ଯାଜପୁର/ଚଣ୍ଡିଖୋଲ/କଂଟିଗଡିଆ : ଯାଜପୁର ଜିଲ୍ଲାରେ ‘ଟି’ ସାମ୍ରାଜ୍ୟର ଚେର କେତେ ଗଭୀରକୁ ଯାଇଛି ତାର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଆଜି ଏସ୍ଟିଏଫ୍ ଧର୍ମଶାଳା ଥାନା କଣ୍ଟିଗଡ଼ିଆସ୍ଥିତ ରୁବି ମୋଟର୍ସରେ ଚଢ଼ଉ କରି ବ୍ୟବସାୟିକ୍ ଲିଙ୍କ୍ରେ ଦୁଇଟି ହାଇଓ୍ଵା ଜବତ କରିଛି। ଏସ୍ଟିଫ୍ ଚଢ଼ଉ ଖବର ପାଇବା ପରେ ‘ଟି’ ଗ୍ରୁପ୍ର ଅନେକ ଯୁବକଙ୍କ ମଧ୍ୟରେ ଛନକା ପଶିଛି। ସହଯୋଗୀ ଓ ଅଂଶୀଦାରମାନେ ଏବେ ଆତ୍ମଗୋପନ କରିଛନ୍ତି।
ଗ୍ୟାଙ୍ଗଷ୍ଟର ଟିଟୋକୁ ଏସଟିଏଫ୍ ଟିମ୍ ଯାଜପୁର ଜିଲ୍ଲାରେ ଏନାକାଉଣ୍ଟର୍ କରି ଗିରଫ କରିବା ପରେ ତାର ସାମ୍ରାଜ୍ୟ ଉପରେ ଚଢାଉ ଜୋରଦାର କରିଛି। ଟିଟୋର ଜନ୍ମସ୍ଥାନ କେନ୍ଦ୍ରାପଡ଼ାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନ ଓ ଅନ୍ୟ ରାଜ୍ୟରେ ତାର ସାମ୍ରାଜ୍ୟ ବିଷୟରେ ଅନୁସଂଧାନ ଟିମ୍ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ସେହି ତଥ୍ୟକୁ ଆଧାର କରି ଟିଟୋ ଗ୍ୟାଙ୍ଗ୍ର ଅନ୍ୟତମ ଆଡ଼ାସ୍ଥଳ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ୍ରେ ଅନୁସଂଧାନ ଟିମ୍ ଆଜି ଚଢଉ କରିବା ଆରମ୍ଭ କରିଛି। ଚଣ୍ଡିଖୋଲ ଅଂଚଳରେ ଟିଟୋର ବ୍ୟବସାୟିକ ଲିଙ୍କ ରହିଥିବା ଜାଣିବା ପରେ ଅନୁସଂଧାନ ଟିମ୍ ଆଜି ଧର୍ମଶାଳା ଥାନା କଣ୍ଟିଗଡିଆ ନିକଟସ୍ଥ ରୁବି ମୋଟର୍ସ ଉପରେ ଚଢ଼ଉ କରି ୨ଟି ହାଇୱା (ଓଡ଼ି ୨୯ ଡ଼ି ୨୫୮୬, ଓଡ଼ି ୨୯ ବି ୯୮୦୬) କୁ ଜବତ କରିଛି।
କଣ୍ଟିଗଡ଼ିଆ ସ୍ଥିତ ଟାଟା ମୋଟର୍ସ୍ର ଅଧିକୃତ ରୁବି ଆସୋସିଏଟସ୍ର (ମୋଟର୍ସ୍) ଉପରେ ଚଢଉ କରି ସେଠାରୁ ଟିଟୋର ୨ଟି ଦଶ ଚକିଆ ହାଇୱା ମରାମତି ହେଉଥିବା ବେଳେ ଜବତ୍ କରିଛି। ଅପରାଧ ନିୟନ୍ତ୍ରଣ ଶାଖାର ଇନସପେକ୍ଟର ଭାଲେଟିନା ରାୟଙ୍କ ନେତୃତ୍ୱରେ ପୁଲିସ୍ ଏହି କରିଥିଲା। ଟିଟୋ ଗୋଷ୍ଠୀ ସହ ଏହି ହାଇୱା ଦୁଇଟିର ସମ୍ପର୍କ ରହିଥିବା ସୂଚନା ପାଇବା ପରେ ଏଠାରେ ଚଢଉ କରିଥିଲେ ବୋଲି ସୂଚନା ଦିଆଯାଇଛି । ଜବତ ପରେ ଗାଡ଼ି ଦୁଇଟିକୁ ବଡ଼ଚଣା ଥାନାକୁ ନିଆଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ଟିଟୋ ନାମରେ ବିଭିନ୍ନ ଖାଦାନ ଦର୍ପଣ ଓ ଧର୍ମଶାଳା ତହସିଲ ଅଂଚଳରେ ଚାଲୁଥିଲା। ଟିଟୋ ଗିରଫ ହେବା ପରେ ଏସ୍ଟିଏଫ୍ ତଦନ୍ତକାରୀ ଟିମ୍ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଚଢଉ କରି ଗୋଟିକ ପରେ ଗୋଟିଏ ସିଲ୍ କରିଚାଲିଛି। ଏସଟିଏଫ୍ ଚଢଉ ଭୟରେ ଦର୍ପଣ ତହସିଲ ଅଂଚଳରେ ଚାଲୁଥିବା ଖାଦାନଗୁଡ଼ିକ ଏବେ ବନ୍ଦ ହୋଇଯାଇଛି। ମାଣ୍ଡୁକା, ଅଚ୍ୟୁତବସନ୍ତ, ମଝିପଡ଼ା ଆଦି ପାହାଡ଼ଗୁଡ଼ିକରେ ବେଆଇନ୍ ମୋରମ୍ ଓ ବୋଲଡ଼ର୍ ଖନନ ବନ୍ଦ କରିଦିଆଯାଇଛି। ଏହି କାରବାରକୁ ପରିଚାଳନା କରିଥିବା ସ୍ଥାନୀୟ ସହଯୋଗୀମାନଙ୍କୁ ପୁଲିସ ଖୋଜୁଥିବା ବେଳେ ସେମାନେ ଫେରାର ହୋଇଯାଇଛନ୍ତି। ଖାଦାନଗୁଡ଼ିକ ବନ୍ଦ ହୋଇଯିବା ପରେ ବ୍ୟବହୃତ ଗାଡ଼ି ଓ ମେସିନଗୁଡ଼ିକ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛି। ଟି ସାମ୍ରାଜ୍ୟ ଲିଙ୍କ୍ରେ ଘଟିଥିବା ଚଣ୍ଡିଖୋଲରେ ଏକାଧିକ ହତ୍ୟାକାଣ୍ଡ, ଖଣିଖାଦାନ ଓ ଟେଣ୍ଡର ଫିକ୍ସିଂ କାରବାରର ଅଧିକ ତଦନ୍ତ ଜାରି ରହିଛି। ତଥ୍ୟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଇନସପେକ୍ଟର ଶ୍ରୀମତୀ ରାୟ ସୂଚନା ଦେଇଛନ୍ତି।