ଭଣ୍ତାରିପୋଖରୀ/ଭଣ୍ତାରିପୋଖରୀ-୧: ଶ୍ମଶାନରୁ ଶବ ଚୋରି। ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳ ଶ୍ମଶାନରୁ ଶବ ଗାଏବ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ପୂର୍ବରୁ ମଧ୍ୟ ଏଠାରୁ ଅନେକ ଶବ ଗାଏବ ହୋଇଯାଇଛି। କେଉଁ ଉଦ୍ଦେଶ୍ୟରେ ମଶାଣିରୁ ଶବ ଗାଏବ୍ କରାଯାଉଛି ସ୍ପଷ୍ଟ ଜଣାପଡ଼ିନାହିଁ। ତନ୍ତ୍ରମନ୍ତ୍ର କିମ୍ବା ମଣିଷ କଙ୍କାଳ ତସ୍କରି ପାଇଁ ଏଭଳି କରାଯାଉଥିବା ଆଲୋଚନା ହେଉଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହାର ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।
ମଣିନାଥପୁର ଗ୍ରାମର ଶ୍ରୀମନ୍ତ ସାମଲଙ୍କ ପତ୍ନୀ ରୁକ୍ମିଣୀ ସାମଲ(୫୨)ଙ୍କ ଗତ ୧ ତାରିଖ ଦିନ ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ମୃତଦେହକୁ ଗାଁ ପାଖ ବୈତରଣୀ ନଦୀ ନିକଟରେ ଥିବା ସ୍ୱର୍ଗଦ୍ୱାର ଶ୍ମଶାନରେ ପାରମ୍ପରିକ ରୀତି ଅନୁଯାୟୀ ଗାତ ଖୋଳି ପୋତି ଦେଇଥିଲେ। ତେବେ, ଆଜି ଦଶାହ କର୍ମ ପାଇଁ ପୁଅ ତାପସ ଦୀପ ନେଇ ଶ୍ମଶାନକୁ ଯାଇଥିବା ବେଳେ ଗାତ ଖୋଳା ହୋଇଥିବା ଏବଂ ମୃତଦେହ ନଥିବା ଦେଖିବାକୁ ପାଇଥିଲେ। ସମ୍ପର୍କୀୟ ଓ ଗାଁ ଲୋକ ସେଠାରେ ପହଞ୍ଚି ପାଖାପାଖି ଜାଗାରେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଶବ ପୋତା ହୋଇଥିବା ସ୍ଥାନରେ ମଦ ଓ ପାଣି ବୋତଲ ପଡ଼ିଥିବା ବେଳେ ଶବଟିକୁ ଘୋଷାରି ନିଆଯାଇଥିବା ଚିହ୍ନ ରହିଛି।
ଏହାପଛରେ ତନ୍ତ୍ରମନ୍ତ୍ର ରହିଥିବା ସନ୍ଦେହ କରାଯାଉଛି। କେହିକେହି ମଣିଷ କଙ୍କାଳ ତସ୍କରି ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏ ନେଇ ମୃତ ରୁକ୍ମିଣୀଙ୍କ ସ୍ବାମୀ ଶ୍ରୀମନ୍ତ ସାମଲ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି। ତେବେ ଏଯାଏଁ ଥାନାରେ କୌଣସି ଅଭିଯୋଗ ହୋଇନି। ଚର୍ଚ୍ଚାରେ ମଣିନାଥପୁର ମଶାଣି (ବକ୍ସ ହେବ) ୨୦୨୩ରେ ଗାଏବ୍ ହୋଇଥିଲା ୩ ଶବ-ଘଟଣାକୁ ହାଲୁକା ଭାବେ ନେଉଛି ପୁଲିସ୍ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳ ଶ୍ମଶାନରୁ ଶବ ଗାଏବ୍ ହୋଇଯାଉଛି। ଏଠାରେ ୨୦୨୩ ଜୁନ୍ ମାସରେ ୩ଟି ଶବ ଗାଏବ୍ ହେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଗ୍ରାମବାସୀ ଏ ସଂପର୍କରେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ହେଲେ ପୁଲିସ ହାଲୁକା ଭାବେ ନେଇଥିଲା।
ଗ୍ରାମବାସୀଙ୍କ କହିବା ଅନୁସାରେ, ୨୦୨୩ ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ଗ୍ରାମର ଶ୍ରୀକାନ୍ତ ବେହେରା, ଅକ୍ଷୟ ବେହେରା ଓ ଅନନ୍ତ ନାଥଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ଶବକୁ ପାରମ୍ପରିକ ରୀତିନୀତି ଅନୁସାରେ ପୋତା ଯାଇଥିଲା। ତେବେ, ଜୁନ୍ ୨୩ ତାରିଖ ରାତିରେ ଦେଖିଲା ବେଳକୁ ୩ଟି ଶବକୁ ଗାତରୁ କଢ଼ାଯାଇ ଗାଏବ୍ କରାଯାଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ପରେ ତତ୍କାଳୀନ ଏସ୍ପି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ଧାମନଗର ପୁଲିସ ଉପଖଣ୍ତ ଅଧିକାରୀ ତଦନ୍ତ କରିଥିଲେ। ତେବେ, କାରଣ ଜଣାପଡ଼ି ନଥିଲା। ୨୦୧୬ ମସିହାରେ ଶବ ଚୋରି ଭଳି ପ୍ରଥମ ଘଟଣା ସାମନାକୁ ଆସିଥିଲା। ନଦୀରେ ବୁଡ଼ି ପ୍ରାଣ ହରାଇଥିବା ଶିଶୁର ଶବକୁ ପୋତାଯିବାର ଦୁଇମାସ ପରେ ଖୋଳି ନିଆଯାଇଥିଲା। ସେହିବର୍ଷ ଅନାମ ବେହେରାଙ୍କ ପୋତା ଶବକୁ କାଢ଼ି ନିଆଯାଇଥିଲା। ୨୦୧୭ ମସିହାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବସନ୍ତ ଦାସ ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ବାସୁଦେବ ଦାସଙ୍କ ଶବକୁ ମଧ୍ୟ କେହି ଗାତରୁ ବାହାର କରି ନେଇଯାଇଥିଲା। ସେତେବେଳେ ଗୁଣିଗାରେଡ଼ି କିମ୍ବା ଡାକ୍ତରୀ ଶିକ୍ଷା ଉଦ୍ଦେଶ୍ୟରେ ଚୋରି କରାଯାଇ ଥାଇପାରେ ବୋଲି ଚର୍ଚ୍ଚା ହୋଇଥିଲା। ବାରମ୍ବାର ଏହିଭଳି ଘଟଣା ଘଟୁଥିବା ବେଳେ ଏଥିରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ରହୁଥିବା ସନ୍ଦେହ କରାଯାଉଛି। ଅଭିଯୋଗ ହେଲେ ପୁଲିସ ଗୁରୁତ୍ବ ଦେଉନଥିବା ଗ୍ରାମବାସୀ କହିଛନ୍ତି।