ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ ପ୍ରସଙ୍ଗ : ଚାରି ମାସ ଭିତରେ ପଦକ୍ଷେପ ନେବାକୁ ସରକାରଙ୍କୁ ନି‌ର୍ଦ୍ଦେଶ

କଟକ : ରାଜ୍ୟରେ କାର୍ଯ୍ୟରତ ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ ପ୍ରସଂଗରେ ୪ ମାସ ଭିତ‌େର ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଆବେଦନକାରୀ ସରକାରଙ୍କୁ ପୂର୍ବରୁ ପ୍ରଦାନ କରିଥିବା ଦାବିପତ୍ର ଏବେ ବିଚାରାଧୀନ ରହିଛି। ଅନ୍ୟରାଜ୍ୟରେ ଯୁବ ଆଇନଜୀବୀଙ୍କ ପାଇଁ ବୃତ୍ତି ବ୍ୟବସ୍ଥା ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ସମାନ ନିୟମ ଲାଗୁ କରିବା ପାଇଁ ଆବେଦନକାରୀ ଦାବି କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ପ୍ରସଂଗରେ ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୮ ମସିହା ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୯ହଜାର ୮୬୧ଜଣ ଆଇନଜୀବୀ କାର୍ଯ୍ୟରତ ଥିବାବେଳେ ସେମାନଙ୍କୁ ବୃତ୍ତି ଯୋଜନାରେ ସାମିଲ କରିବାକୁ ପ୍ରାର୍ଥନା କରି ଶ୍ରୀ ମହାପାତ୍ର ଏହି ମାମଲା ରୁଜୁ କରିଥିଲେ। ଆଇନଜୀବୀମାନେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ଆଇନଜୀବୀଙ୍କୁ ବୃତ୍ତି ପ୍ରଦାନ କରାଯାଉଥିବା ବେଳେ ମାଡ୍ରାସ ହାଇକୋର୍ଟ ଆଇନଜୀବୀଙ୍କୁ ବୃତ୍ତି ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିବା ସହିତ ଏ ନେଇ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ତିନି ବର୍ଷରୁ କମ୍ ଆଇନପେସା ଅନୁଭୂତି ଥିବା ଓକିଲଙ୍କୁ ୫ ହଜାର ଟଙ୍କା ମାସିକ ଷ୍ଟାଇପେଣ୍ଡ ପ୍ରଦାନ ପାଇଁ କେରଳ ସରକାର ନିଷ୍ପତ୍ତି ନେଇଥିଲେ। ସେହିଭଳି ପଣ୍ଡିଚେରିରେ ଜୁନିୟର ଓକିଲଙ୍କୁ ୩ ହଜାର ଟଙ୍କା ମାସିକ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଗୌହାଟୀ ହାଇକୋର୍ଟ ବାର୍ ଆ‌େ‌ସାସିଏସନ୍ ମଧ୍ୟ କେରଳ ସରକାରଙ୍କ ଭଳି ଆସାମ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛି। ଓଡ଼ିଶା ସରକାର ଆଇନଜୀବୀଙ୍କୁ ବୃତ୍ତି ପ୍ରଦାନ କରିବା ସହ ରାସନ କାର୍ଡ ଯୋଗାଇଦେବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର