ଝିଅଙ୍କ ହାତରେ ଭାରୀଯାନ ଷ୍ଟିୟରିଂ: ସ୍ବାବଲମ୍ବୀ କରୁଛି ଏଚ୍‌.ଏମ୍‌.ଭି ଇନ୍‌ଷ୍ଟିଚ୍ୟୁଟ୍‌

ଭୁବନେଶ୍ବର:‘‘ତୁ ଝିଅ ପିଲାଟେ, ତୋ ହାତ‌ରେ ଏତେ ତାକତ କାଇଁ ଯେ ଗାଡ଼ି ଚଲେଇବୁ। ସ୍କୁଟି, ଲୁନା ଚଲାଇବା ଅଲଗା କଥା; ବସ୍‌, କାର୍‌, ଟ୍ରକ୍‌: ଏସବୁ କ’ଣ ତୋ ଦେଇ ହେବ‌େ‌, ତୁ ଚଲେଇ ପାରିବୁ? ସେ ସବୁ ଅଣ୍ଡିରିପୁଅଙ୍କ କାମ। ତୁ ସେ ଆଡ଼କୁ ମନ ବଳାନା। ପାଠଷାଠ ଯେତିକି ପଢ଼ିଲୁ, ପଢ଼ିଲୁ। ୨-୪ ବର୍ଷ ପରେ ତୋତେ ହାତକୁ ଦି’ ହାତେ କରିଦେଲେ ଗଲା। ତେଣୁ ସେ ଜିଦି କରନା। ଯଦି କିଛି କରିବାକୁ ଚାହୁଛୁ, ତେବେ ଘରେ ରହି ସିଲେଇ ଶିଖ। ନହେଲେ ଗାଁ ସ୍ବୟଂସହାୟକ ଗୋଷ୍ଠୀ ମହିଳାଙ୍କ ସହ ମିଶି ଧୂପକାଠି, ବଡ଼ି, ପାମ୍ପଡ଼, ଆଚାର ତିଆରି କରିବା ଶିଖେ। ସେଥିରୁ ବି ତୁ ଆତ୍ମନିର୍ଭରଶୀଳ ହୋଇପାରିବୁ।’’ ବସ୍‌, କାର୍‌ ଚଲା ଶିଖି ନିଜକୁ ସ୍ବାବଲମ୍ବୀ କରିବାକୁ ଚାହୁଥିବା ସୁପ୍ରଭାର ସ୍ବପ୍ନକୁ ତା’ ଜେଜେ, ଅଜା, ଦାଦା, ଖୁଡ଼ୀ ହସରେ ଉଡ଼ାଇଦେବା ସହ ତାକୁ ଏମିତି କହି ନିରୁତ୍ସାହିତ କରନ୍ତି। ଏମିତିକି ସାଙ୍ଗସାଥୀମାନେ ବି ତାକୁ ଟାହିଟାପରା କରନ୍ତି। କିନ୍ତୁ ସବୁ ପରେ ବି ସୁପ୍ରଭା ନିଜ ସ୍ବପ୍ନ ଭାଙ୍ଗିବାକୁ ଦିଏନା। ବାପା, ମା’ଙ୍କୁ ବୁଝେଇ ବାଝେଇ ଯାଜପୁର ଜିଲ୍ଲା ଛତିଆଠାରେ ଥିବା ଏଚ୍‌.ଏମ୍‌.ଭି ଡ୍ରାଇଭିଂ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ଯୋଗ ଦିଏ। ଆଉ ମାତ୍ର ମାସକ ମଧ୍ୟରେ ସେ ଜଣେ ଦକ୍ଷ ଗାଡ଼ି ଚାଳକ ପାଲଟିଯାଏ।

କାର୍‌ଠାରୁ ଆରମ୍ଭ କରି ବସ୍‌, ଟ୍ରକ୍‌, ଡମ୍ପର୍‌, ସବୁ ଗାଡ଼ି ଚଲାଇବାରେ ଦକ୍ଷତା ହାସଲ କରେ। ଝିଅ ପିଲାଟେ ଯେ ଗାଡ଼ି ଚଲାଇ ପାରିବନି; ସାଧାରଣରେ ଥିବା ଏ ମାନସିକତାକୁ ଭାଙ୍ଗି ସୁପ୍ରଭା ଏବେ ନିଜ ଲକ୍ଷ୍ୟପଥରେ ଆଗେଇ ଚାଲିଛି। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ତାକୁ ଡ୍ରାଇଭିଂ ଅଫର୍‌ ବି ମିଳୁଛି। ସୁପ୍ରଭାକୁ ଦେଖି ତା’ ସାନ ଭଉଣୀ ଶୁଭଦର୍ଶିନୀ ବି ତାଲିମ୍ ନେଇ ଜଣେ ଦକ୍ଷ ଗାଡ଼ି ଚାଳକ ହୋଇପାରିଛି। ଖାଲି ସୁପ୍ରଭା କି ଶୁଭଦର୍ଶିନୀ ନୁହେଁ, ଝୁନୁ, ରାନୁ, ମିତା, ସ୍ବୟଂପ୍ରଭା; ଏମିତି ବହୁ ଯୁବତୀ ଏବେ ହାଲୁକା ଓ ଭାରୀଯାନ ଚାଳନା କ୍ଷେତ୍ରରେ ନିଜ ସ୍ବପ୍ନ ପୂରଣ କରିପାରୁଛନ୍ତି। ଏସବୁ କେବଳ ସମ୍ଭବ ହୋଇପାରିଛି ରାଜ୍ୟ ସରକାରଙ୍କ ଅନନ୍ୟ ପ୍ରୟାସ ଏଚ୍‌.ଏମ୍‌.ଭି ଡ୍ରାଇଭର୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ।

ଗ୍ରାମୀଣ ଯୁବକ/ଯୁବତୀମାନଙ୍କୁ ରୋଜଗାରକ୍ଷମ କରିବା ତଥା ସେମାନଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ‌ରେ ପିପିପି ମୋଡ୍‌ରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ କଟକ(ଏସ୍‌ଟିଏ) ଓ ଓଡ଼ିଶା ରାଜ୍ୟ ରୋଜଗାର ମିସନ୍‌ ପକ୍ଷରୁ ଏପରି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଅଟୋ ମୋବାଇଲ୍‌ କ୍ଷେତ୍ରରେ ବିଶ୍ବବିଦିତ ଅଶୋକ ଲିଲ୍ୟାଣ୍ଡ କମ୍ପାନି ସହଯୋଗରେ ଓଡ଼ିଶା ସରକାରଙ୍କ ଏହି ପ୍ରୟାସ ୨୩ ଡିସେମ୍ବର ୨୦୧୧ରୁ ଆରମ୍ଭ ହୋଇଥିବା ବେଳେ ପ୍ରତିବର୍ଷ ୫ ହଜାରରୁ ଊର୍ଧ୍ବ ଛାତ୍ରଛାତ୍ରୀଙ୍କୁ ଏଠାରେ ତାଲିମ୍‌ ଦିଆଯାଉଛି। ୩୦ ଦିନିଆ ଏହି କୋର୍ସରେ ଅବଧି ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା‌ରେ କାର୍‌, ବସ୍‌, ଟ୍ରକ୍‌, ଡମ୍ପର୍‌, ହାଇୱା ଭଳି ଉଭୟ ହାଲୁକା ଓ ଭାରୀଯାନ ଚାଳନା ଉପରେ ସଂପୂର୍ଣ୍ଣ ଓ ବିସ୍ତୃତ ତାଲିମ୍‌ ଦିଆଯାଉଛି। ତାଲିମ୍‌ ସରିବା ପରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଉଛି। ଏହାବ୍ୟତୀତ ଏହି କୋର୍ସର ପ୍ରମାଣପତ୍ର ଦେଖାଇ ସେମାନେ ଅନ୍ୟ ବେସରକାରୀ ସଂସ୍ଥାରେ ମଧ୍ୟ ନିଯୁକ୍ତ ହୋଇପାରୁଛନ୍ତି। ଯାଜପୁର ଜିଲ୍ଲା, ଛତିଆସ୍ଥିତ ବିଦ୍ୟାଧରପୁର ଗ୍ରାମରେ ଏହି ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଅବସ୍ଥିତ।
ଇନ୍‌ଷ୍ଟିଚ୍ୟୁଟ୍‌ରେ ମହିଳାମାନଙ୍କୁ ତାଲିମ୍‌ ଦେଉଥିବା ପ୍ରଶିକ୍ଷକ ପୂଜା ବାରିକ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ମହିଳା ଡ୍ରାଇଭର୍‌ଙ୍କ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି ପାଇଛି। ଆହୁରି ଅଧିକ ଯୁବତୀମାନେ ମଧ୍ୟ ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସର ଫାଇଦା ନେଇ ନିଜକୁ ସ୍ବାବଲମ୍ବୀ କରାନ୍ତୁ।

ଏ ସଂପର୍କରେ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ସାଦିକ୍‌ ହୁସେନ୍‌ ସୟଦ୍‌ କହିଛନ୍ତି, ୨୦୧୧ ମସିହାରେ ଏହି ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା ହେବା ପରେ ପରେ କାଁ ଭାଁ ମହିଳା ବା ଛାତ୍ରୀମାନେ ଆସୁଥିଲେ। କିନ୍ତୁ ଗତ ୩/୪ ବର୍ଷ ମଧ୍ୟରେ ଏଥିରେ ଆଶ୍ଚର୍ଯ୍ୟଜନକ ଉନ୍ନତି ପରିଲକ୍ଷିତ ହୋଇଛି। ବହୁ ସଂଖ୍ୟାରେ ଯୁବତୀ ଟ୍ରେନିଂ ପାଇଁ ଆସୁଛନ୍ତି। ଏପର୍ଯ୍ୟନ୍ତ ଆମେ ପାଖାପାଖି ୧୦୦ ଯୁବତୀଙ୍କୁ ଟ୍ରେନିଂ ଦେଇଛୁ। ଟ୍ରେନିଂ ପରେ ଓଡ଼ିଶା ସରକାର ମଧ୍ୟ ସେମାନଙ୍କୁ ପୁଲିସ୍‌, ଟାଟାଷ୍ଟିଲ ଓ ଖଣି କମ୍ପାନିଗୁଡ଼ିକରେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କୁ କ୍ରୁଟ୍‌ ଅଧୀନରେ ମୋ’ ବସ୍‌ ଚଳାଇବା ପାଇଁ ମଧ୍ୟ ଅଫର୍‌ ମିଳୁଛି।

ସମ୍ବନ୍ଧିତ ଖବର