ଭୋକିଲା ଶ୍ରମିକଙ୍କ ମୁଣ୍ଡ ଉପରେ ମୃତ୍ୟୁର ପାହାଡ଼

ରାଉରକେଲା : ପାଉଁଶ ଗଦାରୁ ଲୁହା ସାଉଁଟିବାକୁ ଯାଇ ଶତାଧିକ ମଲେଣି। ଅନେକ ଦିନ ମଜୁରିଆଙ୍କ ପରିବାର ସେଥିପାଇଁ ଉଜୁଡ଼ି ଯାଇଛି। ତଥାପି ମୃତ୍ୟୁକୁ ଖାତିର ନ କରି ଲୁହା ନେବାକୁ ଆସୁଛନ୍ତି ଶ୍ରମିକ। ରାଉରକେଲା ଇସ୍ପାତ କାରଖାନାର ଏହି ପାଉଁଶ ଗଦା ପଛରେ ଅନେକ ଦୁର୍ଘଟଣାର କାହାଣୀ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୋକଙ୍କର ସେ ଅଭ୍ୟାସ ବଦଳି ନାହିଁ କି ସେମାନଙ୍କୁ ରୋକିବା ଲାଗି କର୍ତ୍ତୃପକ୍ଷଙ୍କର ନିଷ୍ଠା ନାହିଁ। ଏବେ ବି ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥା‌ରେ ଲୁହା ସଂଗ୍ରହ ଚାଲିଛି। କୌଣସି ସମୟରେ ପାଉଁଶ ଗଦା ଭୁଶୁଡ଼ିଲେ ପୁଣି ଅନେକ ଭୋକିଲା ଜୀବନ ମାଟି ତଳେ ଚାପି ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ଶୀତଳପଡ଼ା ଓ ଦେଓଗାଁ ନିକଟରେ ଜମା ହେଉଥିଲା। ଏହି ବର୍ଜ୍ୟବସ୍ତୁ କ୍ରମେ ପାହାଡ଼ ରୂପ ନେଇଥିଲା। ତେବେ ଏହି ବର୍ଜ୍ୟବସ୍ତୁରେ ଲୁହା ଖଣ୍ଡ ଓ ଦରପୋଡ଼ା କୋଇଲା ଥିବାରୁ ବସ୍ତିର ଶ୍ରମିକ ସେଗୁଡ଼ିକୁ ସଂଗ୍ରହ କରି ବିକ୍ରି କରୁଥିଲେ। କ୍ରମେ ଏହି ପାଉଁଶ ଗଦା ଲୋକଙ୍କ ଜୀବିକା ପାଲଟିଥିଲା। ପ୍ରତିଦିନ ଶହ ଶହ ଶ୍ରମିକ ପାଉଁଶ ଗଦାରୁ ଲୁହା ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ। ଏପରିକି କେତେକ ଠିକାଦାର ଶ୍ରମିକଙ୍କୁ ଦୈନିକ ମଜୁରୀ ଦେଇ ଲୁହା ଖଣ୍ଡ ସଂଗ୍ରହ କରି ବିକ୍ରି କରୁଥିଲେ। ଏହି ଲୁହା ସଂଗ୍ରହ ଓ ବିକ୍ରି ସମ୍ପୂର୍ଣ୍ଣ ବେଆଇନ ଥିଲା। ତେଣୁ ଏଭଳି କାର୍ଯ୍ୟକୁ ଆର୍‌ଏସ୍‌ପି ଓ ରାଉରକେଲା ପୁଲିସ ପ୍ରଶାସନ ମଧ୍ୟ ବିରୋଧ କରୁଛନ୍ତି। ତଥାପି ଶ୍ରମିକମାନେ ଲୁଚି ଛପି ପାଉଁଶ ଗଦାରୁ ଲୁହା ଖଣ୍ଡ ସଂଗ୍ରହ କରୁଛନ୍ତି। ଉଭୟ ଶୀତଳପଡ଼ା ଓ ଦେଓଗାଁରେ ଲୁହା ଖଣ୍ଡ ସଂଗ୍ରହ ବେଳେ ପାଉଁଶ ଗଦା ଭୁଶୁଡ଼ି ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି। ପାଉଁଶ ଗଦାରେ ୧୦/୧୨ଟି ବଡ଼ ଦୁର୍ଘଟଣା ଘଟି ଶ୍ରମିକଙ୍କ ଜୀବନ ଯିବାରୁ ଆର୍‌ଏସ୍‌ପି ପ୍ରଶାସନ ଏହି ଦୁଇ ସ୍ଥାନରେ ଆଉ ବର୍ଜ୍ୟବସ୍ତୁ ପକାଯାଉନାହିଁ। ଦେଓଗାଁ ପାଉଁଶ ଗଦାକୁ ସମୁତଲ କରି ଦିଆଯାଇଛି। ହେଲେ ଶୀତଳପଡ଼ାରେ ପାଉଁଶ ଗଦା ଏବେ ବି ଥିବାରୁ ଶ୍ରମିକମାନେ ଲୁହା ସଂଗ୍ରଠ କରୁଛନ୍ତି।

ସମ୍ବନ୍ଧିତ ଖବର