ପୁଣି ଏସ୍‌ଟିଏଫ୍‌ ରିମାଣ୍ଡ୍‌ରେ ଟିଟୋ : କଟକ ସାମ୍ରାଜ୍ୟର ଖୋଳତାଡ଼ ଆରମ୍ଭ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଚତୁର୍ଥ ପର୍ଯ୍ୟାୟ ରିମାଣ୍ଡରେ ଆଣି ମାରାଥନ ଜେରା ଚଳାଇଛି। ବିଶେଷକରି ରାଜନଗର ଓ ଆଳିରେ ଜଳ ସମ୍ପଦ ବିଭାଗରେ ଠିକା କାମ ନେଇଥିବା କେନ୍ଦ୍ରାପଡ଼ାର ଠିକାଦାର ପ୍ରେମାନନ୍ଦ ଲେଙ୍କା ଓରଫ ବୁଢ଼ାଙ୍କଠାରୁ ଟିଟୋ ଓ ତାର ସହଯୋଗୀମାନେ ବନ୍ଧୁକ ମୁନରେ ୭୦ ଲକ୍ଷ ଟଙ୍କା ବଟି ଆଦାୟ କରିବା ଘଟଣା ସମ୍ପର୍କରେ ଟିଟୋକୁ ପଚରା ଉଚରା କରାଯାଉଛି। ପଚର ଉଚରାବେଳେ ଟିଟୋଠାରୁ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ପାଇଛି ଏସ୍‌ଟିଏଫ୍‌। କେବଳ ଠିକାଦାର ବୁଢ଼ା ଲେଙ୍କା କାହିଁକି ଟିଟୋ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକର ଏକାଧିକ ଠିକାଦାରଙ୍କଠାରୁ ବଟି ଆଦାୟ କରିଥିଲେ ବୋଲି ଜାଣି ପାରିଛି ଏସ୍‌ଟିଏଫ୍‌। ବିଶେଷକରି କଟକରେ ଟିଟୋ ସାମ୍ରାଜ୍ୟର ଖୋଳତାଡ଼ ଏହି ୪ ଦିନିଆ ରିମାଣ୍ଡ ସମୟରେ ହେବ ବୋଲି ଏସ୍‌ଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ତଳେ ଏସ୍‌ଟିଏଫ୍‌ କଟକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ କଟକ ବାଙ୍କା ବଜାରର ଇମତିଆଜ୍‌ ଖାନ୍‌, ମହମ୍ମଦ ଅବଦୁଲ୍‌ ଆସିମ୍‌ ଓରଫ୍‌ ଗୋଲଡେନ୍‌ ପପୁ, କେଶରପୁର ଅଞ୍ଚଳର ସେକ୍‌ ଅବଦୁଲା ଓରଫ୍‌ ରାଜେଶ ଓ ଗହ୍ମବାଟିଆ ଅଞ୍ଚଳର ଜାହାଙ୍ଗୀର ଖାନ୍‌। ଏମାନେ କଟକରେ ଟିଟୋର ଅପରାଧ ସାମ୍ରାଜ୍ୟ ଓ ଆର୍ଥିକ କାରବାର ବୁଝାବୁଝି କରୁଥିଲେ।

ଟିଟୋର ଏହି ସହଯୋଗୀମାନେ କେନ୍ଦ୍ରାପଡ଼ାର ଠିକାଦାର ପ୍ରେମାନନ୍ଦ ଲେଙ୍କା ଓରଫ ବୁଢ଼ାଙ୍କଠାରୁ ବନ୍ଧୁକ ମୁନରେ ୭୦ ଲକ୍ଷ ଟଙ୍କା ବଟି ଆଦାୟ କରିଥିଲେ। ଏ ନେଇ ପ୍ରେମାନନ୍ଦ ଏସ୍‌ଟିଏଫ୍‌ରେ ଅଭିଯୋଗ କରିବା ପରେ ଏସ୍‌ଟିଏଫ୍‌ ପକ୍ଷରୁ କେସ ନମ୍ବର ୯/୧୮ରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ଖୋଳତାଡ଼ ପାଇଁ ଟିଟୋକୁ ରିମାଣ୍ଡରେ ଅଣାଯାଇଛି। ଆଉ କିଏ ଏହି ମାମଲାରେ ସଂପୃକ୍ତ ଅଛି ସେ ନେଇ ପଚରା ଉଚରା କରାଯାଉଛି।

ଟିଟୋର ଏହି ଗ୍ୟାଙ୍ଗ୍‌ କଟକରେ ଗୋ-ଚାଲାଣଠାରୁ କଟକ ନର୍ଥ ଡିଭିଜନ୍‌ରେରେ ଲଗାତାର ଟେଣ୍ଡରଫିକ୍ସିଂ, ପୁପ ବକ୍ସ ନାମକ ଜଣେ ଯୁବକଙ୍କୁ ଗୁଳିମାଡ଼, ବୋମାମାଡ଼, ଠିକାଦାରଙ୍କଠାରୁ ବଟି ଆଦାୟ ଭଳି ଅପରାଧରେ ସଂପୃକ୍ତ। କଟକରେ ଗୋଲଡେନ୍‌ ପପୁ ଟିଟୋ ଗ୍ୟାଙ୍ଗ୍‌ର ମୁଖ୍ୟ ଥିଲା। ସେହିଁ ଟିଟୋର ସବୁ କାରବାର ବୁଝାବୁଝି କରୁଥିଲା।

ସମ୍ବନ୍ଧିତ ଖବର