ଇଶାନେଶ୍ୱର ମନ୍ଦିରରୁ ୪ ଅଷ୍ଟଧାତୁ ମୂର୍ତ୍ତି ଚୋରି

୫ଶହ ବର୍ଷ ତଳେ ରାଜା ମୁକୁନ୍ଦଦେବ ପ୍ରତିଷ୍ଠା କରିଥିଲେ
ମଙ୍ଗଳବାର ପୁଲିସ ୧୦ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରିଥିଲା

ପୁରୀ/ଗଡ଼ିଶାଗୋଦା : ପୁରୀ ଜିଲ୍ଲା କଣାସ ବ୍ଲକ୍‌ ଗଡ଼ିଶାଗୋଦା ଥାନା ବକୁ ପଞ୍ଚାୟତ ଶ୍ରୀମୁକୁନ୍ଦପୁର ଗାଁ ଇଶାନେଶ୍ବର ମନ୍ଦିରରୁ ଅଷ୍ଟଧାତୁରେ ନିର୍ମିତ ଦେବବେଦୀଙ୍କ ୪ ମୂର୍ତ୍ତି ଚୋରି ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଶ୍ରୀଜଗନ୍ନାଥ ସଡ଼କଠାରୁ ମାତ୍ର ୧୦ ଫୁଟ ଦୂରରେ ଥିବା ଏହି ମନ୍ଦିରର ମୁଖ୍ୟ ଦ୍ବାର ତାଲା ଭାଙ୍ଗି ପୂଜା ପାଉଥିବା ଅଷ୍ଟଧାତୁରେ ନିର୍ମିତ ଶିବ-ପାର୍ବତୀ ଓ ରାଧା-କୃଷ୍ଣଙ୍କ ପ୍ରତିମୂର୍ତ୍ତିଙ୍କୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ଚୋରି ମୂର୍ତ୍ତି ୫ଶହ ବର୍ଷ ତଳର ଓ ଏହାକୁ ରାଜା ମୁକୁନ୍ଦଦେବ ପ୍ରତିଷ୍ଠା କରିଥିଲେ ବୋଲି ଗାଁ ଲୋକେ କହିଛନ୍ତି। ଆଜି ଚୋରି ଘଟଣା ପ୍ରଚାରିତ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ମୂର୍ତ୍ତି ଚୋରି ସମ୍ପର୍କରେ ଖବର ପାଇ ଆଜି ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ଅନ୍ୟପଟେ ଜିଲ୍ଲା ପୁଲିସ ଏକ ମୂର୍ତ୍ତି ଚୋରି ଗ୍ୟାଙ୍ଗକୁ ଧରିବାର ୧୨ ଘଣ୍ଟା ବିତିଛି କି ନାହିଁ, ପୁଣିଥରେ ଏଭଳି ଚୋରି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଥିରୁ ସ୍ପଷ୍ଟ ଯେ ସ୍ଥାନୀୟ ଅଞ୍ଚଳରେ ମୂର୍ତ୍ତି ଚୋର ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି।

ଇଶାନେଶ୍ବର ମନ୍ଦିର ନିକଟରେ ଅନେକ ଘର ସହ ଦୋକାନବଜାର ରହିଛି। ଗାଁ ଲୋକଙ୍କ କହିବା ମୁତାବକ, ଇଶାନେଶ୍ବର ମନ୍ଦିରର ପୂଜାରୀ ବାଉରିବନ୍ଧୁ ମହାପାତ୍ର ଗତକାଲି ରାତି ପ୍ରାୟ ୮ଟାରେ ମନ୍ଦିର ବନ୍ଦ କରି ଚାଲିଯାଇଥିଲେ। ‌ଆଜି ସକାଳ ମନ୍ଦିରର ଅନ୍ୟ ଜଣେ ପୂଜାରୀ ଲିଙ୍ଗରାଜ ମହାପାତ୍ର ପୂଜା ପାଇଁ ଆସିବାବେଳେ ମନ୍ଦିରର ମୁଖ୍ୟ ଦ୍ବାର ତାଲା ଭଙ୍ଗାଯାଇଥିବା ବେଳେ ମୁଖ୍ୟଦ୍ବାର ତଡ଼ା ଯାଇଥିବା ଦେଖିଥିଲେ। ଗମ୍ଭୀରା ଭିତର ଅନୁଧ୍ୟାନ କଲା ବେଳେ ସିଂହାସନରେ ପୂଜା ପାଉଥିବା ଶିବ-ପାର୍ବତୀ ଓ ରାଧା-କୃଷ୍ଣ ମୂର୍ତ୍ତି ନଥିଲା। ପରେ ସେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ପରେ ସଦର ଏସ୍‌ଡିପିଓ ଶ୍ରୀ ମୁଣ୍ଡ ଓ ଅନ୍ୟ ଅଧିକାରୀମାନେ ଆଜି ମନ୍ଦିର ସ୍ଥିତି ଅନୁଧ୍ୟାନ କରିବା ସହ ଗାଁ ଲୋକଙ୍କୁ ପଚରାଉଚରା କରି ଫେରିଛନ୍ତି। ପାରିପାର୍ଶ୍ବିକ ଅବସ୍ଥାରୁ କେହି ସ୍ଥାନୀୟ ଲୋକ ଏହି ମୂର୍ତ୍ତି ଚୋରି ଗ୍ୟାଙ୍ଗକୁ ସହଯୋଗ କରିଥିବା ପୁଲିସ ଅନୁମାନ କରୁଛି। ଏଣୁ ପୁଲିସ ବିଭିନ୍ନ ଦିଗକୁ ଆଧାର କରି ଅନୁଧ୍ୟାନ କରୁଥିବା ଶ୍ରୀ ମୁଣ୍ଡ କହିଛନ୍ତି।

ସେପଟେ ଶ୍ରୀଜଗନ୍ନାଥ ସଡ଼କରେ ପୂର୍ବରୁ ନିୟମିତ ପ‌ାଟ୍ରୋଲିଂ ହେଉଥିଲା। କିନ୍ତୁ ଗତ କିଛି ଦିନ ହେବ ପାଟ୍ରୋଲିଂ ଠିକ୍‌ରେ ହେଉନଥିବାରୁ ଏଭଳି ଚୋରି ବଢ଼ିଚାଲିଛି ବୋଲି ପୁଲିସ କହୁଛି। ବଡ଼ କଥା ହେଉଛି, ଗତକାଲି ଚନ୍ଦନପୁର ଥାନା ପୁଲିସ ନିମାପଡ଼ାର ଏକ ଦମ୍ପତିଙ୍କୁ ମୂର୍ତ୍ତି ଚୋରି ଘଟଣାରେ ଗିରଫ କରିଥିଲା। ଏମାନଙ୍କଠାରୁ ବହୁ ଅଷ୍ଟଧାତୁରେ ନିର୍ମିତ ୧୦ଟି ମୂର୍ତ୍ତି ବି ଜବତ କରାଯାଇଥିଲା। ଏହାର କେଇ ଘଣ୍ଟା ଭିତରେ ପୁନର୍ବାର ମୂର୍ତ୍ତି ଚୋରି ଘଟଣା ପୁଲିସର ମୁଣ୍ଡବଥା ବଢ଼ାଇ ଦେଇଛି। ଏହି ମୂର୍ତ୍ତି ଚୋରି ଗ୍ୟାଙ୍ଗର ଚେର କେଉଁଠି ରହିଛି, ତାର ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର