ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି

ଭୁବନେଶ୍ବର : ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଆଇନ ଗତବର୍ଷ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ବଳବତ୍ତର ହୋଇଛି। ଏ ସମ୍ବନ୍ଧୀୟ ସଂପୃକ୍ତ ଅଧିନିୟମର ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ଅଗ୍ରଗତି ପାଇଁ ନିୟମିତ ବୈଠକ କରାଯାଇଛି ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି। ବିଶ୍ବବିଦ୍ୟାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି, ଚଳିତମାସ ୫ ତାରିଖରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଇଛି। ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ଜଣେ ସ୍ବତନ୍ତ୍ର କାର୍ଯ୍ୟରତ ଅଧିକାରୀ(ଓଏସ୍‌ଡି)ଙ୍କ ସହିତ ୩ଜଣ ପରାମର୍ଶଦାତାମାନଙ୍କୁ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ସୁପରିଚାଳନା ପାଇଁ କାର୍ଯ୍ୟଭାର ନ୍ୟସ୍ତ କରାଯାଇଛି। ଏହାସହିତ ଅନ୍ୟାନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଆଉଟସୋର୍ସିଂ ମାଧ୍ୟମରେ ନିୟୋଜନ କରାଯାଇଛି। ଭୁବନେଶ୍ବର ୟୁନିଟ୍‌-୬ ଗଙ୍ଗନଗର ମୌଜାରେ ଥିବା ୫ଏକର ପରିମିତି ସରକାରୀ ଜମିକୁ ସ୍ବାସ୍ଥ୍ୟ ବିଭାଗକୁ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ପାଇଁ ଆଦେଶ ପ୍ରଦାନ କରାଯାଇଛି। ଶିଶୁଭବନ ଛକ ନିକଟସ୍ଥ ପୁରୁଣା ସିଏମ୍‌ଜିଆଇ କୋଠାକୁ ନବୀକରଣ କରାଯାଇ ଏହି କୋଠାରେ ସାମୟିକ ଭାବେରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟାଳୟ ଚାଲୁଛି।

ସମ୍ବନ୍ଧିତ ଖବର