ବ୍ରହ୍ମପୁର/ ପାତ୍ରପୁର/ ଭଞ୍ଜନଗର: ୨୦୧୩ ଅକ୍ଟୋବର ୧୨ର ‘ଫାଇଲିନ୍‌ ଓ ୨୦୧୪ ଅକ୍ଟୋବର ୧୨ର ‘ହୁଡ୍‌ହୁଡ୍‌। ବର୍ଷକ ବ୍ୟବଧାନରେ ଦୁଇଦୁଇଟି ପ୍ରାକୃତିକ ବିପର୍ଯ୍ୟୟକୁ ଅଙ୍ଗେ ନିଭାଇଥିବା ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଏହି ଦିନଟି ଏକ ଅଭୁଲା ସ୍ମୃତି। ‘ଫାଇଲିନ୍‌ ମହାଷ୍ଟମୀର କାଳରାତ୍ରୀରେ ମହାତାଣ୍ତବ ରଚିଥିଲା। ସମଗ୍ର ଗଞ୍ଜାମ ଜିଲ୍ଲା ଛାର‌୍‌ଖାର ଓ ଧ୍ବ˚ସସ୍ତୂପ ପାଲଟିଯାଇଥିଲା। ଉଜୁଡ଼ିଯାଇଥିଲା ଲକ୍ଷାଧିକ ଲୋକଙ୍କ ଜୀବନଜୀବିକା। ଚାରିଆଡେ଼ ଯେମିତି ହାହାକାର ପଡ଼ିଥିଲା। ୬ ଘଣ୍ଟାର ତାଣ୍ତବଲୀଳାରେ ବଦଳିଯାଇଥିଲା ଗଞ୍ଜାମ ଜିଲ୍ଲାର ମାନଚିତ୍ର। ଅକ୍ଟୋବର ୧୩ ତାରିଖର ସୂର୍ଯ୍ୟୋଦୟ ଧ୍ବସ୍ତବିଧ୍ବସ୍ତର କରାଳ ରୂପକୁ ଦେଖିସାରିଥିଲା। ପ୍ରକୃତିର ତାଣ୍ତବ ଆଗରେ ଯେମିତି ନିଜକୁ ଆତ୍ମସମର୍ପଣ କରିସାରିଥିଲେ ଗଞ୍ଜାମ ଜିଲ୍ଲାବାସୀ। ୧୯୯୯ ମହାବାତ୍ୟାର ୧୪ ବର୍ଷ ପରେ ଗଞ୍ଜାମ ଜିଲ୍ଲାବାସୀଙ୍କ ଅଣ୍ଟା ଯେମିତି ଭାଙ୍ଗିଯାଇଥିଲା। ସହସ୍ରାଧିକ ଏକର ଜମିରେ ଫସଲ ନଷ୍ଟ ହୋଇଯାଇଥିଲା।

Advertisment

ହେଲେ ‘ଫାଇଲିନ୍ ବେଳେ ସରକାରଙ୍କ ସମୟୋଚିତ ପଦ‌କ୍ଷେପ ସହସ୍ରାଧିକ ଲୋକଙ୍କ ଜୀବନକୁ ବଞ୍ଚାଇଦେଇଥିଲା। ‘ଜିରୋ କାଜୁଆଲ୍‌ଟିକୁ ଗୁରୁତ୍ବ ଦେଇ ଆଗକୁ ବଢ଼ିଥିଲେ ସରକାର। ପାଖାପାଖି ଦେଢ଼ଲକ୍ଷ ‌ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଆଉ ଜିରୋ କାଜୁଆଲଟି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସମସ୍ତଙ୍କ ପାଇଁ ରୋଲ୍ ମଡେଲ୍ ପାଲଟିଥିଲା। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ରାଜ୍ୟ ପ୍ରଶଂସା ସାଉଁଟିଥିଲା।

ଏହାର ବର୍ଷେ ପରେ ପୁଣି ଆସିଲା ‘ହୁଡ୍‌ହୁଡ଼୍। ଏହା ଗଞ୍ଜାମ ଜିଲ୍ଲାର କୌଣସି କ୍ଷତି ଘଟାଇ ନଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏହି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପ‌ରେ ଏକ ବଡ଼ଧରଣର ବିପଦ ଟଳିଯାଇଥିଲା। ହେଲେ ବାତ୍ୟା ପରବର୍ତ୍ତୀ ବନ୍ୟା ଜିଲ୍ଲାରେ କରାଳ ରୂପ ଦେଖାଇଥିଲା। ଆସିକା ଓ ପାତ୍ରପୁର ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି କରିଥିଲା ଏହି ବିପର୍ଯ୍ୟୟ। ପାତ୍ରପୁର ବ୍ଲକ୍‌ର ଆଦିବାସୀଅଧ୍ୟୁଷିତ ଓ ଦୁର୍ଗମ ଇଲାକା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଶତାଧିକ ଘର ଭାଙ୍ଗିଯିବା ସହ ଫସଲ ବି ଉଜୁଡ଼ିଯାଇଥିଲା। ଏହାମଧ୍ୟରେ ୫ ବର୍ଷ ବିତିସାରିଥିଲେ ହେଁ, ବାତ୍ୟାର କ୍ଷତି ଭରଣା ହୋଇପାରିନି। ଅନେକ ଲୋକ ଆଜି ବି ବେସାହାରା ହୋଇ ରହିଛନ୍ତି। ବିଶେଷକରି ବୁରାତାଲ୍ ଗ୍ରାମ ଆଦିବାସୀଙ୍କ ଦୁଃଖ ସରୁନି। ତିତ୍‌ଲି ବାତ୍ୟାରେ ଦୋବାଟିଆ ଛକରୁ ଉପରବୁରାତାଲ୍ ପର୍ଯ୍ୟନ୍ତ ଅର୍ଦ୍ଧନିର୍ମିତ ରାସ୍ତା ଧୋଇ ହୋଇ ପଳାଇଥିଲା। ଆଜି ଯାଏ ରାସ୍ତା କାମ ସରିପାରୁନି। ଉଲ୍ଲେଖଥାଉକି, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ପଞ୍ଚାୟତରେ ‘ଫାଇଲିନ୍‌ ବାତ୍ୟା ଯେମିତି ଭାତହାଣ୍ଡିକୁ ଉଜାଡ଼ିଦେଇଥିଲା। ଯାହାର କ୍ଷତି ୧୦ ବର୍ଷ ପରେ ବି ଭରଣା ହୋଇପାରୁନି। ପରିବା ସମେତ ବିଭିନ୍ନ ଫସଲ ଉତ୍ପାଦିତ ହେଉଥିବା ସହସ୍ରାଧିକ ଏକର ଜମି ଆଜି ମଧ୍ୟ ବାଲିଚର ହୋଇରହିଛି। ଯେଉଁଠି ଦିନେ ସବୁଜ ଫସଲ ଲହଡ଼ା ମାରୁଥିଲା ସେଠାରେ ଏବେ କାଶତଣ୍ଡି ଗଛ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଫାଇଲିନ୍‌ ବାତ୍ୟା ବେଳେ ବଡ଼ନଦୀ ଓ ଲୋହରାଖଣ୍ଡି ନଦୀରେ ପ୍ରବଳ ପାଣି ଆସି ଇଙ୍ଗିନାଠି ପଞ୍ଚାୟତର ସବୁ ଗାଁ ପ୍ରତି ଆଣିଥିଲା ବଡ଼ ବିପଦ। ବଡ଼ନଦୀ ଫୁଲିଯିବା ସହ ରତଙ୍ଗ ଗାଁ ନିକଟ ମହୁଲକଣିଆ ଠାରେ ବଡ଼ ଘାଇ ସୃଷ୍ଟି ହୋଇଥିଲା। ନଦୀ ପାଣିର ସ୍ରୋତ ଜମି ଆଡ଼କୁ ମାଡ଼ିଯାଇଥିଲା। ଶତାଧିକ ଏକର ଚାଷଜମିରେ ବନ୍ୟାଜଳ ସୁଅ କାଟିଥିଲା। ଅକ୍ଟୋବର ଆସିଲେ ଏବେ ବି ବାତ୍ୟା ଓ ବନ୍ୟାର ବିଭୀଷିକା ଜିଲ୍ଲାବାସୀଙ୍କ ଆଖିରେ ନାଚି ଉଠୁଛି।