ମୁନିଗୁଡ଼ାରେ ଏସ୍‌ଟିଏଫ୍ ଚଢ଼ଉ : ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ପିଚୁ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ୨ଟନ୍ ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ଥିତ ଟିକରପଡ଼ା ରେଲୱେ ଲେବଲ୍ କ୍ରସିଂ ନିକଟରୁ ଗତକାଲି ରାତିରେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଚଢ଼ଉ କରି ୨ ଟନ୍ ଗଞ୍ଜେଇ ଜବତ କରିଛି। ଗୋଟିଏ ପିଚୁ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଟ୍ରକ୍ ସହ ଗଞ୍ଜେଇକୁ ଜବତ ହୋଇଛି। ତେବେ ଟ୍ରକ୍‌ ଡ୍ରାଇଭର, ହେଲପର ଫେରାର ହୋଇଯାଇଛନ୍ତି। ଜବତ ଗଞ୍ଜେଇର ହାରାହାରି ମୂଲ୍ୟ ୧କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି।

ବିଶାଖାପାଟଣାରୁ ପିଚୁ ବୋଝେଇ କରି ରାୟଗଡ଼ା ଅଭିମୁଖେ ଆସୁଥିବା ଟ୍ରକ୍ (ଓଡ଼ି ୧୩ବି ୯୦୦୬)ରେ ବିପୁଳ ପରିମାଣର ଗଞ୍ଜେଇ ଥିବା ନେଇ ଏସଟିଏଫ୍‌କୁ ସୂଚନା ମିଳିଥିଲା। ସୂଚନା ମୁତାବକ ଏସଟିଏଫ୍ ଇନସପେକ୍ଟର୍ ଇ. କିରୋଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଭୁବନେଶ୍ବରରୁ ବାହାରି ରାୟଗଡ଼ାରୁ ଏହି ଗଞ୍ଜେଇ ଭର୍ତ୍ତି ଟ୍ରକ୍‌କୁ ପିଛା କରିଥିଲେ। ମୁନିଗୁଡ଼ା ନିକଟ ଟିକରପଡ଼ା ଲେବଲ୍ କ୍ରସିଂ ନିକଟରେ ଏସଟିଏଫ୍ ଟ୍ରକ୍‌କୁ ଠାବ କରିଥିଲେ। ଏସ୍‌ଟିଏଫ୍‌ର ଅତର୍କିତ ଚଢ଼ଉକୁ ଦେଖି ଟ୍ରକ୍ ଡ୍ରାଇଭର, ହେଲପର ଦୌଡ଼ି ଫେରାର ହୋଇ ଯାଇଥିଲେ। ଅନ୍ୟ ଜଣେ ଡ୍ରାଇଭର ସାହାଯ୍ୟରେ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ମୁନିଗୁଡ଼ା ଥାନାକୁ ଆଣିବା ପରେ ଆଜି ସକାଳେ ଟ୍ରକ୍ ଭିତରୁ ଗଞ୍ଜେଇ ବସ୍ତା ଗୁଡ଼ିକୁ ବାହାର ଯାଇଥିଲା। ଯାଞ୍ଚ ସମୟରେ ଟ୍ରକ୍ ଭିତରୁ ୫୭ ପ୍ୟାକେଟ୍ ଗଞ୍ଜେଇ ବାହାରିଥିଲା। ଗଞ୍ଜେଇ ବସ୍ତା ଗୁଡ଼ିକୁ ତଳେ ରଖାଯାଇ ତା ଉପରେ ତାରପଲିନ୍ ଏବଂ ତାରପଲିନ୍ ଉପରେ ପିଚୁ ଭର୍ତ୍ତି ଡବା ରଖାଯାଇଥିଲା।

ନିୟମିତ ଭାବେ ମୁନିଗୁଡ଼ା ଏବଂ ଚନ୍ଦ୍ରପୁର ଥାନା ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଚଳିତ ଥର ଆନ୍ଧ୍ରରୁ ମୁନିଗୁଡ଼ା ଆଡ଼କୁ ଗଞ୍ଜେଇ ଆସୁଥିଲା। ଯାହାକୁ ନେଇ ଏସ୍‌ଟିଏଫ୍ ଅଧିକ ତଦନ୍ତ ଜାରି ରଖିଛି। ମୁନିଗୁଡ଼ା ପୁଲିସର ସହଯୋଗରେ ଏସ୍‌ଟିଏଫ୍ ଏସଆଇ ନଳିନୀକାନ୍ତ ଦାଶ, ଏଏସଆଇ ଜ୍ୟୋତି ରଞ୍ଜନ ଦାଶ ଓ ଅନ୍ୟ ୨ ଅଧିକାରୀ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ। ଅଧିକ ତଦନ୍ତ ପରେ କେଉଁଠୁ ଏବଂ କାହା ପାଖକୁ ଏହି ଚୋରା ଗଞ୍ଜେଇ ଚାଲାଣ ହେଉଥିଲା ସେ ସଂପର୍କରେ ସ୍ପଷ୍ଟ ଜଣା ପଡ଼ିବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ତେଜରାଜ ପଟେଲ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର