ଭୁବନେଶ୍ବର/ ବୌଦ୍ଧ: କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ଟିମ୍ ବୌଦ୍ଧ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳର ପ୍ରମୋଦ କୁମାର ପରିଡ଼ା(୪୫)କୁ ଗିରଫ କରି ଦୁଇଟି ହାତୀଦାନ୍ତ ଜବତ କରିଛି। ଜବତ ହାତୀଦାନ୍ତର ମୂଲ୍ୟ ୫୦ଲକ୍ଷ ଟଙ୍କାରୁ ଅଧିକ ହେବ। ତାକୁ କଣ୍ଟାମାଳ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଇବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ବହୁଦିନ ହେବ ପ୍ରମୋଦ ବୌଦ୍ଧ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଥିବା ଜଙ୍ଗଲରୁ ପଶୁପକ୍ଷୀ ଶିକାର କରି ନଖ, ଛାଲ, ଦାନ୍ତ ଆଦି ମାଫିଆଙ୍କୁ ଚାଲାଣ କରୁଥିଲା। ଏସ୍ଏଟିଏଫ୍ ତାର ଗତିବିଧି ଉପରେ ନଜର ରଖିଥିଲା। ଗତକାଲି ଅର୍ଥାତ ୧ ତାରିଖ ରାତିରେ ଦୁଇଟି ହାତୀଦାନ୍ତ ଚାଲାଣ ପାଇଁ ପ୍ରମୋଦ ମାଫିଆଙ୍କ ସହ ଡିଲ୍ କରିଥିଲା। ଏନେଇ ଏସ୍ଟିଏଫ୍ ଟିମ୍ ଠୋସ୍ ସୂଚନା ପାଇବା ପରେ ତୁରନ୍ତ ବୌଦ୍ଧ ଫରେଷ୍ଟ ଡିଜିଜନ୍ ସହ ଯୋଗାଯୋଗ କରିଥିଲେ। ଏହାପରେ ଯୋଜନା ମୁତାବକ ଏସ୍ଟିଏଫ୍ ଓ ବୌଦ୍ଧ ଫରେଷ୍ଟ ଡିଭିଜନ୍ର ଦୁଇଟି ଟିମ୍ ମିଳିତ ଭାବେ ବୌଦ୍ଧ-ସୋନପୁର ଜାତୀୟ ରାଜପଥ-୫୭ ନିକଟ ତେଲିବନ୍ଧ ଛକ ନିକଟରେ ଜଗି ରହିଥିଲେ।
ପ୍ରମୋଦ ହାତୀଦାନ୍ତ ଧରି ମାଫିଆଙ୍କୁ ଅପେକ୍ଷା କରିଥିବା ବେଳେ ଟିମ୍ ଚଢ଼ଉ କରି ତାକୁ ଗିରଫ କରିଥିଲା। ଏହାପରେ ତାଠାରୁ ମୋଟ୍ ୨କେଜି ୩ଶହ ଗ୍ରାମ ଓଜନର ଦୁଇଟି ଦାନ୍ତ ଜବତ କରାଯାଇଥିଲା। ହାତୀଦାନ୍ତ କେଉଁଠୁ ଆଣିଲା? ତାକୁ କିଏ ଯୋଗାଇଛି? ନା ନିଜେ ଶୀକାର କରିଛି। କାହାକୁ ଦେଇଥାଆନ୍ତିା? ଟିମ୍ ତାକୁ ଏମିତି ବିଭିନ୍ନ ଦିଗକୁ ନେଇ ଜେରା ବେଳେ କୌଣସି ଉତ୍ତର ଦେଇପାରିନଥିଲା। ଜେରା ପରେ ତାକୁ ଗିରଫ କରି ବୌଦ୍ଧ ଫରେଷ୍ଟ ଡିଭିଜନକୁ ହସ୍ତାନ୍ତର କରାଯିବା ସହ ହାତୀଦାନ୍ତକୁ ଜିମା ଦିଆଯଇଛି।