କୁଇ ଭାଷା ଓ ଗୁଡ଼ହାଣ୍ଡି ଗବେଷଣା ଉପରେ ପଦକ୍ଷେପ ନିଆଯିବ: କୁଳପତି

ଭବାନୀପାଟଣା : କଳାହାଣ୍ଡି ବିଶ୍ବବିଦ୍ୟାଳୟ ପକ୍ଷରୁ କୁଇଭାଷାର ଗବେଷଣା ତଥା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଉପରେ ଗବେଷଣା ପାଇଁ ପଦକ୍ଷେପ ନିଆଯିବ। ସେହିଭଳି ଆଶାସାଗର ଉପରେ ଅଧିକ ଗବେଷଣା ସହ ପୋଷ୍ୟପୋଖରୀ ପାଇଁ ପ୍ରସ୍ତାବ ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ଡ. ସଂଜୟ ଶତପଥୀ ସୂଚନା ଦେଇଛନ୍ତି।

ଶୁକ୍ରବାର ପୂର୍ବାହ୍ନରେ ଭବାନୀପାଟଣା କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଆସି ଯୋଗଦାନ କରିଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ କୁଳପତିଙ୍କ ଆଗାମୀ କାର୍ଯ୍ୟପନ୍ଥା, ପଦକ୍ଷେପ ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। କୁଳପତି ଶ୍ରୀ ଶତପଥୀ ବିଶ୍ବବିଦ୍ୟାଳୟ ପାଇଁ ନ୍ୟୁନତମ ୧୦୦ ଏକର ଜମି ଆବଶ୍ୟକ ସହ ଆଦିବାସୀ ପାଠ୍ୟକ୍ରମ ଉପରେ ଏକ ଉନ୍ନତ ବିଭାଗ, ଅନୁବାଦ ପାଠ୍ୟକ୍ରମ ବିଭାଗ, ପିଏଚ୍‌ଡି ବିଭାଗ, ଯୁଗଉପଯୋଗୀ ନୂତନ ପାଠ୍ୟକ୍ରମ ଉପରେ ସବିଶେଷ ଆଲୋଚନା କରିଥିଲେ। କଳାହାଣ୍ଡି ତଥା ଓଡ଼ିଶାରେ ଐତିହ୍ୟ ରଖିଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଉପରେ ଗବେଷଣା ଏବଂ ଭବାନୀପାଟଣା ସହରର ଆଶାସାଗରକୁ ଏକ ପୋଷ୍ୟ ପୋଖରୀ ରୂପେ ଗ୍ରହଣ କରି ଗବେଷଣା ପାଇଁ ପ୍ରସ୍ତାବ ଅଛି ବୋଲି କହିଥିଲେ। ସେଭଳି କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅଧିନରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ମୋଟ ୪୭ଟି ମହାବିଦ୍ୟାଳୟକୁ ଉନ୍ନତ, ବିକାଶଶୀଳ ଓ ଅଧ୍ୟବସାୟର ଉଚ୍ଚତମ ଶିଖରରେ ପହଞ୍ଚାଇବାକୁ ଚେଷ୍ଟା କରିବେ ବୋଲି କହିଥିଲେ। ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ଅସୁବିଧା, ଅଧ୍ୟାପକ ଅଭାବ, ପାଚେରି ନିର୍ମାଣ, ପାଠପଢ଼ା, ଏନସିସି, ଏନ୍‌ଏସ୍‌ଏସ୍‌ ଓ ବିଭିନ୍ନ ଦିଗଉପରେ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ।

ଶ୍ରୀ ଶତପଥୀ ୩୬ ବର୍ଷର ଅଧ୍ୟାପନା ସହ ୨୪ଟି ପୁସ୍ତକର ରଚୟିତା ଏବଂ ଜଣେ ଉଚ୍ଚକୋଟିର ଲେଖକ ଓ ବକ୍ତା ଅଟନ୍ତି। ସେ ପୂର୍ବରୁ ଭବାନୀପାଟଣା ମହାବିଦ୍ୟାଳୟରେ ୧୦ ବର୍ଷ ବାଣିଜ୍ୟ ବିଭାଗରେ ଅଧ୍ୟାପନା କରିଥିଲେ। ବିଶ୍ବବିଦ୍ୟାଳୟ ପାଇଁ ସିଣ୍ଡିକେଟ ଗଠନ, ଅଧ୍ୟାପକ ନିଯୁକ୍ତି, ଶୀଘ୍ର ଜମି ଅଧିଗ୍ରହଣ, ସରକାରଙ୍କ ଅର୍ଥ ଆବଣ୍ଟନ ଉପରେ ଗୁରୁତ୍ବ ଦେଇ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଭାରତବର୍ଷର ଶୈକ୍ଷିକ ମାନଚିତ୍ରରେ ଏକ ଆଖିଦୃଶିଆ ସ୍ଥାନକୁ ସ୍ବପ୍ନ ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ବବିଦ୍ୟାଳୟ ରେଜିଷ୍ଟାର ପଦ୍ମଲୋଚନ ଭୁଏ, କ୍ୟାପ‌ଟେନ ଡ. ଜୟଦେବ ସାହୁ, ଅଖିଳ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ‌ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର