ଭୁବନେଶ୍ବର: ନ୍ୟାସନାଲ୍‌ କାଉନସିଲ୍‌ ଫର୍‌ ଏଡୁକେସନ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନ୍‌ସିଇଆର୍‌ଟି) ନାଁରେ ପ୍ରସ୍ତୁତ ନକଲି ପାଠ୍ୟପୁସ୍ତକ ବଜାରରେ ବିକ୍ରି ହେଉଛି। ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଘରୋଇ ପ୍ରକାଶନୀ ସଂସ୍ଥାଗୁଡ଼ିକ ଏଭଳି ବହି ଛାପି ବଜାରକୁ ଛାଡ଼ୁଛନ୍ତି। ବିନା ଅନୁମତିରେ ଏନ୍‌ସିଇଆର୍‌ଟିର ଲୋଗୋ ଲଗାଉଥିବାରୁ ପାଠ୍ୟପୁସ୍ତକଟି ଅବିକଳ ଏନ୍‌ସିଇଆର୍‌ଟି ବହି ଭଳି ଦିଶୁଛି। ମାତ୍ର ପୁସ୍ତକ ଭିତରେ କିଛି ବିଷୟବସ୍ତୁ ଭିନ୍ନ ରହିବା ସହ ଦର ଅଧିକ ରହୁଛି। ତା’ସତ୍ତ୍ବେ ମଧ୍ୟ ଅଭିଭାବକମାନେ ଏହାକୁ ଜାଣି ନ ପାରି ବିନା ଦ୍ବିଧାରେ ପିଲାଙ୍କୁ ଯୋଗାଇ ଦେଉଛନ୍ତି। ଏହା ଦ୍ବାରା କେବଳ ଯେ ଏନ୍‌ସିଇଆରଟିର ଆର୍ଥିକ କ୍ଷତି ହେଉଥିବା ବେଳେ ଖରାପ କାଗଜ ଓ କାଳିର ପ୍ରଭାବ ପିଲାଙ୍କ ଉପରେ ପଡ଼ୁଛି।

Advertisment

ପରୀକ୍ଷାମୂଳକ ଭାବେ ୧୦ ଲକ୍ଷ ବହିରେ ଲାଗିଛି

ସାରା ଦେଶରୁ ଏଭଳି ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗତ ୧୪ ମାସ ମଧ୍ୟରେ ପ୍ରାୟ ୨୦ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ, କାଗଜ ଓ ଛପା ମେସିନ୍‌ ଜବତ ହୋଇଛି। ଗତ ମାସରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଚଢ଼ଉ କରାଯାଇ ପ୍ରାୟ ଦୁଇ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି ବହି ଜବତ କରାଯିବା ସହ ୮ ଜଣଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ୨୯ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ପ୍ରିଣ୍ଟର୍‌, ପବ୍ଲିସର ଓ ରିଟେଲରମାନେ ମଧ୍ୟ ଗିରଫ ହୋଇଛନ୍ତି। ଘରୋଇ ପ୍ରକାଶନୀ ସଂସ୍ଥାଗୁଡ଼ିକ ଖରାପ କାଗଜ ଓ କାଳିରେ ପୁସ୍ତକ ପ୍ରସ୍ତୁତ କରୁଥିବାରୁ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଥିବା ଏନ୍‌ସିଇଆର୍‌ଟି ପକ୍ଷରୁ କୁହାଯାଇଛି।

ନକଲି ବଜାରକୁ ରୋକିବା ଦିଗରେ ଏନ୍‌ସିଇଆର୍‌ଟି ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆଇଆଇଟି କାନପୁର ଦ୍ବାରା ଏକ ‘ଆଣ୍ଟି-ପାଇରାସି ସଲ୍ୟୁସନ୍‌’ର ଉଦ୍ଭାବନ ହୋଇଛି। ଏବେ ସୁଦ୍ଧା ୧୦ଲକ୍ଷ ଏନ୍‌ସିଇଆର୍‌ଟି ବହି ଉପରେ ଏହି ଟେକ୍ନୋଲୋଜି ଜରିଆରେ ପରୀକ୍ଷାମୂଳକ ଭାବେ ଆଣ୍ଟି-ପାଇରାସି ବ୍ୟବସ୍ଥା ଲାଗୁ ହେଉଛି। ଆସନ୍ତା ଶିକ୍ଷାବର୍ଷ ସୁଦ୍ଧା ସମସ୍ତ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକକୁ ଏହି ଆଣ୍ଟି-ପାଇରାସି ସଲ୍ୟୁସନ୍‌ ବ୍ୟବସ୍ଥାରେ ପ୍ରିଣ୍ଟ ହେବ। ପୁରୁଣା ୱାଟର୍‌ ମାର୍କ ବା ଜଳଛବି ଥିବା କାଗଜରେ ନକଲି ବହି ପ୍ରସ୍ତୁତ ହେଉଥିବାରୁ ତାହାକୁ ପରିବର୍ତ୍ତନ କରା‌ଯିବ। ସାରା ଦେଶକୁ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ଯୋଗାଇ ଦେଉଥିବା ବେଳେ ଏହାର ମଧ୍ୟ କପିରାଇଟ୍‌ ରହିଛି। ତା’ସତ୍ତ୍ବେ ଲଗାତାର ଭାବେ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକର କଳାବଜାରି ଜାରି ରହିଛି। ସୂଚନା ଅନୁଯାୟୀ ୧୯୬୩ରୁ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ଛାପୁଛି। ପ୍ରାୟ ୨୨୦ କୋଟି ବହି ଓ ପତ୍ରିକା ଏନ୍‌ସିଇଆର୍‌ଟି ଛାପି ସାରିଲାଣି। ପ୍ରତିବର୍ଷ ୧୫ କୋଟି ବହି ଏନ୍‌ସିଇଆର୍‌ଟି ଦ୍ବାରା ଛପାଯାଇ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଛି। ଆମାଜନ୍‌ରେ ଯେପରି ଏନ୍‌ସିଇଆର୍‌ଟିର ସମସ୍ତ ପୁସ୍ତକ ମିଳିବ ସେଥନେଇ ୨୦୨୪ରୁ ଆମାଜନ୍‌ ସହ ବୁଝାମଣା ହୋଇଛି।