ପୁରୀ : ଶ୍ରୀମନ୍ଦିର ସୁରକ୍ଷାରେ ପୁଣିଥରେ ଘଳିଆ ଦେଖିବାକୁ ମିଳିଛି। ମାଳମାଳ ପୁଲିସ ପହରା ଭିତରେ ଶ୍ରୀମନ୍ଦିର ହୁଣ୍ଡିରୁ କେହି ଦୁର୍ବୃତ୍ତ ଦାନ ଟଙ୍କା ଚୋରି କରି ନେଇଛି। ସମସ୍ତ ଦାନ ଟଙ୍କା ଚୋରି ପରେ ଏହି ହୁଣ୍ଡିକୁ ବି ଶ୍ରୀମନ୍ଦିର ପରିସରରେ ଫିଙ୍ଗି ପଳାଇଛନ୍ତି ଦୁର୍ବୃତ୍ତ। ଶ୍ରୀମନ୍ଦିର ଦକ୍ଷିଣଦ୍ବାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଏସମ୍ପର୍କରେ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବାକୁ ନିବେଦନ କରିଛନ୍ତି।
ଅନ୍ୟପଟେ ଏହି ହୁଣ୍ଡିରୁ ମାସିକ ୧୨ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଦାନ ଟଙ୍କା ମିଳେ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ଭକ୍ତଙ୍କ ଦାନ ପାଇଁ ଶ୍ରୀମନ୍ଦିର ଚାରିଦ୍ବାରରେ ଦାନ ହୁଣ୍ଡି ଲଗାଯାଇଛି। ଶ୍ରୀମନ୍ଦିର ଦକ୍ଷିଣଦ୍ବାର ଗୁମୁଟରେ ବି ଟିଣର ଏହି ଦାନ ହୁଣ୍ଡି ବହୁଦିନରୁ ବସିଥିଲା। ଶୁକ୍ରବାର ସକାଳେ ଏହି ହୁଣ୍ଡି ନ ଥିବାରୁ ଖୋଜାଖୋଜି ପରେ ମୁକ୍ତିମଣ୍ଡପ ପାଖ ନୃସିଂହ ମନ୍ଦିର ପଛପାର୍ଶ୍ବରୁ ଏହି ହୁଣ୍ଡି ବାକ୍ସ ମିଳିଥିଲା। ଦୁର୍ବୃତ୍ତ ଏହି ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଟଙ୍କା କାଢ଼ି ନେଇଥିବା ଦେଖିବାକୁ ମିଳିଥିଲା। ଜଣେ ଜେଟିପି ଏହି ଦାନବାକ୍ସକୁ ଆଣି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଥିଲେ ବି କେତେ ବେଳେ ଘଟିଛି, ତାହା ସ୍ପଷ୍ଟ ହୋଇପାରିନି। ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଶେଷ ଥର ମେ’ ମାସରେ ଗଣତି ବେଳେ ଏହି ହୁଣ୍ଡିରୁ ୫୨ହଜାର ଟଙ୍କା ବାହାରିଥିଲା। ହାରାହାରି ହିସାବ କଲେ ମାସକୁ ଏହି ହୁଣ୍ଡିରୁ ପ୍ରାୟ ୩୦ହଜାର ଟଙ୍କା ବାହାରେ। ପ୍ରତି ସପ୍ତାହରେ ହୁଣ୍ଡି ଟଙ୍କା ଗଣାଯାଏ। କେଉଁଥର ୨ହଜାର ତ କେଉଁଥର ୫ହଜାର ଅବା ଅଧିକ ଟଙ୍କା ବାହାରେ। ପରମ୍ପରା ଅନୁଯାୟୀ, ରଥଯାତ୍ରା ସମୟରେ ଦଇତାପତି ସେବକମାନେ ଏହି ହୁଣ୍ଡି ଟଙ୍କା ନେଇଥିଲେ। ଶେଷ ଥର ଜୁଲାଇ ୧ ତାରିଖରେ ଏହି ହୁଣ୍ଡି ଗଣାଯାଇଥିଲା। ସେବେଠୁ ଆଉ ଏହି ହୁଣ୍ଡି ଖୋଲାଯାଇନଥିଲା କି ଟଙ୍କା ଗଣାଯାଇନଥିଲା।
ଅନ୍ୟପଟେ ଶ୍ରୀମନ୍ଦିରରେ ମାଳ ପାଳ ପୁଲିସ ପହରା ଦେଉଛନ୍ତି। ଓଏସ୍ଏପି, ଓଡ଼ିଶା ପୁଲିସଙ୍କ ସହ ଶ୍ରୀମନ୍ଦିର ପୁଲିସ ବି ଶ୍ରୀମନ୍ଦିର ଜଗୁଛନ୍ତି। ସମସ୍ତେ ତିନିଟି ପର୍ଯ୍ୟାୟରେ ଡ୍ୟୁଟି କରୁଛନ୍ତି। ୮ ଘଣ୍ଟିଆ ପହରା ଦେଉଛନ୍ତି। ପ୍ରତିଦିନ ରାତିରେ ପହୁଡ଼ ପୂର୍ବରୁ ଶ୍ରୀମନ୍ଦିର ଶୋଧ ହେବାର ବିଧି ରହିଛି। ପୂର୍ବରୁ କେବଳ ଶ୍ରୀମନ୍ଦିର ପୁଲିସ ଶୋଧ କରୁଥିଲେ। ରୋଷଘର ଚୁଲି ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିର ପୁଲିସ ସହ ଓଏସ୍ଏପି ଓ ଓଡ଼ିଶା ପୁଲିସ ବି ଶୋଧ କରୁଛନ୍ତି। ପହୁଡ଼ ପୂର୍ବରୁ ଶ୍ରୀମନ୍ଦିରରୁ ସମସ୍ତ ବ୍ୟକ୍ତିଙ୍କୁ ବାହାର କରୁଛନ୍ତି। ଦକ୍ଷିଣଦ୍ବାରର ଯେଉଁ ଜାଗାରେ ହୁଣ୍ଡିରୁ ଟଙ୍କା ଚୋରି ହୋଇଛି, ସେ ଜାଗାରେ ଜଣେ ଶ୍ରୀମନ୍ଦିର ପୁଲିସଙ୍କ ସହ ଓଏସ୍ଏପି ସବୁଦିନ ପହରା ଦିଅନ୍ତି। ଏତେ ସୁରକ୍ଷା ଭିତରେ ବି କିଏ, କିଭଳି ଦକ୍ଷିଣଦ୍ବାରର ହୁଣ୍ଡିରୁ ଟଙ୍କା ଚୋରି କଲା, ତାହା ଏବେ ସନ୍ଦେହ ସୃଷ୍ଟି କରିଛି। ସିସିଟିଭି ଉପରେ ପୁଲିସ ଭରସା ରଖିଥିଲେ ବି ଏହା କାମ କରୁଛି କି ନାହିଁ, ତାହା ସନ୍ଦେହ ଭିତରେ ରହିଛି।