ପାଇଁ ଆଗରୁ ସ୍ଥିରୀକୃତ ହୋଇଥିଲା। ହେଲେ ସେଠାରେ ସୋମବାର ଅପରାହ୍‌ଣରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ବସାଯାଇଥିବା ଦେଖିବାକୁ ମିଳିଛି। ଏହାର ପ୍ରତିବାଦରେ ସନ୍ଧ୍ୟାରେ ବିଭିନ୍ନ ସଂଗଠନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

Advertisment

ଅଭିଯୋଗ ଅନୁସାରେ, ୨୦୧୯ ମସିହାରେ ହନୁମାନ ଜୟନ୍ତୀ ଅବସରରେ ସ୍ଥାନୀୟ ବ୍ଲକ୍‌ ଛକରେ ଭଗବାନ ପର୍ଶୁରାମଙ୍କ ଫଟୋଚିତ୍ର ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହାକୁ ପର୍ଶୁରାମ ଛକରେ ନାମିତ କରାଯାଇଥିଲା। ଏହା ପରଠାରୁ ପର୍ଶୁରାମ ଜୟନ୍ତୀ ଓ ହନୁମାନ ଜୟନ୍ତୀ ସମୟରେ ଉକ୍ତ ଛକରେ ଭଗବାନ ପର୍ଶୁରାମଙ୍କ ପୂଜାର୍ଚ୍ଚନା କରାଯାଉଥିଲା। ଏହାକୁ ବିଧିବଦ୍ଧ ଭାବେ ପର୍ଶୁରାମ ଛକ ନାମରେ ନାମିତ କରାଯିବା ଓ ସମ୍ପୃକ୍ତ ଛକରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ୧୭ ମେ’ ୨୦୨୨ ତାରିଖ ଦିନ ଏନ୍‌ଏସି ଇଓ, ଉପଜିଲ୍ଲାପାଳ, ବଲାଙ୍ଗୀର ଜିଲ୍ଲାପାଳ, ଲୋକସଭା ସାଂସଦ ଓ ଅନ୍ୟ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ପତ୍ର ଦିଆଯାଇଥିଲା।

ଇତିମଧ୍ୟରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ସରିବାକୁ ବସିଛି। ହେଲେ ହଠାତ୍‌ ସୋମବାର ଅପରାହ୍ଣରେ କିଛି ଲୋକ ସେଠାକୁ ଆସି ଭଗବାନ ପର୍ଶୁରାମଙ୍କ ଫଟୋଚିତ୍ର ଓ ଗୈରିକ ପତାକାକୁ ଚିରିବା ସହ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ବସାଇଥିଲେ। ଏହା ଜଣାପଡ଼ିବା ପରେ ସ୍ଥାନୀୟ ବ୍ରାହ୍ମଣ ଏକତା ମଞ୍ଚ ଆହ୍ବାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଡ୍ରାଇଭର ମହାସଂଘ ଆଦି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁସାରେ ପରେ ଥାନାରେ ଏତଲା ଦିଆଯାଇଛି। ମଙ୍ଗଳବାର ସକାଳେ ଉକ୍ତ ଛକରେ ଧାରଣା ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।