ପରିତ୍ୟକ୍ତ ଘରୁ ଦେବାଦେବୀଙ୍କ ମୂର୍ତ୍ତି ଉଦ୍ଧାର, ଲୁହା ପେଡ଼ିରେ ତାରାତାରିଣୀ, ନୃସିଂହ, ଦୁର୍ଗା ମୂର୍ତ୍ତି

ପାତ୍ରପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ମୁକୁନ୍ଦପୁର ତରାସିଆ ପାହାଡ଼ ନିକଟ ଏକ ପରିତ୍ୟକ୍ତ ପମ୍ପ୍‌ ହାଉସ୍‌ କୋଠରିରୁ ବହୁ ମୂଲ୍ୟବାନ ମୂର୍ତ୍ତି ଉଦ୍ଧାର ହୋଇଛି। ଉକ୍ତ କୋଠରିରେ ମୂର୍ତ୍ତିଗୁଡ଼ିକ ଦୁଇଟି ଲୁହା ବାକ୍ସରେ ରହିଥିଲା। ମୂର୍ତ୍ତି ଗୁଡ଼ିକ‌ କେଉଁ ଧାତୁରେ ନିର୍ମିତ ତାହା ସ୍ପଷ୍ଟ ଜଣାପଡୁ ନ ଥିବା ବେଳେ ଅଷ୍ଟଧାତୁ ନିର୍ମିତ ବୋଲି କୁହାଯାଉଛି। ଉକ୍ତ ପମ୍ପ ହାଉସଟି ବ‌ମକେଇ ସାମନ୍ତରା ପରିବାରର ଅର୍ଥାତ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ପରିବାରର ବୋଲି ଜଣାପଡିଛି। କୌଣସି ଦୁର୍ବୃତ୍ତ ତାହାକୁ ଚୋରି କରି ଉକ୍ତ ଅବ୍ୟବହୃତ ପମ୍ପ ହାଉସ୍‌ରେ ଲୁଚାଇ ରଖିଥିବା ଅନୁମାନ କରାଯାଉଛି।

ବମକେଇ ସାମନ୍ତରା ପରିବାର କିଛି ଚାଷ ଜମି ମୁକୁନ୍ଦପୁର ତରାସିଆ ପାହାଡ଼ ନିକଟରେ ରହିଛି। ଉକ୍ତ ଜମିକୁ କାମ କରିବା ଲାଗି ଆଜି ବବିନା ଗୌଡ଼ଙ୍କ ସମେତ କିଛି ଶ୍ରମିକ ଯାଇଥିଲେ। ଅପରାହ୍ନରେ ଉକ୍ତ ଚାଷ ଜମିରେ ଏକ ସାପ ବାହାରିଥିଲା। ‌କ୍ଷେତ ନିକଟରେ ରହିଥିବା ପରତ୍ୟକ୍ତ ପମ୍ପ ହାଉସ୍‌ କୋଠରିରେ ସାପଟି ପଶି ଯାଇଥିଲା। ଉକ୍ତ ଶ୍ରମିକମାନେ ସାପକୁ ଖୋଜି ଉକ୍ତ କୋଠାରିକୁ ଯାଇଥିଲେ। ଏହି ସମୟରେ ସେଠାରେ ଦୁଇଟି ଲୁହା ପେଡ଼ି ରହିଥିବା ସେମାନେ ଦେଖିବାକୁ ପାଇଥିଲେ। ପେଡ଼ି ଖୋଲିଲାବେଳେ ସେଥିରେ କିଛି ଦେବଦେବୀଙ୍କ ମୂର୍ତ୍ତି ରହିଥିବା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉକ୍ତ ପେଡ଼ିରେ ତାରାତାରିଣୀ, ହନୁମାନ, ଘୋଡ଼ା, ଦୁର୍ଗା, ନୃସିଂହ ମୂ୍ର୍ତ୍ତି ଆଦି ରହିଥିଲା। ଏଥିସହ ପିତ୍ତଳ ଥାଳି, ଗ୍ଲାସ ଏବଂ ଠାକୁରଙ୍କ ସାଜସଜା ସାମଗ୍ରୀ ମଧ୍ୟ ଥିଲା। ଶ୍ରମିକମାନେ ଉକ୍ତ ମୂର୍ତ୍ତି ଓ ସାମଗ୍ରୀକୁ ନେଇ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାଙ୍କୁ ପ୍ରଦାନ କରିଥିଲେ। ଶ୍ରୀ ସାମନ୍ତରା ସଙ୍ଗେ ସଙ୍ଗେ ଫୋନ କରି ଜରଡା ଥାନାକୁ ଜଣାଇଥିଲେ। ଜରଡ଼ା ପୁଲିସ ପହଞ୍ଚି ଉକ୍ତ ମୂର୍ତ୍ତିଗୁଡ଼ିକୁ ନେଇଥିବା ଜଣାପଡିଛି। ପ୍ରାଥମିକ ତଦନ୍ତରୁ କୌଣସି ଏକ ନୃସିଂହ ମନ୍ଦିରର ଚୋରି ମୂର୍ତ୍ତି ବୋଲି ପୁଲିସ ଅନୁମାନ କରୁଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଜରଡ଼ା ଥାନା ସବ୍‌ ଇନ୍ସପେକ୍ଟର ଗୌରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର