ଭଞ୍ଜବୀର ସୁନାରାମ ସୋରେନଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ଉନ୍ମୋଚିତ, ସୁନାରାମଙ୍କ ନାମରେ ବାରିପଦାରେ ପ୍ରତିଷ୍ଠା ହେବ ସଂସ୍କୃତି ଭବନ

ମୂର୍ତ୍ତି ଉଦ୍‌ଘାଟନ ଆଳରେ ବିଜେଡିର ଶକ୍ତିପ୍ରଦର୍ଶନ

ବାରିପଦା: ବାରିପଦାରେ ଭଞ୍ଜବୀର ସୁନାରାମ ସୋରେନଙ୍କ ନାମରେ ଏକ ସଂସ୍କୃତି ଭବନ ପ୍ରତିଷ୍ଠା ହେବ। ରାଜ୍ୟ ସରକାର ଏହାକୁ ପ୍ରତିଷ୍ଠା କରିବେ। ଆଜି ସୁନାରାମସୋରେନଙ୍କ ଏକ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହା ଘୋଷଣା କରିଛନ୍ତି। ଆଦିବାସୀଙ୍କୁ ଏକାଠି କରିବା, ସେମାନଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ବାସ, କୁସଂସ୍କାରକୁ ଦୂର କରିବା ଏବଂ ଶିକ୍ଷାର ପ୍ରସାର କରିବାରେ ଭଞ୍ଜବୀର ସୁନାରାମ ସୋରେନଙ୍କ ଭୂମିକା ଅନସ୍ବିକାର୍ଯ୍ୟ ଥିଲା ବୋଲି ଉଦ୍‌ଘାଟନ ଭାବେ ଯୋଗଦେଇଥିବା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଭଞ୍ଜପୁର ଛକ ନିକଟରେ ନିର୍ମିତ ଭଞ୍ଜବୀର ସୁନାରାମ ସୋରେନଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଶ୍ରୀ ପାଣିଗ୍ରାହୀଙ୍କ ସମେତ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୋରେନଙ୍କ ୧୦୩ତମ ଜନ୍ମ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆସି ନପାରିବାରୁ ତାଙ୍କ ପକ୍ଷରୁ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଯୋଗଦେଇଥିବା ସେ ପ୍ରକାଶ କରିଥିଲେ ।

ସେହିପରି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ସୋରେନ ଆଦିବାସୀ ସମ୍ପ୍ରଦାୟକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ବ୍ରିଟିଶ୍ ଶାସନ କାଳରୁ କରିଥିବା ଉଦ୍ୟମ ସମ୍ପର୍କରେ ମତ ରଖିଥିଲେ। ତାଙ୍କ ପ୍ରୟାସକୁ ଜାରି ରଖିବା ନିମନ୍ତେ ରାଜ୍ୟ ସରକାର ଶତତ ଯତ୍ନବାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଆଦିବାସୀଙ୍କ ବିକାଶ ପାଇଁ ରହିଥିବା ଉଦ୍ୟମକୁ ସୁଦାମ ପ୍ରଶଂସା କରିଥିଲେ। ଏହି ଅବସରରେ ସୁନାରାମ ସୋରେନ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ତଥା ସୁନାରାମ ସୋରେନଙ୍କ ପୁତ୍ର ସେଙ୍ଗଇ ସିଂ ଚମ୍ପାଇରମ ସୋରେନ, ପୁତ୍ର ବଧୂ, ଝିଆରୀ ଡ଼ାକ୍ତର ଦୁର୍ଗୀ ସୋରେନ ପ୍ରମୁଖ ମଞ୍ଚାସୀନ ଥିଲେ । ସୂଚନା ଯୋଗ୍ୟ ଯେ, ସ୍ୱର୍ଗତ ସୁନାରାମ ସୋରେନ ୧୯୫୧-୫୨ ସାଧାରଣ ନିର୍ବାଚନରେ ଜିଲ୍ଲାର ପ୍ରଥମ ଆଦିବାସୀ ବିଧାୟକ ଭାବେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହେବା ସାଙ୍ଗକୁ ଆଦିବାସୀ ମଙ୍ଗଳ ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ । ଆନ୍ଧ୍ର- ଓଡ଼ିଶା କମିଶନର ସହିତ ବିଧାନ ସଭାରେ ୪ ଥର ପ୍ରତିନିଧିତ୍ୱ କରିଥିଲେ । ଶ୍ରୀ ସୋରେନ ନାରୀ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପ୍ରଥମ କନ୍ୟାଶ୍ରମ ପ୍ରତିଷ୍ଟା କରିଥିଲେ । ଏଥି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଶ୍ରମ ବିଦ୍ୟାଳୟ ମଧ୍ୟ ସ୍ଥାପନ କରିଥିଲେ ।

ବିଜେଡିର ଶକ୍ତି ପ୍ରଦର୍ଶନ
ସୁନାରାମଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଅବସରରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଥିବା ଚର୍ଚ୍ଚା ହେଉଛି। ଆଜିର କାର୍ଯ୍ୟକ୍ରମରେ ବିଜେଡି ନେତା ଏବଂ କର୍ମୀଙ୍କ ପ୍ରାଧାନ୍ୟ ରହିଥିଲା। ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ବିଜେଡିକୁ ଆହୁରି ଅଧିକ ଆଦିବାସୀଙ୍କ ନିକଟତର କରାଇବା ବୋଲି ଚର୍ଚ୍ଚା ଜୋର୍ ଧରିଛି। ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ଭାଦବ ହାଁସଦାଃ, ଗଣେଶ୍ୱର ପାତ୍ର, ପୂର୍ବତନ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଏସ୍ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ବିଜେଡ଼ିର ମୟୂରଭଞ୍ଜ ସଦର ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ପ୍ରିୟବ୍ରତ ମାଝୀ, ଜିତେନ୍ଦ୍ର ମହାନ୍ତି, ଅରୁଣ ବରାଡ଼, ସୁନୀଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର