ଭୁବନେଶ୍ବର : ଦେଶରେ କର୍ଣ୍ଣାଟକ ଓ ହରିୟାନାରେ ୨ଜଣ ବ୍ୟକ୍ତି ଇନ୍‌ଫ୍ଲୁଏଞ୍ଜା(ଏଚ୍‌୩ଏନ୍‌୨)ରେ ପ୍ରାଣ ହରାଇଥିବା ‌ପରେ ଏହାକୁ ନେଇ ଚିନ୍ତା ବଢ଼ିଛି। ଗତ ୨/୩ମାସ ହେବ ଓଡ଼ିଶାରେ ଥଣ୍ଡା, ଜ୍ବରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନଜରକୁ ଆସିଛି। ହେଲେ ସରକାରୀ ସ୍ତରରେ ଇନ୍‌ଫ୍ଲୁଏଞ୍ଜା ଚିହ୍ନଟ ନେଇ ପରୀକ୍ଷା ହେଉ ନ ଥିବାରୁ ରାଜ୍ୟରେ ଏହାର ସ୍ଥିତି କ’ଣ ରହିଛି ତାହା ଅସ୍ପଷ୍ଟ ରହିଛି। ତେଣୁ ଓଡ଼ିଶାରେ ଇନ୍‌ଫ୍ଲୁଏଞ୍ଜାରେ କାହାର ମୃତ୍ୟୁ ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ। ଆଇସିଏମ୍‌ଆର(ଭାରତୀୟ ମେଡିକାଲ ଗବେଷଣା ପରିଷଦ) ପକ୍ଷରୁ ଯେଉଁ ଗାଇଡଲାଇନ୍‌ ଜାରି କରାଯାଇଛି ତାହାର ଅନୁପାଳନ କରିବା ଲାଗି ରାଜ୍ୟ ସରକାର କହିଛନ୍ତି।

Advertisment

publive-image The Statesman

ଏନ୍‌୩ଏନ୍‌୨ ବା ହଂକଂ ଫ୍ଲୁର ଲକ୍ଷଣ ପ୍ରାୟତଃ କୋଭିଡ ଭଳି ରହିଛି। କାଶ, ଜ୍ବର, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା, ଗଳା ଦରଜ, ଡାଇରିଆ ଓ ଶରୀରରେ ଯନ୍ତ୍ରଣା ହେଉଛି। ‌ସଂକ୍ରମିତ ବ୍ୟକ୍ତିଙ୍କଠାରେ ଜ୍ବର ଛାଡ଼ିଗଲେ ବି ଦୀର୍ଘଦିନ ପର୍ଯ୍ୟନ୍ତ କାଶ ଲାଗି ରହୁଛି। ତେବେ ବୟସ୍କ, ଶିଶୁ, ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା ଘାତକ ହୋଇପାରେ। ନିକଟରେ ଆଇସିଏମ୍‌ଆର ପକ୍ଷରୁ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ବ୍ୟକ୍ତି କ’ଣ ଅନୁପାଳନ କରିବେ ତାହା ସଂପର୍କରେ ସୂଚନା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଏଚ୍‌୩ଏନ୍‌୨କୁ ମିଶାଇ ଇନ୍‌ଫ୍ଲୁଏଞ୍ଜାର ୩୦୩୮ଟି ମାମଲା ଚିହ୍ନଟ ହୋଇଛି। ଏଥିରେ ଜାନୁଆରିରେ ୧୨୪୫, ଫେବ୍ରୁଆରିରେ ୧୩୦୭ ଓ ମାର୍ଚରେ ୪୮୬ଟି ମାମଲା ଆସିଛି। ରାଜ୍ୟରେ ବିଭିନ୍ନ ହସ୍ପିଟାଲ‌କୁ ମଧ୍ୟ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ତେବେ ସେମାନେ ଏଚ୍‌୩ଏନ୍‌୨ରେ ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହୋଇପାରୁନାହିଁ।

ଘାତକ ନୁହେଁ, ଲୋକମାନେ ସତକର୍ତା ଅବଲମ୍ବନ କରନ୍ତୁ : ବିଶେଷଜ୍ଞ
ଆର୍‌ଏମ୍‌ଆର୍‌ସିରେ ୫୯ଟି ଏଚ୍‌୩ଏନ୍‌୨ ଚିହ୍ନଟ

ରାଜ୍ୟରେ ସରକାରୀ ସ୍ତରରେ ମଧ୍ୟ ଏହାର ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଆରଟି-ପିସିଆରରେ ଏଚ୍‌୩ଏନ୍‌୨ର ପରୀକ୍ଷା ହୋଇପାରିବ। ରାଜ୍ୟରେ ମଧ୍ୟ ସବୁ ଜିଲ୍ଲାରେ ଆରଟି-ପିସିଆର ଲ୍ୟାବ୍ ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି। ମାତ୍ର ଏହି ପରୀକ୍ଷା ବ୍ୟୟସାପେକ୍ଷ ହୋଇଥିବାରୁ ସରକାରୀ ସ୍ତରରେ ସେଥିପାଇଁ ଆଗ୍ରହ ପ୍ରକାଶ ପାଉନାହିଁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏଚ୍‌୩ଏନ୍‌୨ କିମ୍ବା ଇନ୍‌ଫ୍ଲୁଏଞ୍ଜାର ଚିହ୍ନଟ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଗାଇଡଲାଇନ୍ ଆସିନାହିଁ। କୋଭିଡ ଏକ ମହାମାରୀ ଘୋଷଣା ହୋଇଥିବା ବେଳେ ଇନ୍‌ଫ୍ଲୁଏଞ୍ଜାକୁ ସେଭଳି କୌଣସି ଘୋଷଣା ହୋଇନାହିଁ। ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି। କେନ୍ଦ୍ରରୁ କୌଣସି ପ୍ରକାର ନିର୍ଦେଶନାମା ଆସିଲେ ତାହା ଅନୁଯାୟୀ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

publive-image

ତେବେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆର୍‌ଏମ୍‌ଆର୍‌ସି)କୁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସନ୍ଦିଗ୍ଧ ନମୁନା ପଠାଯାଉଛି। ସେଠାରେ ପରୀକ୍ଷା ହୋଇଥିବା ନମୁନା ମଧ୍ୟରୁ ୫୯ଟି ଇନ୍‌ଫ୍ଲୁଏଞ୍ଜା ବିଶେଷ କରି ଏଚ୍‌୩ଏନ୍‌୨ ଚିହ୍ନଟ ହୋଇଛି।

ବରିଷ୍ଠ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ଏଚ୍‌୩ଏନ୍‌୨ର ପରୀକ୍ଷା ମୁଖ୍ୟତଃ ଗବେଷଣା ପାଇଁ କରାଯାଇଥାଏ। ଦେଶବ୍ୟାପୀ ଜ୍ବର, କାଶ ଥଣ୍ଡା ମାମଲା ବ୍ୟାପିବା ପରେ ଆଇସିଏମ୍‌ଆର ପକ୍ଷରୁ ଏହାର ପରୀକ୍ଷା କରାଯାଇଥିଲା। ତହିଁରେ ଏଚ୍‌୩ଏନ୍‌୨ ରହିଥିବା ନଜରକୁ ଆସିଥିଲା। ତେବେ ଯେଉଁ ବ୍ୟକ୍ତିମାନେ କୋଭିଡରେ ଆକ୍ରାନ୍ତ ହୋଇଥିବା ଦୀର୍ଘଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ ସେମାନଙ୍କ ପାଇଁ ଏଚ୍‌୩ଏନ୍‌୨ ସମସ୍ୟା ସୃଷ୍ଟି କରିପାରେ। ଏହାସହ ଜଟିଳ ରୋଗ ଥିବା ବ୍ୟକ୍ତିମାନେ ମଧ୍ୟ ଏଥିପାଇଁ ସମ୍ବେଦନଶୀଳ। ତେଣୁ ବୟସ୍କ, ଶିଶୁ, ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିମାନେ ଇନ୍‌ଫ୍ଲୁଏଞ୍ଜାର ଟିକା ନେଇଯିବା ଜରୁରୀ। ଏହି ଇନ୍‌ଫ୍ଲୁଏଞ୍ଜା ଘାତକ ନୁହେଁ। ଆଇସିଏମ୍‌ଆର ପକ୍ଷରୁ ଯେଉଁ ଗାଇଡଲାଇନ୍‌ ଜାରି ହୋଇଛି ତାହାର ଅନୁପାଳନ କରିବା ଉଚିତ୍ ବୋଲି ଡା.ପଣ୍ଡା କହିଛନ୍ତି।