ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷକଙ୍କ ଟିକାକରଣ ପାଇଁ ପଦକ୍ଷେପ ନିଆଯାଉ: କଂଗ୍ରେସ

ଭୁବନେଶ୍ବର : ଆସନ୍ତା ୨୬ତାରିଖରେ ରାଜ୍ୟ ସରକାର ୧୦ମ ଓ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ଯାଉଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ନେଇ ଯଥେଷ୍ଟ ଧ୍ୟାନ ଦିଆଯାଇ ନାହିଁ। ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ମଧରୁ ଏ ପର୍ଯ୍ୟନ୍ତ ୬୦ଭାଗ ପ୍ରଥମ ଡୋଜ୍ ନେଇଥବା ବେଳେ ୪୦ ଭାଗ ଦ୍ବିତୀୟ ଡୋଜ ନେଇଛନ୍ତି। ଶିକ୍ଷକ ଓ କର୍ମଚାରୀମାନେ କରୋନା ମହାମାରୀରୁ ସୁରକ୍ଷିତ ନୁହନ୍ତି। ତେଣୁ ରାଜ୍ୟ ସରକାର ସ୍କୁଲ ଖୋଲିବା ପୂର୍ବରୁ ଟିକାକରଣ ନେଇ ତୁରନ୍ତ ପଦେକ୍ଷପ ନେବାକୁ ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ, ଗତବର୍ଷ ମହାମାରୀ ଆରମ୍ଭରୁ ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ଅନ୍‌ଲାଇନ ପାଠପଢ଼ା ଏକ ପ୍ରହସନ ପାଲଟିଛି। ନିଜେ ଗଣଶିକ୍ଷା ମନ୍ତ୍ରୀ ମାତ୍ର ୩୨ ପ୍ରତିଶତ ପିଲା ଅନ୍‌ଲାଇନ ପାଠ୍ୟକ୍ରମରେ ସାମିଲ ହୋଇପାରିଥିବା ସ୍ବୀକାର କରିଛନ୍ତି। ସେହିପରି ରାଜ୍ୟର ୧୪ହଜାର ସ୍କୁଲକୁ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ଲାଗି ସରକାର ଯୋଜନା କରିଛନ୍ତି। ଏହା ପ୍ରକୃତରେ ମିଶ୍ରଣ ନୁହେଁ, ସ୍କୁଲ ବନ୍ଦ ଯୋଜନା। ଏହାଦ୍ବାରା ଡ୍ରପଆଉଟ ସମସ୍ୟାକୁ ଏହା ଅଧିକ ଘନୀଭୂତ କରିବ। ଶିକ୍ଷକମାନଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ଦେବା ସହିତ କରୋନାରେ ପ୍ରାଣ ହରାଇଥିବା ୩ହଜାରରୁ ଅଧିକ ଶିକ୍ଷକମାନଙ୍କୁ ଅନୁକମ୍ପା ସହାୟତା ଦିଆଯାଉ ବୋଲି ଶ୍ରୀ ଦାସ ଅନୁରୋଧ କରିଛନ୍ତି।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍ କହିଥିଲେ, କୋରାପୁଟରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ୧୪ଟି ବିଭାଗରେ ସମୁଦାୟ ୧୭ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଅଛନ୍ତି। ଅନୁମୋଦିତ ୧୫୪ ପଦବିରୁ ୧୩୭ ଖାଲି ପଡ଼ିଛି। ତେଣୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆବଶ୍ୟକ ପଦବି ପୂରଣ କରନ୍ତୁ। ଏହାସହ ରାଜ୍ୟରେ ଘରୋଇ ସ୍କୁଲ ମାଲିକ ଓ ସରକାରଙ୍କ ମଧୁଚନ୍ଦ୍ରିକା ପାଇଁ ସ୍କୁଲ ଫି’ ଛାଡ଼ ପାଇଁ କୋର୍ଟଙ୍କ ନିର୍ଦେଶକୁ ରାଜ୍ୟ ସରକାର ପାଳନ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଘରୋଇ ସ୍କୁଲ ମାଲିକଙ୍କ ଶୋଷଣ ବିରୋଧରେ ଆଗାମୀ ଦିନରେ ସବୁ ଘରୋଇ ସ୍କୁଲ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ନୱାଜ୍ କହିଛନ୍ତି।

ସମ୍ବନ୍ଧିତ ଖବର