କଟକ: କଟକ ବଡ଼ଡାକ୍ତରଖାନା ଶବ ସଂରକ୍ଷଣ ଗୃହରେ ଅଚିହ୍ନା ଶବ ରଖିବାକୁ ହେଉଥିବା ସମସ୍ୟାର ସମାଧାନ ହେବାକୁ ଯାଉଛି। ବର୍ତ୍ତମାନ ମାତ୍ର ୮ଟି ଫ୍ରିଜର୍ ଥିବାବେଳେ ଆଉ ୧୦ଟି ନୂଆ ଫ୍ରିଜର୍ ଆସିବ। ଫଳରେ ଶବ ସଂରକ୍ଷଣ ଗୃହରେ ଏକକାଳୀନ ୩୬ଟି ଶବ ରଖାଯାଇପାରିବ। ଯଦି କୌଣସି ଶବର ପରିଚୟ ସ୍ପଷ୍ଟ ନହୁଏ ତେବେ ଶବ ସଂରକ୍ଷଣ ଗୃହର ଫ୍ରିଜର୍ରେ ସର୍ବାଧିକ ୯୬ ଘଣ୍ଟା ଅର୍ଥାତ୍ ୪ ଦିନ ପର୍ଯ୍ୟନ୍ତ ଶବ ରଖିବାର ନିୟମ ରହିଛି। ଅନ୍ୟପଟେ ମୃତକଙ୍କ ଦୂରରେ ଥିବା ସମ୍ପର୍କୀୟ ପହଞ୍ଚିବା ବିଳମ୍ବ ହେଲେ କିମ୍ବା ଅପରାହ୍ଣ ୫ଟା ପରେ ଶବ ପହଞ୍ଚିଲେ, ସେଭଳି କ୍ଷେତ୍ରରେ ମଧ୍ୟ ଶବ ଫ୍ରିଜର୍ରେ ଅସ୍ଥାୟୀ ଭାବେ ରଖାଯାଇଥାଏ। ୨୦୧୬ ମାର୍ଚ୍ଚରୁ ବଡ଼ଡାକ୍ତରଖାନାରେ ଆରମ୍ଭ ହୋଇଥିବା ୮ଟି ଫ୍ରିଜର୍ ବିଶିଷ୍ଟ ସଂରକ୍ଷଣ ଗୃହରେ ଶବ ତୁଳନାରେ ଅନେକ ସମୟରେ ଫ୍ରିଜର ନିଅଣ୍ଟ ପଡ଼ିଥାଏ।
ଏକକାଳୀନ ରହିପାରିବ ୩୬ ଅଚିହ୍ନା ଶବ
ଏହି ଫ୍ରିଜର୍ ଉପରେ କଟକ ସହର ଓ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସ ସମେତ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପୁଲିସ ବି ନିର୍ଭର କରିଥାଏ। ଏହି ଜିଲ୍ଲାଗୁଡ଼ିକରୁ ଆସୁଥିବା ଅଚିହ୍ନା ଶବ ବଡ଼ଡାକ୍ତରଖାନାରେ ସଂରକ୍ଷଣ ହେଉଛି। କେବଳ କଟକ ଜିଆର୍ପି ଥାନାରୁ ବର୍ଷକୁ ପ୍ରାୟ ୧୫୦ ଶବ ଆସୁଥିବା ବେଳେ ଏଥିରୁ ୪୦ ପ୍ରତିଶତ ପଚାସଢ଼ା ରହୁଛି। ଏହାକୁ ଫ୍ରିଜର୍ରେ ରଖିବା ଆବଶ୍ୟକ। ବାହାନଗା ରେଳ ଦୁର୍ଘଟଣା ବେଳେ ଶବ ରଖିବା ବି ବଡ଼ଡାକ୍ତରଖାନା ପାଇଁ ବଡ଼ ଆହ୍ବାନ ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିର ମୁକାବିଲା କରିବା ପାଇଁ ଅତିରିକ୍ତ ୧୦ଟି ନୂଆ ଫ୍ରିଜର୍ ଓଡ଼ିଶା ରାଜ୍ୟ ମେଡିକାଲ୍ ନିଗମ ଲିମିଟେଡ୍(ଓଏସ୍ଏମ୍ସିଏଲ୍) ପକ୍ଷରୁ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରତି ଫ୍ରିଜରରେ ଦୁଇଟି ଶବ ରହିବାର ବ୍ୟବସ୍ଥା ରହିଛି। ଓଏସ୍ଏମ୍ସିଏଲ୍ ନିକଟରେ ବିକ୍ରି ଆଦେଶ ଦେଇସାରିଥିବା ବେଳେ ଏଥିପାଇଁ ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟ ଅଟକଳ କରାଯାଇଛି। ଅନ୍ୟପଟେ ପୂର୍ବରୁ ଚାରିଟି ଷ୍ଟ୍ରେଚର ଶବ ବ୍ୟବଚ୍ଛେଦ ଗୃହରେ ଥିଲା। ଏବେ ଅତିରିକ୍ତ ଚାରିଟି ଷ୍ଟ୍ରେଚର୍ ଏଫ୍ଏମ୍ଟି ବିଭାଗକୁ ଯୋଗାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/10/sfsfsfccxxc-2025-08-10-03-15-36.jpg)