ଭୁବନେଶ୍ବର : ଯେଉଁମାନଙ୍କର କରୋନା ଲକ୍ଷଣ ରହିଛି ସେମାନେ ନିଜକୁ ଆଇସୋଲେଟ୍ ବା ଅଲଗା କରନ୍ତୁ। ମାସ୍କ ପିନ୍ଧିବା ସହିତ, ନିୟମିତ ହାତ ଧୋଇବା ଓ ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ। ଚୀନ୍ ସମେତ ବିଶ୍ବର କିଛି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଭଳି ଭାବେ ଜନସାଧାରଣଙ୍କୁ ସତର୍କ କରାଇଛି। ଶୁକ୍ରବାର ଦିନ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ କୋଭିଡ ପରିଚାଳନା ସଂପର୍କିତ ଚିଠି ଜାରି କରାଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଶୁକ୍ରବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଆସନ୍ତା ମାସରେ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ୍ ଆୟୋଜିତ ହେଉଥିବାରୁ କରୋନାର ଏହା ଉପରେ କ’ଣ ପ୍ରଭାବ ରହିବ ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବିଭାଗ ପକ୍ଷରୁ କୁହାଯାଇଛି ଯେ ନଭେମ୍ବର ମାସ ପରଠାରୁ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ତଳେ ରହୁଛି। ହସ୍ପିଟାଲରେ କୌଣସି ରୋଗୀ ନ ଥିବା ବେଳେ ବର୍ତ୍ତମାନ ୫୪ଜଣ ଚିକିତ୍ସାଧୀନ ରୋଗୀ ଅଛନ୍ତି। ଓଡ଼ିଶାରେ ବିଏଫ୍.୭ ପ୍ରଜାତି ଗତ କିଛିମାସ ତଳେ ଚିହ୍ନଟ ହୋଇଥିଲା। ମାତ୍ର ଏହା କାରଣରୁ ରୋଗୀ କିମ୍ବା ହସ୍ପିଟାଲରେ ଆଡମିସନ୍ରେ କୌଣସି ବୃଦ୍ଧି ହୋଇନାହିଁ। ନୂଆ ଓମିକ୍ରନ୍ ପ୍ରଜାତି ଅଧିକ ମାତ୍ରାରେ ସଂକ୍ରାମକ ଥିବା କୁହାଯାଉଥିଲେ ବି ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଏହାସତ୍ତ୍ବେ ଆଗୁଆ ସତର୍କତା ଅବଲମ୍ବନ କରିବା ଜରୁରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ବିମାନ ବନ୍ଦର ଓ ବନ୍ଦରରେ ନିରୀକ୍ଷଣ କରିବା ଲାଗି କୁହାଯାଇଛି। ତେଣୁ ରାଜ୍ୟ ଆଇଡିଏସ୍ପି ଟିମ୍ ଏଥିପାଇଁ ବନ୍ଦର କର୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିବେ।
ଏସ୍ସିବି, ଏମ୍କେସିଜି ଓ ଭିମସାର ବୁର୍ଲାରେ ୨୦ଟି ଲେଖାଏ ଶଯ୍ୟା ରହିବ। ଏଥିରେ ୧୫ଟି ଅକ୍ସିଜେନ୍ ଓ ୫ଟି ଆଇସିୟୁ ଶଯ୍ୟା ରହିବ। ତେବେ ଯଦି ଆଗକୁ ରୋଗୀଙ୍କ ସଂଖ୍ୟା ବଢ଼େ ଓ ୫୦ ପ୍ରତିଶତ ଶଯ୍ୟାରେ ରୋଗୀ ଭର୍ତ୍ତିହେେଲ ଆହୁରି ୨୦ ଶଯ୍ୟା ବୃଦ୍ଧି ନେଇ ଡିଏମ୍ଇଟିଙ୍କ ଅନୁମୋଦନ ନେବେ। ସେହିପରି ଜିଲ୍ଲା ମୁଖ୍ୟ ଚିକିକିତ୍ସାଳୟରେ ୧୦ଟି ଲେଖାଏ ଶଯ୍ୟା ରହିବ। କୋଭିଡ ବାହାନାରେ କୌଣସି ପ୍ରକାର ସର୍ଜରି, ଡେଲିଭରି ଓ ଅନ୍ୟ ଜରୁରୀ ସ୍ବାସ୍ଥ୍ୟସେବା ବନ୍ଦ କରାଯିବ ନାହିଁ। କୋଭିଡ ରୋଗୀଙ୍କ କିଭଳି ଚିକିତ୍ସା କରାଯିବ ସେଥିପାଇଁ ଆସନ୍ତା ୨୭ତାରିଖରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍ ରାଉରକେଲା ଓ ମେଡିକାଲ କଲେଜରେ ଏକ ମକ୍ଡ୍ରିଲ କରାଯିବ। ଏହାସହ ସବୁ ସ୍ବାସ୍ଥ୍ୟାନୁଷ୍ଠାନରେ ଫିଭର କ୍ଲିନିକ୍ ଜାରି ରହିବ। ହକି ବିଶ୍ବକପ୍ ପାଇଁ ଭୁବନେଶ୍ବର, କଟକ, ରାଉରକେଲାର ସମସ୍ତ ୟୁପିଏଚ୍ସି ଓ ୟୁସିଏଚ୍ସିରେ ଟେଷ୍ଟିଂ ସୁବିଧା ରହିବ। ଉଭୟ ରାପିଡ ଆଣ୍ଟିଜେନ୍ ଓ ଆରଟି-ପିସିଆରର ବ୍ୟବସ୍ଥା କରାଯିବ। କଟକ, ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲକୁ ଅତିରିକ୍ତ ଗାଡ଼ି ମଞ୍ଜୁର କରାଯାଇଛି। ଆସନ୍ତା ୩ମାସ ପାଇଁ ଆବଶ୍ୟକ ପରିମାଣର ଔଷଧ, ଟେଷ୍ଟିଂ କିଟ୍ ରାଜ୍ୟ ଔଷଧ ନିଗମ ପାଖରେ ଉପଲବ୍ଧ ରହିଛି। ଆଗକୁ ଯଦି ସଂକ୍ରମଣ ବଢ଼େ ତାହାଲେ ଏହି ସମୟରେ ଅକ୍ସିଜେନ୍ର ଆବଶ୍ୟକତାକୁ ନେଇ ମଧ୍ୟ ଆଲୋଚନା ହୋଇଛି।
ଅପରପକ୍ଷରେ ରାଜ୍ୟରେ ଏବେ ୧୦ଲକ୍ଷ ଜନସଂଖ୍ୟାରେ ୧୩୪ଜଣଙ୍କ ନମୁନା ପରୀକ୍ଷା ହେଉଛି, ଯାହାକି ଜାତୀୟ ହାର ୧୦୯ ଠାରୁ ଅଧିକ। ୧୫୫୨ ନମୁନା ପରୀକ୍ଷାରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତେଣୁ ଆଇସିଏମ୍ଆର ନିର୍ଦେଶାବଳୀ ଅନୁଯାୟୀ ରାଜ୍ୟରେ ଟେଷ୍ଟିଂ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ଏବେ ଜୀବ ବିଜ୍ଞାନ ପ୍ରତିଷ୍ଠାନ, ଆରଏମ୍ଆରସିରେ ଜିନ୍ ଅନୁଶୀଳନ କରାଯାଉଛି। ତେବେ ଏସ୍ସିବି ମେଡିକାଲ କଲେଜର ବାୟୋକେମିଷ୍ଟ୍ରି ବିଭାଗରେ ଜିନ୍ ଅନୁଶୀଳନ ପାଇଁ ଲ୍ୟାବ୍ ପ୍ରସ୍ତୁତ ହୋଇଛି। ତେଣୁ ଏସ୍ସିବିରେ ଜୀନ୍ ଅନୁଶୀଳନ ପାଇଁ ଏସ୍ସିବି ମେଡିକାଲ କଲେଜ କର୍ତୃପକ୍ଷ ଆଇଏନ୍ଏସ୍ଏସିଓଜିକୁ ଆବେଦନ କରିବେ। ଏବେ ଜିଲ୍ଲାରେ ଚିହ୍ନଟ ହେଉଥିବା ସମସ୍ତ ପଜିଟିଭ୍ ନମୁନାକୁ ଆରଏମ୍ଆରସି ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ପଠାଇବାକୁ ନିର୍ଦେଶ ଦିଆଯାଇଛି।
ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ପୋମା ଟୁଡ଼ୁ, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର, ଡିଏମ୍ଇଟି ଡା. ରମାରମଣ ମହାନ୍ତି, ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ର, ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ, ଡା. ଅମରେନ୍ଦ୍ର ମହାନ୍ତି, ଡା.ସିବିକେ ମହାନ୍ତି, ପ୍ରଫେସର ବିନୋଦ ପାତ୍ର, ପ୍ରଫେସର କୌଶିକ ମିଶ୍ର, ପ୍ରଫେସର ପ୍ରତିମା ସାହୁ, ପ୍ରଫେସର ସଂଘମିତ୍ରା ପତି, ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତି ଓ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।