ଭୁବନେଶ୍ବର: ଓଡ଼ିଶାରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବିଦା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ବାଂଲାଦେଶୀ ଅନୁପ୍ରବେଶ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ଦିଆଯାଇଛି। ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଲାଗି ମାର୍ଗଦର୍ଶିକା ଜାରିସହ ରୂପରେଖ ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ପ୍ରଦାନ କରାଯାଇଛି। ବିଶେଷକରି ବାଂଲାଦେଶୀ ରହୁଥିବା ହଟ୍‌ସ୍ପଟ୍‌ ଚିହ୍ନଟ କରିବା ସହ ତଦାରଖ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି। ସାମୁଦ୍ରିକ ଥାନା, ତଟରକ୍ଷୀବାହିନୀ, ସ୍ଥାନୀୟ ପୁଲିସ ଓ ଗୁଇନ୍ଦା ସହ ସମନ୍ବୟ ରକ୍ଷାକରି ବଡ଼ଧରଣର ଧରପଗଡ଼ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଓଡ଼ିଶାରେ ୫୧୧କିମି ବିସ୍ତୃତ ଉପକୂଳ ଅଞ୍ଚଳରେ ବାଂଲାଦେଶୀ ନାଗରିକମାନେ ଆଡ୍ଡା ଜମାଇଛନ୍ତି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତ୍‌ସିଂହପୁର, ଗଞ୍ଜାମ ଓ ଭୁବନେଶ୍ବର ଭଳି ପ୍ରମୁଖ ସ୍ଥାନରେ ଏମାନଙ୍କୁ ଚିହ୍ନଟ  କରାଯାଇଛି। ଭୁବନେଶ୍ବରର ଏକାଧିକ ସ୍ଥାନ, କେନ୍ଦ୍ରାପଡ଼ା ଓ ରାଜନଗରକୁ ଅତିସମ୍ବେଦନଶୀଳ ଅଞ୍ଚଳ ଭାବେ ବିବେଚନା କରାଯାଇଛି। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ କୌଣସି ଅଣନାଗରିକ ରହିପାରିବେ ନାହିଁ। ରାଜ୍ୟରୁ ବାଂଲାଦୋଶୀଙ୍କୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।

Advertisment

ଅନୁପ୍ରବେଶ ପଛରେ ଏକ ଯୋଜନାବଦ୍ଧ ରୢାକେଟ୍‌ କାମକରୁଛି କି ନାହିଁ ତାହାର ତଦନ୍ତ କରିବା ନେଇ ଏସ୍‌ଟିଏଫ୍ ଡିଆଇଜି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଅନୁପ୍ରବେଶକାରୀଙ୍କୁ ପ୍ରଥମେ ଚିହ୍ନଟ କରି ସରଜମିନ ତଦନ୍ତ କରାଯିବ। ପ୍ରମାଣପତ୍ର ସେମାନେ କେଉଁଠୁ ଆଣିଛନ୍ତି, କିଏ ତାଙ୍କୁ ଦେଇଛି ଏସବୁ ଆଧାରରେ ତଦନ୍ତ କରାଯିବ। କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ମାର୍ଗଦର୍ଶିକା ଅନୁଯାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେଣୁ ତଟବର୍ତ୍ତୀ ଜିଲ୍ଲା ଉପରେ ବିଶେଷ ଭାବେ ଫୋକସ୍ କରାଯିବ ବୋଲି ସୂଚନା ମିଳିଛି। ଯେଉଁମାନେ ପିଢ଼ିପିଢ଼ି ବିଭିନ୍ନ ସରକାରୀ ସୁବିଧାର ଲାଭ ଉଠାଉଛନ୍ତି, ଆଧାର କାର୍ଡ, ଭୋଟର ପରିଚୟପତ୍ର ଆଦି ପାଇଛନ୍ତି, ସେ ସବୁର ଯାଞ୍ଚ ହେବ। ଅନୁରୂପ ଭାବେ ଜନସେବା କେନ୍ଦ୍ରଗୁଡ଼ିକ ତଞ୍ଚକତା କରି ଏହି ପରିଚୟପତ୍ର କରିଥିବା ପ୍ରମାଣ ମିଳିଲେ, ସଂପୃକ୍ତ  ଜନସେବା କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି। ଅନୁପ୍ରବେଶକାରୀଙ୍କ ଶିକ୍ଷାଗତ ଯୋଗ୍ୟତା, ଉପାର୍ଜନର ମାଧ୍ୟମ ଓ ଆପରାଧିକ ପୃଷ୍ଠଭୂମିର ମଧ୍ୟ ଯାଞ୍ଚ କରାଯିବ।