ଜଳେଶ୍ୱର: ବୟସ ସିନା ଶହେ ଟପିଛି, ମନ କିନ୍ତୁ ତାଙ୍କର ଚପଳ। ଶରୀର ବେଶ୍‌ ଚଳଚଞ୍ଚଳ। ସେପରି ମହିଳା ଜଣକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ କାଦରାୟାଁ ଗ୍ରାମର ଚଇନମାନ ବେବା। ଚଇନମାନ ନିଜ ସ୍ବାସ୍ଥ୍ୟ ପ୍ରତି ଯେତିକି ସଚେତନ, ପୁଅଝିଅଙ୍କ ପରିବାରକୁ ଗୋଟିଏ ଡୋରିରେ ବାନ୍ଧି ରଖିବା ଓ ଅନ୍ୟକୁ ଉଚିତ ପରାମର୍ଶ ଦେବା ଦିଗରେ ସେତିକି ଯତ୍ନବାନ। କାଦରାୟାଁ ଗ୍ରାମର ରମ ବକ୍ସଙ୍କ ପତ୍ନୀ ହେଉଛନ୍ତି ଚଇନମାନ। ବୟସ ୧୨୨ ବର୍ଷ ହେବ। ୬ ଜଣ ଝିଅ ଓ ୫ ଜଣ ପୁଅ ତାଙ୍କର। ଏହା ମଧ୍ୟରେ ସ୍ବାମୀଙ୍କ ସହ ଜଣେ ଝିଅ ଓ ଜଣେ ପୁଅଙ୍କ ପରଲୋକ ହୋଇଯାଇଛି।

Advertisment

ଚଇନମାନଙ୍କ ମୋଟ ୫୫ ଜଣ ନାତିନାତୁଣୀ ଓ ଶହେରୁ ଊର୍ଦ୍ଧ୍ବ ଅଣନାତିନାତୁଣୀ ରହିଛନ୍ତି। ବୟସ ଢେର ଅଧିକ ହୋଇଥିଲେ ବି ସ୍ବାସ୍ଥ୍ୟ ବେଶ୍‌ ଭଲ ଅଛି। ଆଖିକୁ ସମ୍ପୂର୍ଣ୍ଣ ଦିଶୁଛି। କାନକୁ ଭଲ ଶୁଣାଯାଉଛି। କେବଳ ପାଟିରୁ ସ୍ପଷ୍ଟ କଥା ଯାହା ବାହାରୁନି। ବାଡ଼ି ଧରି ଚଲାବୁଲା କରୁଛନ୍ତି। ଚଇନମାନଙ୍କ ପ୍ରିୟ ଖାଦ୍ୟ ଭିତରେ ରହିଛି ମାଛ ଓ ଦେଶୀ କୁକୁଡ଼ା ମାଂସ। ଏହା ସହିତ ସେ ସବୁଜ ପନିପରିବା ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ବରାବର ସବୁ ପୁଅଝିଅଙ୍କ ସଂପର୍କରେ ରହନ୍ତି। ସୁବିଧା ଅସୁବିଧାର ବୁଝିବା ସହ ମନମାଳିନ୍ୟ ଥିଲେ, ତାକୁ ଦୂର କରନ୍ତି। ପରିବାର ଲୋକ ହୁଅନ୍ତୁ, କି ଗାଁ ଲୋକ ବରିଷ୍ଠ ତଥା ଅଭିଜ୍ଞ ମହିଳା ଭାବେ ସମସ୍ତେ ଚଇନମାନଙ୍କୁ ସମ୍ମାନ ଦିଅନ୍ତି ଓ ତାଙ୍କ ପରାମର୍ଶ ପାଳନ କରନ୍ତି। ସେ ଦୀର୍ଘଜୀବୀ ହୁଅନ୍ତୁ। ‘ସମ୍ବାଦ’ ପକ୍ଷରୁ ଏତିକି କାମନା।