କ୍ରାଇମ୍‌ବ୍ରାଞ୍ଚର କଡ଼ା ନିର୍ଦେଶ : ଫୁଟ୍‌ ପାଟ୍ରୋଲିଂ ପାଇଁ ଏସ୍‌ପିଙ୍କୁ ଚିଠି

ଭୁବନେଶ୍ୱର : ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ଓ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ଫୁଟ ପାଟ୍ରୋଲିଂ କରିବାକୁ ନିର୍ଦେଶ ଦେଇଛି କ୍ରାଇମ୍‌ବ୍ରାଞ୍ଚ। କ୍ରାଇମ୍‌ବ୍ରାଞ୍ଚ ଏ ନେଇ ଜିଲ୍ଲା ଏସ୍‌ପି ଓ କମିସନରେଟ ପୁଲିସକୁ ଚିଠି କରିଛନ୍ତି। ଚିଠି ପାଇବା ପରେ କମିସନରେଟ ପୁଲିସ ପକ୍ଷରୁ ଗତ ଦୁଇ ଦିନ ହେବ ରାଜଧାନୀର ବିଭିନ୍ନ ସ୍ଥାନରେ ଫୁଟ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି। ଅନ୍ୟ ଜିଲ୍ଲା ପୁଲିସମାନେ ମଧ୍ୟ ଖୁବ୍‌ ଶୀଘ୍ର ଫୁଟ ପାଟ୍ରୋଲିଂ ଆରମ୍ଭ କରିବେ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଗୃହରକ୍ଷୀମାନେ ବିଳମ୍ବିତ ରାତିରେ ଫୁଟ୍‌ ପାଟ୍ରୋଲିଂ କରୁଥିଲେ। ଏବେ ଗୃହରକ୍ଷୀମାନେ ଆଉ ଫୁଟ ପାଟ୍ରୋଲିଂ କରୁ ନାହାନ୍ତି। ତା’ ବଦଳରେ ପୁଲିସ ଏବେ ଜିପ କିମ୍ବା ବଲେରୋରେ ପାଟ୍ରୋଲିଂ କରୁଛନ୍ତି। ତେବେ ଏହାର ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ପଡ଼ୁଛି ସତ କିନ୍ତୁ ପୁଲିସ ଗାଡ଼ିକୁ ଦୂରରୁ ଦେଖି ଅନେକେ ଛତ୍ରଭଙ୍ଗ ଦେଉଛନ୍ତି। ପୁଲିସ କେବଳ ବାଧ୍ୟବାଧକତାରେ ପାଟ୍ରୋଲିଂ ନାଁରେ ମୁଖ୍ୟ ରାସ୍ତାରେ ଗାଡ଼ିରେ ଘୂରି ଆସୁଛି। ଗଳିକନ୍ଦିକୁ ଜିପ୍‌ ଓ ବୋଲେରୋ ମଧ୍ୟ ପ୍ରବେଶ କରି ପାରେ ନାହିଁ।

କିନ୍ତୁ ଫୁଟ ପାଟ୍ରୋଲିଂ ପୁଲିସକୁ ବିଶେଷ ସଫଳତା ଦେବ। ଫୁଟ ପାଟ୍ରୋଲିଂ ଏକ ପୁଲିସ ମାର୍ଚ ଭଳି ହେବ। ଏଥିରେ ସମୟ ସୁଯୋଗ ଦେଖି ଇନ୍ସପେକ୍ଟର, ଏସ୍‌ଆଇ, ଏଏସ୍‌ଆଇ, ହାବିଲଦାର ଓ କନଷ୍ଟେବଲ ପ୍ରମୁଖ ସାମିଲ୍‌ ହେବେ। ବିଶେଷକରି ରାଜ୍ୟର ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, କଟକ, ରାଉରକେଲା, ବାଲେଶ୍ୱର, ସମ୍ବଲପୁର ସହର ଗଳିକନ୍ଦିରେ ଏଭଳି ଫୁଟ ପାଟ୍ରୋଲିଂ କରିବାକୁ ନିର୍ଦେଶ ହୋଇଛି। ଗଳିକନ୍ଦିରେ ପୁଲିସ ଫୁଟ ପାଟ୍ରୋଲିଂ କରିବା ଦ୍ୱାରା ଚୋରି, ସିନ୍ଧିଚୋରି ଓ ଲୁଟ ଭଳି ଅପରାଧ ମଧ୍ୟ ହ୍ରାସ ପାଇ ପାରିବ ବୋଲି କ୍ରାଇମ୍‌ବ୍ରାଞ୍ଚର ଉକ୍ତ ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି। ଫୁଟ ପାଟ୍ରୋଲିଂରେ ଯାଉଥିବା ଅଧିକାରୀମାନେ ମଧ୍ୟ ସିଧାସଳଖ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସିପାରିବେ। କିଏ କେଉଁ ଘରେ ରହୁଛି, କ’ଣ କରୁଛି, କଲୋନିକୁ କିଏ ନୂଆ ଲୋକ ଆସିଲା, ତାହା ମଧ୍ୟ ଜାଣିପାରିବେ। ଏହା ଦ୍ୱାରା ସେମାନଙ୍କ ଅଞ୍ଚଳରେ ଘଟୁଥିବା ଛୋଟମୋଟ ଅପରାଧ ଓ ଅପରାଧୀମାନଙ୍କ ସମ୍ପର୍କରେ ମଧ୍ୟ ଖବର ପାଇପାରିବେ। ସେହି ଖବର ସେମାନେ ତୁରନ୍ତ ଥାନାଧିକାରୀଙ୍କ ସହ ଆଲୋଚନା କରିବେ। ଫଳରେ କିଛି ବଡ଼ ଅପରାଧ ଘଟିବା ପୂର୍ବରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ଅନ୍ୟ ପକ୍ଷରେ କମିସନରେଟ ପୁଲିସର ଜଣେ ଅଧିକାରୀ କହିଛନ୍ତି, ତତ୍କାଳୀନ ଡିସିପି ସତ୍ୟବ୍ରତ ଭୋଇ ମଧ୍ୟ ଫୁଟ ପାଟ୍ରୋଲିଂ ବ୍ୟବସ୍ଥା ଲାଗୁ କରାଇଥିଲେ। ବିଶେଷକରି ସଂଧ୍ୟାରୁ ରାତି ଯାଏ ଏଭଳି ଫୁଟ ପାଟ୍ରୋଲିଂ ହେଉଥିଲା। କିନ୍ତୁ କର୍ମଚାରୀ ଅଭାବ କାରଣରୁ ଏହା ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର