ବ୍ରାଉନ୍‌ସୁଗାର ମାଫିଆ ଟାକୁଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କଲା ଏସ୍‌ଟିଏଫ୍

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର କୁଖ୍ୟାତ ବ୍ରାଉନ୍‌ସୁଗାର ମାଫିଆ ସେଖ୍ ସମୀରୁଦ୍ଦିନ ଓରଫ୍ ଟାକୁଲୁ ରାଜାର ଅଚଳାଚଳ ସମ୍ପତ୍ତିକୁ ବାଜ୍ୟାପ୍ତି କରିବା ନିମନ୍ତେ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ବରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍ ଟିମ୍‌ ଆଜି ଜଳେଶ୍ବର ସବ୍‌ରେଜିଷ୍ଟ୍ରି ଅଫିସ୍‌ରେ ପହଞ୍ଚି ଟାକୁଲୁ, ତା’ର ପତ୍ନୀ ଏବଂ ପରିବାର ନାମରେ ଥିବା ସ୍ଥାବର ସଂପତ୍ତିର ଦଲିଲ ବାହାର କରିବା ପରେ ଜଳେଶ୍ବର ତହସିଲରେ ପହଞ୍ଚି ଖୋଳତାଡ଼ କରିଥିଲା। ଟାକୁଲୁ, ତା’ ପତ୍ନୀ ଏବଂ ପିଲାମାନଙ୍କ ନାମରେ ଜଳେଶ୍ବର ଥାନା

ରାଜପୁର ଓ ଝାଡ଼େଶ୍ବରପୁର ମୌଜା ଅଞ୍ଚଳରେ ଥିବା କୋଟିଏରୁ ଊର୍ଦ୍ଧ୍ବ ମୂଲ୍ୟର ଭୂ-ସଂପତ୍ତି ବାବଦରେ ୧୦ରୁ ଅଧିକ ପଟ୍ଟା ଓ ଦଲିଲ୍‌ ସଂଗ୍ରହ କରିଛି ଏସଟିଏଫ୍‌। ବାଲେଶ୍ବରସ୍ଥିତ ସ୍ବତନ୍ତ୍ର ଅଦାଲତରେ ଉକ୍ତ ଜମିପଟ୍ଟା ଦାଖଲ କରି ଭୂ-ସଂପତ୍ତିଗୁଡ଼ିକୁ ବାଜ୍ୟାପ୍ତି ନିମନ୍ତେ ଆବେଦନ କରାଯିବ ବୋଲି ଜଣାପଡ଼ିଛି। ଏସଟିଏଫ୍‌ର ଏହି ପଦକ୍ଷେପ ପରେ ଜଳେଶ୍ବରର ବ୍ରାଉନ୍‌ସୁଗାର ମାଫିଆମାନଙ୍କ ମଧ୍ୟରେ ଛନକା ପଶିଛି। ସୂଚନାଥାଉକି, ଟାକୁଲୁ ରାଜା ବାଂଲାଦେଶ ତଥା ପଶ୍ଚିମବଙ୍ଗରୁ ବ୍ରାଉନ୍‌ସୁଗାର ଆଣି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲା। ଯେଉଁଥିରୁ ସେ କୋଟି କୋଟି ଟଙ୍କା ରୋଜଗାର କରିବା ସହ ନିଜର କଳା ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲା। ଗିରଫ ଭୟରେ ଟାକୁଲୁ ଗତ ଏପ୍ରିଲ୍‌ ୧ ତାରିଖରେ ବାଲେଶ୍ବର ସ୍ବତନ୍ତ୍ର ଅଦାଲତରେ ଆତ୍ମସମର୍ପଣ କରିବା ସହ ଆଗୁଆ ଜାମିନ ଆବେଦନ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେ ଏବେ ବାଲେଶ୍ବର ଜେଲ୍‌ରେ ରହିଛି।

ସମ୍ବନ୍ଧିତ ଖବର