ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍ ସକ୍ରିୟ ଅଛନ୍ତି। ଏସ୍ଟିଏଫ୍ ପକ୍ଷରୁ ଚଢ଼ଉ କରାଯାଇ ୨ ଜଣ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ଏବଂ ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ପରେ ଏହା ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାଇ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଖବର ପାଇ ଭୁବନେଶ୍ବର ଏସ୍ଟିଏଫ୍ ଦଳ ସୋନପୁର ମହାନଦୀ ବ୍ରିଜ ଛକ ଦିଲବାହାଲପୁର ରାଜକୋଠି ନିକଟରେ ଚଢ଼ଉ କରିଥିଲେ। ଏସ୍ଟିଏଫ୍ ଦଳ ପକ୍ଷରୁ ଚୋରା ଚାଲାଣକାରୀଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ୫ କେଜି ୬୫ ଗ୍ରାମ ବଜ୍ରକାପ୍ତା କାତି ଜବତ କରାଯାଇଛି।
ଏହି ଘଟଣାରେ ଏସ୍ଟିଏଫ୍ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଉଲୁଣ୍ଡା ଥାନା ଅନ୍ତର୍ଗତ କପାସିରା ଗ୍ରାମର ସୋମନାଥ ବାଘ ଓ ଗିନ୍ଧିଲାମାଲ ଗ୍ରାମର ମାରସଲାନ ଭେଙ୍ଗେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି। ଜବତ୍ ଜୀବନ୍ତ ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବାବେଳେ ଜବତ ବଜ୍ରକାପ୍ତା କାତିକୁ ପରୀକ୍ଷା ପାଇଁ ଡେରାଡୁନ ସ୍ଥିତ ଭାରୀତୀୟ ୱାଇଲ୍ଡ ଲାଇଫ ସଂସ୍ଥାକୁ ପଠାଯିବ ବୋଲି ସୂଚନା ଦିଆଯାଇଛି। ଏହି ଚଢ଼ଉରେ ଏସ୍ଟିଏଫ୍ ଡିଏସ୍ପି ବିଳାସିନୀ ନାୟକ, ଏସ୍ଆଇ ନଳିନୀକାନ୍ତ ଦାଶ, କନେଷ୍ଟବଲ ଆଲୋକ ବାରିକ, ଅଜିତ ସେଠୀ, ଗୃହରକ୍ଷୀ କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ସାମିଲ ଥିଲେ।