ଟାଙ୍ଗୀରେ ଏସ୍‌ଟିଏଫ୍‌ର ଚଢ଼ଉ : ଟିଟୋ ସହଯୋଗୀଙ୍କୁ ଖୋଜା ଚାଲିଛି

କଟକ/ଟାଙ୍ଗୀ/ ଜଗତସିଂହପୁର ଟାଉନ୍‌ : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟାର ସୟଦ୍‌ ଉସ୍‌ମାନ ଅଲ୍ଲୀ ଓରଫ ଟିଟୋର ସହଯୋଗୀଙ୍କୁ ଧରିବା ପାଇଁ ଆଜି ଟାଙ୍ଗୀରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌। ଟାଙ୍ଗୀ କନ୍ଦରକଣା ଗ୍ରାମରେ ଥିବା ମଧୁସ୍ମିତା ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍‌ ଲିମିଟେଡ୍‌ (ଏମ୍‌ଆଇପିଏଲ୍‌) କାର୍ଯ୍ୟାଳୟରେ ଦିନ ପ୍ରାୟ ୧୦ଟା ବେଳେ ୧୦ରୁ ଅଧିକ ଗାଡ଼ିରେ ଆସି ଏସଟିଏଫ୍‌ ଅଧିକାରୀ ଚଢଉ କରିଛନ୍ତି। ଅଧିକାରୀମାନେ (ଏମ୍‌ଆଇପିଏଲ୍‌) କମ୍ପାନିର ସତ୍ତ୍ୱାଧିକାରୀ ତାପସ ରଂଜନ ମଲ୍ଲିକ ଓରଫ ତପୁଙ୍କୁ ଖୋଜିବା ସହ କମ୍ପାନିର କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକ୍‌ ଆଦି ଯାଞ୍ଚ କରିଥିବା ସୂଚନା ମିଳିଛି। କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଏସ୍‌ଟିଏଫ୍‌ ଜବତ କରିଛି। କିନ୍ତୁ ସେହି ସମୟରେ ତାପସ ରଂଜନ ମଲ୍ଲିକ ଅନୁପସ୍ଥିତ ଥିଲେ। ତପୁଙ୍କ ନାମରେ ପୂର୍ବରୁ ଗୁଳିକାଣ୍ଡ ଓ ହତ୍ୟା ଷଡ଼ଯନ୍ତ୍ର ଭଳି ଅଭିଯୋଗ ରହିଛି। ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ ସଂପର୍କରେ ତପୁଙ୍କ ବିରୋଧରେ ବିଧାୟକଙ୍କ ଡ୍ରାଇଭର ୭ ମାସ ତଳେ ଥାନାରେ ଅଭିଯୋଗ କରିଥିଲେ। ତପୁଙ୍କର ଟିଟୋ ଗ୍ୟାଙ୍ଗ ସହ ସଂପର୍କ ଥିବା କୁହାଯାଉଛି। ଟାଙ୍ଗୀ ଥାନା ଅଧିକାରୀ ମଧ୍ୟ ଆଜି ଏସ୍‌ଟିଏଫ୍‌ ଚଢଉ ସଂପର୍କରେ ସ୍ୱୀକାର କରିଛନ୍ତି। ଅନ୍ୟପଟେ ଏସ୍‌ଟିଏଫ୍‌ ଟିମ୍‌ ନର୍ଥ ଡିଭିଜନ୍‌ର ଟେଣ୍ଡର ଫିକ୍ସିଂ ସଂପର୍କରେ ଯାଞ୍ଚ ଏବଂ ଚଢଉ ଆରମ୍ଭ କରିଥିବା ସୂଚନା ମିଳିଛି।

ଟିଟୋ ଗିରଫ ହେବା ପରେ ଏବେ ତା’ର ଗୋଟିଏ ପରେ ଗୋଟିଏ କଳା କାରନାମାର ଗୁମର ଫୁଟୁଛି। କେଉଁ କେଉଁ ମାନେ ଟିଟୋ ସହ କାମ କରୁଥିଲେ, କେମିତି ଚାଲିଥିଲା ଟିଟୋର କଳା ଧନ୍ଦା, ତାକୁ ନେଇ ଚାଲିଛି ତନାଘନା। ଜଗତସିଂହପୁର ଜିଲ୍ଲାରେ ଟିଟୋର ସହଯୋଗୀ କିଏ କିଏ ଥିଲେ, କାହାର ସମ୍ପର୍କ ରହିଥିଲା ଟିଟୋ ସହ ତାକୁ ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ଏହି ସମୟରେ ଟିଟୋ ଭାଇ ସପୋର ଏକ ଭିଡିିଓ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ସପୋ ତା’ ଭାଇ ଟିଟୋ ସହ ପୂର୍ବରୁ କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ଜଣେ ପୁଲିସ ଅଧିକାରୀ ଏବଂ ଜଗତସିଂହପୁରର ଜଣେ ବ୍ୟକ୍ତିଙ୍କ ସମ୍ପର୍କ ରହିଛି ବୋଲି କହିଛି। ଯୋଜାନାବଦ୍ଧ ସେକ୍ସ ର‍୍ୟାକେଟ ଏବଂ ଗୋଆକୁ ଝିଅ ଚାଲାଣ ସଂପର୍କରେ ଏହି ଭିଡ଼ିଓରେ ସୂଚନା ଦିଆଯାଇଛି।

ଜଗତସିଂହପୁରର ନିର୍ଦ୍ଦିଷ୍ଟ କେତେକ ଘରେ ଦେହ ବେପାର ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ଏଭଳି ଏକ ଭିଡିଓ ତାହାର ପ୍ରମାଣ ଦେଉଛି। ପୁଲିସ ଏ କ୍ଷେତ୍ରରେ ହାତ ବାନ୍ଧି ବସିଥିବା ବେଳେ ଏବେ ଏଭଳି ଏକ ଭିଡିଓ ଭାଇରାଲ ହେବା ପୁଲିସର ଚିନ୍ତା ବଢାଇ ଦେଇଛି।

ସମ୍ବନ୍ଧିତ ଖବର