ଏସ୍ଟିଏଫ୍ ମୂଲଚାଲ କରି ଧରିଲା
୫ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍
ଅଭିଯୁକ୍ତ ଗିରଫ, ଶିକାରୀକୁ ଧରିବାକୁ ଚଢ଼ଉ ଜାରି
ଭୁବନେଶ୍ବର : ବାରମ୍ବାର ଚଢ଼ଉ ପରେ ବି କମୁନି ବଜ୍ରକାପ୍ତା ଚୋରା ଚାଲାଣ। କଟକ ଜିଲ୍ଲା ଅଭିମାନପୁରରେ ଚଢ଼ାଉ କରି କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍(ସ୍ପେସାଲ ଟାସ୍କ ଫୋର୍ସ) ବିକ୍ରି ପାଇଁ ଥିବା ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ସେହି ଗ୍ରାମର କେଶବ ସାହୁ। ଏହି ଅଞ୍ଚଳ ଆଠଗଡ଼ ରେଞ୍ଜ ଅଧୀନରେ ଆସୁଥିବାରୁ ଆଠଗଡ଼ ଡିଏଫ୍ଓଙ୍କୁ ଏହି ବଜ୍ରକାପ୍ତା ହସ୍ତାନ୍ତର କରାଯାଇଛି। ଆଠଗଡ଼ ରେଞ୍ଜ ବନାଞ୍ଚଳରୁ ଏହି ବଜ୍ରକାପ୍ତା ଧରାଯାଇଥିବା ନେଇ ଏସ୍ଟିଏଫ୍ ସନ୍ଦେହ କରୁଛି। ତେବେ କେଶବ ନିଜେ ବଜ୍ରକାପ୍ତାକୁ ଧରି ନାହିଁ, ବରଂ ଅନ୍ୟ ଜଣେ ଶିକାରୀଠାରୁ ଆଣି ବିକିବା ପାଇଁ ରଖିଥିଲା। ସଂପୃକ୍ତ ଶିକାରୀକୁ ଧରିବା ଲାଗି ଏସ୍ଟିଏଫ୍ କଟକ ସଦର ଅଞ୍ଚଳରେ ଦୁଇଟି ଜାଗାରେ ଚଢ଼ଉ କରିଥିବା ଏସ୍ଟିଏଫ୍ ଏସ୍ପି ପ୍ରଶାନ୍ତ ଭୋଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଖୋଳତାଡ଼ ବେଳେ ଜଣାପଡ଼ିଛି କି କେଶବ ନାମରେ ପୂର୍ବରୁ କୌଣସି ମାମଲା ନାହିଁ। ଜଣେ ଶିକାରୀଠାରୁ ବଜ୍ରକାପ୍ତାଟିକୁ ଆଣି ସେ ବିକ୍ରି କରିବା ପାଇଁ ରଖିଥିଲା। ବିକ୍ରି ହେବା ପରେ ଯାଇ ଶିକାରୀକୁ ୩ ଲକ୍ଷ ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା। ବିକ୍ରି ରକିବା ପାଇଁ କେଶବ ଗ୍ରାହକ ଖୋଜୁଥିବା ଗୁଇନ୍ଦା ଖବର ପାଇ ଏସ୍ଟିଏଫ୍ ସଜାଗ ହୋଇଥିଲା। ଏସ୍ଟିଏଫ୍ର ଦୁଇଜଣ ଅଧିକାରୀ ଗ୍ରାହକ ହୋଇ କେଶବ ସହ ଯୋଗାଯୋଗ କରିଥିଲେ। ଯୋଗାଯୋଗ କରିବା ପରେ ୫ ଲକ୍ଷ ଟଙ୍କାରେ ଦର ଛିଣ୍ଡିଥିଲା। ଟେଲିଫୋନ ଜରିଆରେ ହୋଇଥିବା କଥାବାର୍ତ୍ତା ମୁତାବକ ଆଜି ସକାଳେ ଏସ୍ଟିଏଫ୍ର ଦୁଇଟି ଟିମ୍ ଅଭିମାନପୁରରେ ପହଞ୍ଚିଥିଲେ। ତେବେ କେଶବର ସନ୍ଦେହ ହେବାରୁ ସେ ବଜ୍ରକାପ୍ତା ନ ଆଣି ଖାଲି ହାତରେ ଆସିଥିଲା। ପରେ ତା’ର ବିଶ୍ବାସ ହେବାରୁ ସେ ଘରକୁ ଯାଇ ବଜ୍ରକାପ୍ତା ନେଇ ଆସିଥିଲା। ଏସ୍ଟିଏଫ୍ ବଜ୍ରକାପ୍ତାକୁ ଜବତ କରିବା ସହ କେଶବକୁ ଗିରଫ କରିଥିଲା।
ଉଲ୍ଲେଖଯୋଗ୍ୟ ଯେ ଗତ ଗୋଟିଏ ବର୍ଷ ମଧ୍ୟରେ ଏସ୍ଟିଏଫ୍ ବନ୍ୟପ୍ରାଣୀ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଏକ ମିସନ ଭାବରେ ନେଇ ୧୨ଟି କଲରାପତରିଆ ବାଘଛାଲ, ୬ଟି ହାତୀଦାନ୍ତ, ୨ଟି ହରିଣ ଚମଡ଼ା, ୩ଟି ଜୀବନ୍ତ ବଜ୍ରକାପ୍ତା, ୫ କେଜି ବଜ୍ରକାପ୍ତା କାତି ଜବତ କରିଛି। ଏ ବାବଦରେ ୧୪ ମାମଲା ରୁଜୁ ହେବା ସହ ୨୫ ଜଣଙ୍କୁ ଗିରଫ କରାଯାଇଛି। ତେବେ କୌଣସି ମାମଲାରେ ମୂଳ ଶିକାରୀକୁ ଗିରଫ କରାଯାଇନଥିବା ଜଣାପଡ଼ିଛି।