ଝାରସୁଗୁଡ଼ା ବିମାନ ବନ୍ଦରରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

‘ବୀରଙ୍କ ଜନ୍ମମାଟିକୁ ପର୍ଯ୍ୟଟନ କେନ୍ଦ୍ର କରାଯିବ’

ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିସରରେ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି। ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବିମାନ ବନ୍ଦର ପରିସରରେ ଏହି ୧୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ଉନ୍ମୋଚିତ ହୋଇଛି। ଦିଲ୍ଲୀ ଗାଜିଆବାଦରେ ଏହି ମୂର୍ତ୍ତି ନିର୍ମାଣ ହୋଇଛି। ଏମ୍‌ସିଏଲ୍‌ ପକ୍ଷରୁ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ଏହି ସଭାରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାକୁ ଏକ ପର୍ଯ୍ୟଟନ ସ୍ଥଳୀ କରାଯିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯତ୍ନବାନ ଅଛନ୍ତି ବୋଲି କହିଥିଲେ।

ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଓ ‌ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ‌ଗୋଟିଏ ଦିନରେ ପାଳନ କରାଯାଉଥିବା ବେଳେ ଆଜି ଏହି ଅଞ୍ଚଳରେ ସେ ଯୋଗଦେଇ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଥିଲେ। ଏହି ସଭାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୁଦୃଢ଼ ଓଡ଼ିଶା ଗଠନ ପାଇଁ ଏହି ପବିତ୍ର ଦିନରେ ସମସ୍ତେ ସଂକଳ୍ପ ନେବାକୁ କହିଥିଲେ। ଝାରସୁଗୁଡ଼ା ଏବେ ପଶ୍ଚିମ ଓଡ଼ିଶା ଦ୍ବାର ପାଲଟିଛି। ଏହି ଅଞ୍ଚଳର ବୀର ସୁରେନ୍ଦ୍ର ସାଏ ସ୍ବାଧୀନତା ପାଇଁ ଯେଉଁ ସଂଘର୍ଷ କରିଥିଲେ ତାର ପଟାନ୍ତର ନାହିଁ। ଝାରସୁଗୁଡ଼ା ଆଗାମୀ ଦିନରେ ଓଡ଼ିଶାର ଦ୍ବିତୀୟ ରାଜଧାନୀ ହେବ ଏଥିରେ ସନ୍ଦେହ ନାହିଁ।

ବରଗଡ ସାଂସଦ ସୁରେଶ ପୂଜାରୀ ଏହି ଅଞ୍ଚଳ‌ର ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ଏହି ବିମାନ ବନ୍ଦର ଆନ୍ତର୍ଜାତିକ ବିମାନ ବନ୍ଦର ହେବା ଦୂର ନୁହେଁ ବୋଲି କହିଥିଲେ। କେନ୍ଦ୍ର କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆସିପାରି ନଥିବାରୁ ସେ ତାଙ୍କର ଭିଡିଓ ବାର୍ତ୍ତା ପଠାଇଥ‌ିଲେ।  ଏଥିରେ ଅନ୍ୟମାନଙ୍କ ମଧ୍ୟରେ  ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ତଲସରା ବିଧାୟକ ଭବାନୀ ଭୋଇ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରେଙ୍ଗାଲି ବିଧାୟକ ନାଉରି ନାୟକ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ସମେତ ବିମାନବନ୍ଦର ନିର୍ଦେଶକ କିଶୋର ସେନାପତି, ଏମ୍‌ସିଏଲ୍‌  ବୈଷୟିକ ନିର୍ଦେଶକ ଓ.ପି. ସିଂହ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସରୋଜ ସାମଲ, ଏସପି ବିକାଶ ଚନ୍ଦ୍ର ଦାଶ ତଥା ବିଭିନ୍ନ ସରାକରୀ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର