ରାଉରକେଲା: ଓଡ଼ିଶା ପ୍ରାଶାସନିକ ସେବା (ଓପିଏସ୍ସି) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ବାସନ୍ତୀକଲୋନିର ସ୍ଥିତପ୍ରଜ୍ଞ ପତି। ୪୩ତମ ସ୍ଥାନରେ ରହି ସେ ସହର ପାଇଁ ଗୌରବ ଆଣିଛନ୍ତି। ସ୍ଥିତପ୍ରଜ୍ଞ ନିକଟରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକ୍ରେ ବ୍ଲକ୍ ସମ୍ପ୍ରସାରଣ ଅଧିକାରୀଭାବେ ନିଯୁକ୍ତି ପାଇଛନ୍ତି। ଓଏଏସ୍ ପରୀକ୍ଷା ପାଇଁ ସେ ୨୦୨୦ ରେ ପ୍ରଥମ ପ୍ରୟାସ କରିଥିଲେ। କିନ୍ତୁ ସଫଳତା ପାଇ ନଥିଲେ। ୨୦୨୧ ଦ୍ବିତୀୟ ପ୍ରୟାସରେ କୃତକାର୍ଯ୍ୟ ହୋଇଛନ୍ତି। ପରିବାର ଓ ଭଉଣୀ ଆର୍ଯ୍ୟପ୍ରଜ୍ଞା ପତିଙ୍କ ପ୍ରୋତ୍ସାହନ ଯୋଗୁ ସଫଳତା ପାଇଥିବା କହିଛନ୍ତି ସ୍ଥିତପ୍ରଜ୍ଞ।
ଏହି ସଫଳତାର ଶ୍ରେୟ ସେ ତାଙ୍କ ପରିବାର ସମସ୍ତ ସଦସ୍ୟଙ୍କୁ ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ପତି ଓ ମଞ୍ଜୁଲତା ପତିଙ୍କ ପୁଅ ହେଉଛନ୍ତି ସ୍ଥିତପ୍ରଜ୍ଞ। ଜଣେ ମେଧାବୀ ଛାତ୍ରଭାବେ ବିଦ୍ୟାଳୟ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ କହିଛନ୍ତି, ଓଏଏସ୍ ପାଇବାକୁ ଦୈନିକ ୯ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ। ବିନା କୌଣସି କୋଚିଂରେ ଦୈନିକ ଯେତିକି ପାଠପଢ଼ିବାକୁ ସାରିବାକୁ ଟାର୍ଗେଟ୍ ନେଉଥିଲେ, ସେହି ଦିନ ଶେଷ କରିବାକୁ ଶତପ୍ରତିଶତ ଚେଷ୍ଟା କରୁଥିଲେ। ଭବିଷ୍ୟତରେ ଜଣେ ଆଇଏସ୍ଏସ୍ ଅଧିକାରୀ ହେବାକୁ ପ୍ରୟାସ ଜାରି ରଖିଛନ୍ତି। ନିଶ୍ଚିତ ଭାବେ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି।