କୋରାପୁଟ ଜିଲ୍ଲାର ଜଳସେଚନର ସ୍ଥିତି: ଅସଙ୍ଗତି ଦୂର ପାଇଁ ଓରସାକର ସହାୟତା

ଜୟପୁର: ଜିଲ୍ଲାରେ ଥିବା ଚାଷ ଉପଯୋଗୀ ଜମି , ଚାଷ ଉପଯୋଗୀ ଜମି, ଜଳସେଚିତ ଜମି ମଧ୍ୟରେ ଅସଙ୍ଗତି ରହିଛି। ରାଜ୍ୟସରକାର ଗତ ୧୦ବର୍ଷ ହେବ ୩୫ପ୍ରତିଶତରୁ ଉର୍ଦ୍ଧ୍ବ ଜମିକୁ ଜଳସେଚନର ସୁବିଧା ଯୋଗାଇବା ପାଇଁ ନିର୍ବାଚନ ଇସ୍ତାହର ଗୁଡିକରେ ରଖୁଛନ୍ତି। ଜିଲ୍ଲାର ଚାଷୀ କେବେ ୩୫ପ୍ରତିଶତରୁ ଊର୍ଦ୍ଧ୍ବ ଜମିରେ ଜଳସେଚିତ ସୁବିଧା ପାଇପାରିବେ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏଦିଗରେ ରାଜ୍ୟସରକାର ପୁରା ପ୍ରୟାସ ରଥ ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ଉତ୍ତର ଦେଇଥିଲେ।

ସଂପ୍ରତି ଜଳସେଚିତ ଅଂଚଳରେ ଅସଙ୍ଗତି ରହିଥିବା ବି ସରକାର ନିଜେ ଜାଣି ପାରିଛନ୍ତି। ଏହି ଅସଙ୍ଗତିକୁ ଦୁର କରିବା ପାଇଁ ରାଜ୍ୟ ସରକାର ଓରସାକ୍ ର ବୈଷୟିକ ସହାୟତା ନେଇଛନ୍ତି। ଏହା ସହ କୃଷି ବିଭାଗ, ଜଳସମ୍ପଦ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଜନଜାତି କଲ୍ୟାଣ ବିଭମାଗ ଆଦି ସମନ୍ବୟ ରଖି ବିଭିନ୍ନ ଜଳସେଚନ ପ୍ରକଳ୍ପ ଦ୍ବାରା ଚାଷ ପାଇଁ ପାଣି ଯୋଗା ଯାଉଥିବା ଆୟକଟ ଗୁଡିକର ନକ୍ସାର ଡିଜିଟାଇଜେସନ୍ କରାଯାଇ ଜିଆଇସି ଅଧ୍ୟୟନ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।

ଜିଲ୍ଲାରେ ଚାଷ ଜମି ଅଂଚଳ  ୩ଲକ୍ଷ ୧୫୦୦ହେକ୍ଟର ରହିଥିବା ବେଳେ ଏଥିରେ ୨ଲକ୍ଷ ୯୭ହଜାର ୫୫୦ହେକ୍ଟର ଜମି ଚାଷ ଅଂଚଳ ଏବଂ ୧ଲକ୍ଷ ୬୨ହଜାର ୨୯୭ହେକ୍ଟର ଜମି ଜଳସେଚିତ ରହିଛି। ୩୫ପ୍ରତିଶତରୁ ସାମାନ୍ୟ ଅଧିକାରେ ୯ଟି ବ୍ଲକ ରହିଛି।  ବୋରିଗୁମ୍ମା ବ୍ଲକର ୨୮୪୭୨ହେକ୍ଟର, କୋଟପାଡ ବ୍ଲକର ୨୬୩୦୪ହେକ୍ଟର, ଜୟପୁର ବ୍ଲକରେ ୨୧୪୦୯ହେକ୍ଟର, କୁନ୍ଦ୍ରା ବ୍ଲକର ୧୪୧୬୩ହେକ୍ଟର, ସେମିଳିଗୁଡା ବ୍ଲକର ୧୧୧୮୭ହେକ୍ଟର, ବନ୍ଧୁଗାଁ ବ୍ଲକର ୧୦ହଜାର ୧୫୬ହେକ୍ଟର, ଲକ୍ଷ୍ମୀପୁର ବ୍ଲକର ୯୧୦୪ହେକ୍ଟର, ଦଶମନ୍ତପୁର ବ୍ଲକରେ ୭୭୦୨ହେକ୍ଟର, ନାରାୟଣପାଟଣା ବ୍ଲକରେ ୬୬୩୯ହେକ୍ଟର ଜମି ୩୫ପ୍ରତିଶତରୁ ଅଧିକା ଜଳସେଚିତ । ୩୫ପ୍ରତିଶତରୁ କମ୍ ରେ ପଟାଙ୍ଗୀ ବ୍ଲକରେ ୬୦୧୧ହେକ୍ଟର, ବୈପାରୀଗୁଡା ବ୍ଲକରେ ୫୯୪୭ହେକ୍ଟର, କୋରାପୁଟ ବ୍ଲକରେ ୫୭୧୩ହେକ୍ଟର, ଲମତାପୁଟ ୫୦୭୩ହେକ୍ଟର, ନନ୍ଦପୁର ବ୍ଲକ ୪୪୧୭ହେକ୍ଟର ଜମି ଜଳସେଚିତ।

କୋରାପୁଟ ଜିଲ୍ଲା କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଚାଷୀଙ୍କ ଜମିକୁ ଜଳଯୋଗାଣ ବ୍ୟବସ୍ଥା ନ ହେଲେ କିଭଳି ବିଭିନ୍ନ ଚାଷ ହେବ ଏବଂ ଚାଷୀ ମାନେ ଆର୍ଥିକସ୍ତରରେ ସଶକ୍ତ ହୋଇ ପାରିବେ। ରାଜ୍ୟସରକାର ତୁରନ୍ତ ୩୫ପ୍ରତିଶତରୁ ଅଧିକା ଜଳସେଚନ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଥିବା ସରକାରୀ ନଥିପତ୍ରରେ ଦର୍ଶାଯାଉଥିବା ବେଳେ ପ୍ରକୃତରେ ଏହା କାର୍ଯ୍ୟକାରୀ ହେଉଛି ନା ନାହିଁ ସଂଦେହ ବୋଲି କହିଛନ୍ତି ଜୟପୁର ବିଧାୟକ।

ସମ୍ବନ୍ଧିତ ଖବର