ଝାରସୁଗୁଡ଼ା ଜିଲ୍ଲାରେ ଆବାସ ଯୋଜନାର ସ୍ଥିତି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୩ ହଜାର ୫୨୩ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ତାଙ୍କୁ ଗୃହ ଆବଣ୍ଟନ କରାଯାଇ ସାରିଥିବା ଜଣାଯାଇଛି। ଚଳିତ ଆର୍ଥକ ବର୍ଷରେ ନୂଆଁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହେଉଥିବା ବେଳେ ସରକାରଙ୍କ ନୂତନ ନିୟମ ଯୋଗୁଁ ଏବେ ଏହି ଯୋଜନାରେ ଘର ପାଇବା ପାଇଁ ବହୁ ହିତାଧିକାରୀଙ୍କ ନାମ ତାଲିକାରୁ କଟିଯିବାକୁ ଲାଗିଛି। ମଙ୍ଗଳବାର ସୁଦ୍ଧା ଏଥିପାଇଁ ଅଭିଯୋଗ ଦାଖଲ ପାଇଁ ସରକାରୀ ସ୍ତରରେ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ସାରା ଜିଲ୍ଲାରେ ଏଥିପାଇଁ ମୋଟ୍‌ ୬୭୮ଟି ଅଭିଯୋଗ ବିଭିନ୍ନ ମାଧ୍ୟମରେ ପ୍ରାଶାସନର ହସ୍ତଗତ ହୋଇଛି। ଏହି ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧୬ଟି ଅଭିଯୋଗର ତଦନ୍ତ କରି ସେଥିରୁ ୧୨୯ ଜଣ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଆଯାଇଛି।

ଆହୁରି ୪୬୨ ଅଭିଯୋଗର ତଦନ୍ତ ଚାଲିଛି। ଜିଲ୍ଲାରେ ବହୁ ଆଶାୟୀ ହିତାଧିକାରୀ ଏହି ତଦନ୍ତ ବେଳେ ଘର ପାଇବା ମାପଦଣ୍ଡରେ ଅନେକ ଆଶାୟୀ ହିତାଧିକାରୀ ଅଯୋଗ୍ୟ ହେବାର ଆଶଙ୍କା ରହିଛି। ଫଳରେ ଏବେ ଗାଁ ଗାଁରେ ଆବାସ ଯୋଜନାକୁ ନେଇ ଅଶାନ୍ତି ଦେଖା ଦେଇଛି। ଅଭିଯୋଗକୁ ନେଇ ଗାଁ ଗୁଡ଼ିକରେ ପରସ୍ପର ପ୍ରତି ଟାର୍ଗେଟ ମଧ୍ୟ ହେଲାଣି। ହିତାଧିକାରୀ ତାଲିକାରୁ ବାଦ ପଡ଼ିବା ପରେ ଏଥିପାଇଁ ବିବାଦ ଉଗ୍ର ହେବା ସହିତ ଅପ୍ରୀତିକାର ପରିସ୍ଥିତି ସୃ‌ଷ୍ଟିକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ ବୋଲି ଅନେକ କହୁଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ଲକ୍ଷ୍ୟଧାର୍ଯ୍ୟ ନଥିବା ବେଳେ ପୂର୍ବ ବର୍ଷ ମାନଙ୍କୁ ଅନୁମ‌ୋଦନ ହୋଇଥିବା ଜିଲ୍ଲାରେ ମାଟ୍‌ ୪୫୪ ଗୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ଥିବା ବେଳେ ଏଥିରୁ ମୋଟ୍‌ ୫୪ଟି ସଂପୂର୍ଣ୍ଣ ହୋଇଥିବା ବେଳେ ୪ ଶହଟି ଆବାସ ସଂପୂର୍ଣ୍ଣ ହୋଇ ପାରିନଥିଲା।

ଏହି ଅଂସପୂର୍ଣ୍ଣ ନିର୍ମାଣ ମଧ୍ୟରେ ହିତାଧିକାରୀଙ୍କ ମୃତ୍ୟୁ, ହିତାଧିକାରୀ ଦାଦନ ଖଟିଯିବା, ଟଙ୍କା ଖର୍ଚ୍ଚ କରି ଦେଇଥିବା ବା ଅନ୍ୟାନ୍ୟ କାରଣ ଯୋଗୁଁ ଏହା ନିର୍ମିତ ହେବାରେ ଅନ୍ତରାୟ ସୃଷ୍ଟି ହୋଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଅର୍ଥାତ ନିର୍ମାଣ ଅଗ୍ରଗତିରେ ମାତ୍ର ୧୨ ପ୍ରତିଶତ ଆଗେଇଥିବା ଜଣାଯାଇଛି। ଜିଲ୍ଲାରେ ମ‌ୋଟ୍‌ ୪୫୪ ହିତାଧିକାରୀଙ୍କ ମଧ୍ୟରୁ ଝାରସୁଗୁଡ଼ା ବ୍ଲକ୍‌ର ୫୦ ହିତାଧିକାରୀଙ୍କ ମଧ୍ୟରୁ ୪୭ ଜଣ ସଂପୂର୍ଣ୍ଣ କରି ନାହାନ୍ତି। କିର୍ମିରା ବ୍ଲକ୍‌ରେ ୧୨ ହିତାଧିକାରୀଙ୍କ ମଧ୍ୟରୁ ୯ ଜଣ ସଂପୂର୍ଣ୍ଣ କରି ନାହାନ୍ତି। କୋଲାବିରା ବ୍ଲକ୍‌ରେ ୧୮ ହିତାଧିକାରୀଙ୍କ ମଧ୍ୟରୁ ୧୬ ଜଣ ଘର ତିଆରି କରି ପାରି ନାହାନ୍ତି। ଲଇକେରା ବ୍ଲକ୍‌ରେ ୨୧ ହିତାଧିକାରୀଙ୍କ ମଧ୍ୟରୁ  ୧୭ ଜଣ ଘର ତିଆରି କରି ପାରି ନାହାନ୍ତି। ଲଖନପୁର ବ୍ଲକ୍‌ରେ ୩୫୩ ହିତାଧିକାରୀଙ୍କ ମଧ୍ୟରୁ ୩୧୧ ନିର୍ମାଣ କରାଯାଇ ପାରିନଥିବା ଜଣାଯାଇଛି। ଜିଲ୍ଲାରେ ବିଜୁ ପକ୍କାଘର ଯୋଜନାରେ ୨୦୧୮-୧୯ ପରେ ଆଉ କାହାକୁ ଗୃହ ଆବଣ୍ଟନ କରାଯାଇନଥିବା ବେଳେ ପୂର୍ବରୁ ଆବଣ୍ଟନ କରାଯାଇଥିବା ମୋଟ୍‌ ୧୦୭୩ ଜଣ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରାଯାଇଛି। ସେହିପରି ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ମୋଟ୍‌ ୮୪ ଜଣ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦିଆଯାଇଥିବା ବେଳେ ଏହି ଯୋଜନାରେ ୨୦୧୮-୧୯ରୁ ଆଉ କାହାକୁ ଗୃହ ମିଳିନଥିବା ଜଣାଯାଇଛି।

ବ୍ଲକ                   ପ୍ରଧନମନ୍ତ୍ରୀ ଆବାସ                 ବିଜୁପକ୍କା ଘର       ନିର୍ମାଣ ଶ୍ରମିକ ପକ୍କାଘର        ମୋଟ
ଝାରସୁଗୁଡ଼ା              ୩୩୯୨                                  ୨୦୩         ୩୯                                ୩୬୩୪
କର୍ମିରା                     ୩୩୧୮                                 ୧୩୪         ୨୯                                ୩୪୮୧
କୋଲାବିରା              ୨୭୮୬                                  ୧୫୮           ୪                                 ୨୯୪୮
ଲଇକେରା               ୩୬୩୩                                  ୧୪୮            ୯                                 ୩୭୯୦
ଲଖନପୁର               ୧୦୩୯୪                               ୪୩୦            ୩                                 ୧୦୮୨୭
ମୋଟ                      ୨୩୫୨୩                             ୧୦୭୩       ୮୪                                 ୨୪୬୮୦

ସମ୍ବନ୍ଧିତ ଖବର