ଟିଟୋର ବ୍ୟବସାୟୀକ କାରବାର ଉପରେ ଏସ୍‌ଟିଏଫ୍‌ର ଚଢ଼ଉ : ଆଉ ୨ ବ୍ୟବସାୟ ପ୍ରତିଷ୍ଠାନ ସିଲ୍‌

କଟକ/କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସମାନ ଅଲ୍ଲୀର ସହଯୋଗୀ କୁହାଯାଉଥିବା କ୍ଷୀରୋଦ କର ନାମକ ଯୁବକଙ୍କୁ ଉଠାଇ ନେଇଛି ଏସ୍‌ଟିଏଫ୍‌। ବିଭିନ୍ନ ପ୍ରସଙ୍ଗରେ ଲେଖାଲେଖି କରୁଥିବା କ୍ଷୀରୋଦ ସିଧାସଳଖ ଅପରାଧରେ ସଂପୃକ୍ତ ନଥିଲେ ବି ଟିଟୋର ଅନେକ ବ୍ୟବସାୟୀକ କାରବାର ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ଯୋଗାଯୋଗରେ କ୍ଷୀରୋଦ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। କ୍ଷୀରୋଦଙ୍କୁ ଜେରାରୁ ଟିଟୋର ଅନେକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ସଂପର୍କରେ ସୂଚନା ମିଳିବ ବୋଲି କୁହାଯାଉଛି। ଅନ୍ୟପଟେ ପୂର୍ବରୁ ଟିଟୋ ସହ ଗିରଫ ହୋଇଥିବା ଅନ୍ୟତମ ପ୍ରମୁଖ ସହଯୋଗୀ ସେକ୍‌ ଚନ୍ନୋକୁ ଆଜି ଏସଟିଏଫ୍‌ ୫ ଦିନିଆ ରିମାଣ୍ଡରେ ନେଇଛି। ଚନ୍ନୋକୁ ବାରିମୂଳ ଜେଲ୍‌ରୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇ ୫ ଦିନ ରିମାଣ୍ଡରେ ନିଆଯାଇଥିବା ବେଳେ ତା’ଠାରୁ ଟିଟୋର କାରବାର ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି କୁହାଯାଉଛି।

ଟିଟୋର ବ୍ୟବସାୟୀକ କାରବାର ଉପରେ ଏସ୍‌ଟିଏଫ୍‌ର ଚଢ଼ଉ ଅଭିଯାନ ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି। ଟିଟୋର ଭାଇମାନଙ୍କ ମାର୍ଫତରେ ଚାଲିଥିବା ସିମରନ୍‌ ଗାର୍ମେଣ୍ଟ୍‌ସ ଓ ସୟଦ ମୋବାଇଲ୍‌ ସୋ’ରୁମ୍‌କୁ ଆଜି କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ସିଲ୍‌ କରି ଦେଇଛି। କେନ୍ଦ୍ରାପଡ଼ା ବଡ଼ ହାଟରେ ଥିବା ଏହି ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍‌ କରାଯିବା ସହ ବିଭିନ୍ନ ବ୍ୟାଙ୍କ୍‌ରେ ଥିବା ଟିଟୋ ସଂପର୍କୀୟଙ୍କ ଆକାଉଣ୍ଟ୍‌ ସିଜ୍‌ କରିବାକୁ ସଂପୃକ୍ତ ବ୍ୟାଙ୍କ୍‌ଗୁଡ଼ିକୁ ଏସ୍‌ଟିଏଫ୍‌ ଲିଖିତ ଭାବେ ଅବଗତ କରିଛି। ଗତକାଲି ଟିଟୋର ପେଟ୍ରୋଲ ପମ୍ପ୍‌, ସିମ୍ବୁଲ ଟ୍ରେଡର୍ସ, ଗୋପର ୟାର୍ଡର୍ଷ୍ଟକ୍‌କୁ ସିଲ କରାଯାଇଥିଲା। କୋବ୍ରା ଟ୍ରାନ୍ସପୋର୍ଟ, ପାରାଦୀପର ପେଟ୍ରୋଲ ପମ୍ପ୍‌କୁ ମଧ୍ୟ ଗତକାଲି ସିଲ କରାଯାଇଥିଲା। କଟକ ଜଗତପୁରରେ ଥିବା ଟିଟୋର ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘର ଏବଂ ମହାନଦୀବିହାରରେ ଥିବା ତାଙ୍କ ଅଫିସ ଉପରେ ଏସ୍‌ଟିଏଫ୍‌ ଚଢ଼ଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏଥିରୁ ମିଳିଥିବା ତଥ୍ୟ ଆଧାରରେ ଟିଟୋର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଏବଂ କାରବାର ଉପରେ ଚଢ଼ଉ ଜୋରଦାର କରାଯିବ ବୋଲି ସୂଚନା ମିଳିଛି। ଏସ୍‌ଟିଏଫ୍‌ ଅଧିକାରୀ ଚାଟାର୍ଡ ଆକାଣ୍ଟାଣ୍ଟଙ୍କଠାରୁ ବିଭିନ୍ନ ସୂଚନା ସଂଗ୍ରହ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଆସନ୍ତାକାଲି ଟିଟୋର ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଛି। କିନ୍ତୁ ଟିଟୋକୁ ଆଉ ପାଞ୍ଚ ଦିନ ରିମାଣ୍ଡ୍‌ରେ ନେବାକୁ ଏସ୍‌ଟିଏଫ୍‌ ପକ୍ଷରୁ ଆବେଦନ କରାଯିବ ବୋଲି ସୂଚନା ମିଳିଛି। କଟକ କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ଟିଟୋକୁ ରିମାଣ୍ଡରେ ନେବାକୁ ସୋମବାର ଆବେଦନ କରାଯିବାର ଯୋଜନା ରହିଛି। ୨୦୧୮, ମାର୍ଚ୍ଚ ୨୮ ତାରିଖରେ ଜଗତପୁରରେ ମହମ୍ମଦ ତାହିର ଅଲ୍ଲୀ ଖାଁଙ୍କୁ ଗୁଳିମାଡ଼ ହୋଇଥିଲା। ଉଗ୍ରବାଦୀ ସଂଗଠନ ଲିଙ୍କ୍‌ରେ ଗିରଫ ହୋଇଥିବା ଅବଦୁର ରହେମାନଙ୍କ ଭାଇ ତାହିରଙ୍କ ଉପରକୁ ଟେଣ୍ଡର ଫିକ୍ସିଂ ଘଟଣାକୁ ନେଇ ଟିଟୋର ସହଯୋଗୀ ଗୁଳିମାଡ଼ କରିଥିଲେ। ସେହି ଘଟଣାରେ କଟକ କମିସନରେଟ୍‌ ପୁଲିସ ଟିଟୋର ୩ ଜଣ ଦୁର୍ଦ୍ଦାନ୍ତ ସହଯୋଗୀଙ୍କୁ ଏନ୍‌କାଉଣ୍ଟର କରିଥିଲା। କଟକର କାଲା ବାବୁ ଓରଫ୍‌ ବାବୁ ଖାଁ, ସାଇଲୋ ବଡବିଲିର ଡେଙ୍ଗା ଓରଫ୍‌ ଅଲେଖ ରାଉତରାୟ, ଜଗତପୁରର ଟିଟୁନି ଓରଫ୍‌ ଅଶୋକ ବେହେରାଙ୍କୁ ପୁଲିସ ଏନ୍‌କାଉଣ୍ଟର କରିବା ସହ ଗିରଫ କରିଥିଲା। ସେମାନଙ୍କୁ ଜେରା କରିବା ପରେ ମିଳିଥିବା ତଥ୍ୟ ଆଧାରରେ ଏହି ଘଟଣାରେ ଟିଟୋକୁ ବି ଅଭିଯୁକ୍ତଭାବେ ଦର୍ଶା ଯାଇଥିଲା। ଟିଟୋକୁ ରିମାଣ୍ଡରେ ଆଣି ସେହି ଅଭିଯୁକ୍ତଙ୍କ ସହ ସାମନା ସାମନି ଜେରା କରିବା ଯୋଜନା ରହିଛି।

ସ୍ୱତନ୍ତ୍ର ଟାସ୍କଫୋର୍ସ ଗତକାଲି ଦିଲାରପୁରସ୍ଥିତ ଟିଟୋର ଆଡ୍ଡା ‘ମଠ’ ଉପରେ ଚଢ଼ଉ କଲା ବେଳେ ସେଠାରୁ ‘ଜାମ୍ମୁ କାଶ୍ମୀର’ ସଂପର୍କିତ ଏକ ପୁସ୍ତକ ଜବତ କରାଯାଇଥିଲା। ପ୍ରାୟ ୫ ଶହ ପୃଷ୍ଠାର ଏହି ପୁସ୍ତକ କାହିଁକି ସେଠାରେ ଥିଲା, ସେ ସମ୍ପର୍କରେ ଏସ୍‌ଟିଏଫ୍‌ ଟିଟୋକୁ ଜେରା କରିଛି। ପୁସ୍ତକରେ କାଶ୍ମୀର ସର୍କିତ ବିଭିନ୍ନ ଆଇନ୍‌ର ତର୍ଜମା, ଘଟଣାବଳୀ, ସୁରକ୍ଷା ସମ୍ପର୍କିତ ତଥ୍ୟାବଳୀ, କାଶ୍ମୀର ରାଜନୀତି ଓ ଗୁଇନ୍ଦା ବ୍ୟବସ୍ଥା ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ ଅନେକ ତଥ୍ୟ ରହିଥିବାରୁ ଟିଟୋର କାଶ୍ମୀର ଲିଙ୍କ୍‌କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର