ଭୁବନେଶ୍ୱର/କେନ୍ଦ୍ରାପଡା : ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ସୟଦ ଉସମାନ୍ ଅଲ୍ଲୀ ଓରଫ୍ ଟିଟୋକୁ ତୃତୀୟ ପର୍ଯ୍ୟାୟ ରିମାଣ୍ଡ୍ରେ ଆଣି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ତାର ଅପରାଧ ସାମ୍ରାଜ୍ୟ ସଂପର୍କରେ ଜୋରଦାର ଖୋଳତାଡ଼ ଆରମ୍ଭ କରିଛି। ଟିଟୋର ପାରାଦୀପ ଲିଙ୍କ୍ ଓ ଏହା ପଛର ଅସଲ କାର୍ପଟଦାରମାନଙ୍କୁ ଖୋଜା ଆରମ୍ଭ ହୋଇଛି।
ଆଜି ଏହି କ୍ରମରେ ଦୁଇ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ହେଲା, ଟିଟୋର ଦୁଇ ପ୍ରମୁଖ ସହଯୋଗୀ ବାବୁଲା ପତ୍ରି ଓ ସେକ୍ ସୟଦଙ୍କୁ ଗିରଫ କରିଛି ଏସ୍ଟିଏଫ୍। ଦୁହେଁ ଗ୍ୟାଙ୍ଗଷ୍ଟର୍ ଟିଟୋ ପାଇଁ ସାର୍ପସୁଟର୍ ଭାବେ କାମ କରୁଥିଲେ। ଟିଟୋର ସାନ ଭାଇ ସପୋ ସହିତ ସେମାନଙ୍କର ନିବିଡ଼ତା ଥିଲା ଓ ତା ଇସାରାରେ ହିଁ ସେମାନେ ଅପରାଧ ଘଟାଉଥିଲେ। ଉଭୟଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଭଳି ପାଖାପାଖି ୩୦ଟି ସଂଗିନ୍ ମାମଲା ରହିଛି।
ଏସ୍ଟିଏଫ୍ ପକ୍ଷରୁ ଦୁଇ ଦିନ ତଳେ ଟିଟୋର ଭାଇମାନଙ୍କୁ ସମନ୍ କରାଯାଇଥିଲା। କିନ୍ତୁ ସେମାନଙ୍କୁ ମଧ୍ୟରୁ କେହି ଏଯାଏ ହାଜର ହୋଇ ନାହାନ୍ତି। ଗତକାଲି ବାବୁଲା ପତି ଓ ସେକ୍ ସୟଦ ଜେରାର ସମ୍ମୁଖୀନ ହୋଇଥିଲେ ଓ ଦୁହିଁଙ୍କୁ ଆଜି ଗିରଫ କରାଯାଇଥିଲା।
ଦ୍ୱିତୀୟଟି ହେଲା, ଆଜି ଏସ୍ଟିଏଫ୍ରେ ହାଜର ହୋଇଥିଲେ ପାରାଦୀପର ଏକ ଶ୍ରମିକ ସଂଘର ନେତା ତଥା ପାରାଦୀପ ଶିଳ୍ପାଞ୍ଚଳ ଯୁବ ବିକାଶ ପରିଷଦର ଉପଦେଷ୍ଟା ରାକେଶ ପଟ୍ଟନାୟକ। ଆଜି ତାଙ୍କୁ ଦିନ ତମାମ ଜେରା କରାଯାଇଛି। ଯାହା ସୂଚନା ମିଳିଛି, ଗ୍ୟାଙ୍ଗଷ୍ଟର ଟିଟୋ ଓ ରାକେଶଙ୍କ ମଧ୍ୟରେ ଟେଣ୍ଡର ଫିକ୍ସିଂକୁ ନେଇ ବିବାଦ ଲାଗି ରହିଥିଲା। ଗତ କିଛି ଦିନ ତଳେ ରାକେଶଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ରାକେଶଙ୍କ ଜଣେ ସହଯୋଗୀ ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ମଧ୍ୟ ରାକେଶ ଅଳ୍ପକେ ବର୍ତି ଯାଇଥିଲେ। ପୁଣି ଥରେ ରାକେଶଙ୍କର ଗ୍ୟାଙ୍ଗଷ୍ଟର ଟିଟୋ ସହିତ ସମ୍ପର୍କ ଗଢ଼ି ଉଠିଥିଲା। ଏହି କାରଣରୁ ତାଙ୍କୁ ପଚରା ଉଚରା କରାଯାଉଛି ବୋଲି ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି।
ସଂଧ୍ୟାରେ ଟିଟୋର ଅପରାଧ ସାମ୍ରାଜ୍ୟ ବୁଝାବୁଝି କରୁଥିବା ପାରାଦୀପର ବାପୁ ପରିଡ଼ା ସମେତ ୪ଜଣଙ୍କୁ ଜେରା ଚଳାଇଛି ଏସ୍ଟିଏଫ୍। ବାପୁ ପରିଡ଼ା ନାଁରେ ୨୫ରୁ ଅଧିକ ମାମଲା ରହିଛି। ଯେଉଁଥିରେ ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା କରିବା ଭଳି ସଂଗିନ୍ ମାମଲା ରହିଛି। ବାପୁର ‘ନିରାକାର ଡମ୍ଫର ଆସୋସିଏସନ୍’ ନାମକ ଏକ ସଂଗଠନ ଅଛି। ଏହା ଛଡ଼ା ବାପୁ କନଷ୍ଟ୍ରକସନ କମ୍ପାନି, ସପ୍ଲାଇ କାମ ଆଦି କରିଥାଏ। କିଛି ଦିନ ତଳେ ପାରାଦୀପ ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡରେ ବାପୁ ସଂପୃକ୍ତ ଥିଲା ବୋଲି ଏସ୍ଟିଏଫ୍ କହିଛି। ତାକୁ ଥରେ ଜେରା କରାଯାଇଥିଲା। ଯେ କୌଣସି ସମୟରେ ବାପୁକୁ ଗିରଫ କରାଯିବାର ଆଶଙ୍କା ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଉଲ୍ଲେଖନୀୟ କଥା ହେଲା, ଜେରା ବେଳେ ଏହି ମାମଲାରେ ରାଜନୈତିକ ସଂପର୍କ ମଧ୍ୟ ପଦାକୁ ଆସିଲାଣି। ଏହାକୁ ନେଇ ଏବେ ସବୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଭାଳେଣି ପଡିଲାଣି। ଜେରା ବେଳେ ଏହି ବ୍ୟକ୍ତିମାନେ କାହା ନାମ ପାଟିରେ ଧରିଲେ, ଆଗକୁ କାଳେ ତଦନ୍ତକାରୀ ଦଳ ସେମାନଙ୍କୁ ସମନ କରିବେ, ସେ ନେଇ ସମସ୍ତେ ଭୟଭୀତ ହୋଇ ଅଛନ୍ତି।
ଅନ୍ୟପକ୍ଷରେ ଦିନକୁ ଦିନ ଟିଟୋର ଅପରାଧ ସାମ୍ରାଜ୍ୟର ଗୁମର ଖୋଲୁଥିବା ବେଳେ ସହ ତା’ ବିରୋଧରେ ଅଭିଯୋଗ ବଢ଼ି ଚାଲିଛି। ଏଣୁ ଏସବୁ ମାମଲାର ତଦାରଖ କ୍ରାଇମ୍ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଉପରେ ନ୍ୟସ୍ତ ହୋଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଶ୍ରୀ ବୋଥ୍ରା ପୂର୍ବରୁ କେନ୍ଦ୍ରାପଡ଼ାରେ ଏସ୍ପି ଥିବା ବେଳେ ଏମାନଙ୍କୁ ସାବାଡ୍ କରାଯାଇଥିଲା।
ଟେଣ୍ଡର ଫିକ୍ସିଂ, ଦାଦାବଟି, ରିଅଲ-ଇଷ୍ଟେଟ, ପେଟ୍ରୋଲ ପମ୍ପ, ଷ୍ଟିଭେଡରିଂ, ବାଲିଘାଟ ନିଲାମ, ହୋଟେଲ ବ୍ୟବସାୟ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ମନୋରଂଜନ ଜଗତରେ ଟିଟୋର ଅର୍ଥ ନିବେଶ ନେଇ ତଦନ୍ତ ଚାଲିଛି। ଠିକ୍ ଏମିତି ଏକ ସମୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱରର କେତେକ ବାର୍ରେ ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା ଲଗାଇଥିବା ଏସ୍ଟିଏଫ୍ ଜାଣିବାକୁ ପାଇଛି। ଏ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି। ଟିଟୋର ସହଯୋଗୀ ବବ୍ଲୁ ନାମକ ଜଣେ ଦୁର୍ଦାନ୍ତ ଅପରାଧୀ କେତେକ ବାର୍ ପରିଚାଳନାର ଦାୟିତ୍ୱ ନେଇଛି।ଏସ୍ଟିଏଫ୍ ଏବେ ବବୁଲ୍କୁଖୋଜୁଛି।
ଟିଟୋ ଓ ତାର ସହଯୋଗୀମାନେ କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁର, ନରହରିପୁର, ବସପୁର ବାଲିଘାଟକୁ ନିଲାମ ନେଇଛନ୍ତି। ସେହିପରି ଜଗତସିଂହପୁରର ଜିଲ୍ଲାର ଆଳିପିଙ୍ଗଳ, ନାଉଗାଁ, ଏରଡ଼ା, ବାଲିପଡ଼ା, ରଘୁନାଥପୁର, ତାରପୁର, ତିର୍ତ୍ତୋଲ ବାଲିଘାଟ ଗ୍ୟାଙ୍ଗଷ୍ଟର ଟିଟୋ କବ୍ଜାରେ। ଟିଟୋକୁ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆଣି ଏସ୍ଟିଏଫ୍ ଏହା ଜାଣିବାକୁ ପାଇଛି।