୧୨୫ ହାଇସ୍କୁଲରେ ପ୍ରଚଳିତ ହେବ ‘ଷ୍ଟିମ୍‌ ଫର୍‌ ଗାର୍ଲସ’

ଭୁବନେଶ୍ବର : ରାଜ୍ୟର ୧୨୫ଟି ହାଇସ୍କୁଲରେ ପଢ଼ୁଥିବା ବିଦ୍ୟାର୍ଥୀଙ୍କ ବିଷୟଗତ ଶିକ୍ଷାର ସମୃଦ୍ଧି ପାଇଁ ‘ଷ୍ଟିମ୍‌ ଫର୍‌ ଗାର୍ଲସ’ କାର୍ଯ୍ୟକ୍ରମ ପ୍ରଚଳିତ ହେବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇବିଏମ୍‌ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବୁଝାମଣାପତ୍ର ଅନୁଯାୟୀ, ଆଇବିଏମ୍‌ ସଂସ୍ଥା ୮ମରୁ ୧୦ମ ଶ୍ରେଣୀ ମଧ୍ୟରେ ପଢ଼ୁ୍ଥିବା ପ୍ରାୟ ୨୦ ହଜାର ଛାତ୍ରୀ ଓ ୧୦ ହଜାର ଛାତ୍ରଙ୍କୁ ବିଜ୍ଞାନ, ବୈଷୟିକ, ଇଞ୍ଜିନିୟରିଂ ଓ ଗଣିତ ବିଷୟରେ ଉନ୍ନତ ଜ୍ଞାନକୌଶଳ ଶିକ୍ଷା ପ୍ରଦାନ କରିବ। ଆଇବିଏମ୍‌ ଇଣ୍ଡିଆର ବ୍ୟାବସାୟିକ ସାମାଜିକ ଉତ୍ତରଦାୟିତ୍ବ ବିଭାଗର ଏକ ଉପକ୍ରମ ହେଉଛି ‘ଷ୍ଟିମ୍‌ ଫର ଗାର୍ଲସ’। ଏହା ମାଧ୍ୟମରେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଙ୍କୁ ବୃତ୍ତିଗତ ଶିକ୍ଷା ମାଧ୍ୟମରେ ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହେବାରେ ପଥ ପ୍ରଦର୍ଶକର ଭୂମିକା ଗ୍ରହଣ କରିବ। ଛାତ୍ରଛାତ୍ରୀମାନେ ଡିଜିଟାଲ ସାକ୍ଷର, କୋଡିଂ ଓ ବୈଷୟିକ ଦକ୍ଷତା କୌଶଳ ସଂକ୍ରାନ୍ତରେ ତାଲିମ ଯୋଗାଇ ‌ଦେଇ ଷ୍ଟିମ୍‌ ଶିକ୍ଷା ପ୍ରଣାଳୀ ପ୍ରତି ଆଗ୍ରହ ସୃଷ୍ଟି କରିବ।

ଓପେସା ସଭାଗୃହରେ ଆଜି ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେସା)ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଓ ଆଇବିଏମ୍‌ କର୍ପୋରେଟ୍‌ ସିଟିଜେନ୍‌ସିପ୍‌ର ଭାରତ ଓ ଦକ୍ଷିଣ ଏସିଆ ମୁଖ୍ୟ ରୁମି ମଲ୍ଲିକ ମିତ୍ର ବୁଝ‌ାମଣାପତ୍ର ସ୍ବାକ୍ଷର କରିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ଶାସନ ସଚିବ ଚିତ୍ରା ଅରୁମୁଗମ୍‌, କ୍ବେଷ୍ଟ ଆଲିଆନ୍ସ ପକ୍ଷରୁ ମନୋଜ ପୁତୁର୍‌ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର