ଜାତୀୟ ରାଜପଥ ନିର୍ମାଣରେ ଚୋରା କଳାପଥର, ୨ଶହ ‌କୋଟି ଟଙ୍କାର ଦୁର୍ନୀତି ସନ୍ଦେହ

ଯାଜପୁର/ଚଢେଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହିସିଲ କଳାପଥର କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ପଦାକୁ ଆସିବାରେ ଲାଗିଛି। ଲିଜ୍‌ ଖାଦାନରୁ ଅନୁମତିଠାରୁ ବହୁଗୁଣ ଅଧିକ କଳାପଥର ଖନନ ହୋଇଥିବା ପ୍ରମାଣିତ ହୋଇଛି। ଏହି ବାବଦକୁ ସରକାର ଶହଶହ କୋଟି ଟଙ୍କା ରାଜସ୍ବ ହରାଇଛନ୍ତି। ଏଭଳି ସ୍ଥିତିରେ ଚଣ୍ଡିଖୋଲ ଠାରୁ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ କାମରେ ଚୋରା କଳାପଥର ବ୍ୟବହାର ହୋଇଥିବା ଅଭିଯୋଗ ଉଠିଛି। ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରୁ ଭଦ୍ରକ ୭୦କିମି ରାସ୍ତା ନିର୍ମାଣରେ ୨ଶହ କୋଟି ଟଙ୍କାର ଲଘୁଖଣିଜ ସମ୍ପଦ କେଳେଙ୍କାରୀ ହୋଇଥିବା କୁହାଯାଉଛି।

୨୦୧୭ମସିହାରୁ ଆରମ୍ଭ ହୋଇଥିବା ଏହି ଜାତୀୟ ରାଜପଥ ସଂପ୍ରସାରଣରେ ୪୦ଲକ୍ଷ ଟନ୍‌ କଳାପଥର, ୧୦ଲକ୍ଷ ଟନ୍ ବୋଲଡର ଓ ୧୫ଲକ୍ଷ ଟନ୍ ଓଭରବର୍ଡନ ମାଟି ବ୍ୟବହାର ହୋଇଛି। ଏସବୁ ରାହାଡ଼ପୁର ଓ ବରଡ଼ା ଖାଦାନରୁ ଆସିଛି। ଏହି ରାସ୍ତା କାମ କରୁଥିବା ଡିବିଏଲ୍‌ ଠିକାସଂସ୍ଥା ସହିତ ଖାଦାନ ଲିଜ୍‌ଧାରୀ ପ୍ରହଲ୍ଲାଦ ଲେଙ୍କା କଳାପଥର, ବୋଲଡର ଓ ମାଟି ଯୋଗାଇବା ପାଇଁ ଚୁକ୍ତିନାମା କରିଛନ୍ତି। ଶ୍ରୀ ଲେଙ୍କା ୫ବର୍ଷ ପାଇଁ ଲିଜ୍‌ ନେଇଥିବା ରାହାଡ଼ପୁର ଖାଦାନରୁ ୨ଲକ୍ଷ ୫୦ହଜାର ଘନମିଟର କଳାପଥର ଖନନ ପାଇଁ ଅନୁମତି ପାଇଛନ୍ତି। ସେହିପରି, ବରଡ଼ାରେ ମଧ୍ୟ ଶ୍ରୀ ଲେଙ୍କା ୧ ଲକ୍ଷ ଘନମିଟରରୁ କମ୍ କଳାପଥର ଖନନ ପାଇଁ ଅନୁମତି ପାଇଛନ୍ତି। ତେଣୁ ଡିବିଏଲ୍ ପକ୍ଷରୁ ନିର୍ମାଣ ଚାଲିଥିବା ଜାତୀୟ ରାଜପଥରେ ବ୍ୟବହୃତ ୬୫ଲକ୍ଷ ଟନ କଳାପଥର, ବୋଲ୍‌ଡର୍‌ ଓ ମାଟି ଆସିଲା କେଉଁଠୁ ବୋଲି ପ୍ରଶ୍ନ ହେଉଛି। ଏହି ବାବଦ‌ରେ ପ୍ରାୟ ୨ଶହ କୋଟି ଟଙ୍କା ରାଜସ୍ବ ଲୁଟ୍ ହୋଇଥିବାର ଅଭିଯୋଗ ହେଉଛି।

ଏ ସମ୍ପର୍କରେ ଡିବିଏଲ୍‌ର ପ୍ରୋଜେକ୍ଟ ମ୍ୟାନେଜର ହରିହର ସିଂହ କହିଛନ୍ତି ଜାତୀୟ ରାଜପଥ ନିର୍ମାଣ କାମରେ କୌଣସି ଚୋରା ସାମଗ୍ରୀ ବ୍ୟବହାର କରିନାହାନ୍ତି। ୱାଇ ଫର୍ମ ଅନୁଯାୟୀ ସାମଗ୍ରୀ ବ୍ୟବହାର ହୋଇଛି। ସେହିପରି ଲିଜ୍‌ଧାରୀ ଶ୍ରୀ ଲେଙ୍କା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି‌ ଡିବିଏଲ୍‌ କମ୍ପାନି ସହ ୧୨ଲକ୍ଷ ଟନ୍‌ର ଚୁକ୍ତିନାମା କରିଥିବା ବେଳେ ସେ ୮ଲକ୍ଷ ଟନ କଳାପଥର ଯୋଗାଇଛନ୍ତି। ୨.୫ଲକ୍ଷ ଘନମିଟର ଖନନ ପାଇଁ ଅନୁମତି ଥିବା ବେଳେ ୩ ଲକ୍ଷ ଘନମିଟରର ଅସ୍ଥାୟୀ ପର୍‌ମିଟ(ଟିପି) ରହିଛି। ଯାହାକି ପ୍ରାୟ ୧୧ଲକ୍ଷ ଟନ ସାମଗ୍ରୀ ହେବ ବୋଲି ଶ୍ରୀ ଲେଙ୍କା ଦର୍ଶାଇଛନ୍ତି। ସେ ‌ଅନୁମତି ନେଇ ସାମଗ୍ରୀ ଯୋଗାଇ ଥିବାର କହିଛନ୍ତି। ଜାତୀୟ ରାଜପଥରେ ଚୋରା କଳାପଥର ବ୍ୟବହାର ନେଇ ତଦନ୍ତ ହେଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ବୋଲି ଏକ ପ୍ରଭାବଶାଳୀ ଗୋଷ୍ଠୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର