ଚୋରି କରି‌ ନେଇ ଯାଇଥିଲେ ‌‌‌ଚୋର, ୧୭ ବାଇକ୍‌ ଉଦ୍ଧାର କଲା ପୁଲିସ୍‌, ୪ ଅଭିଯୁକ୍ତ ଗିରଫ

ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ପୁଲିସକୁ ମିଳିଛି ବଡ ସଫଳତା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରିରେ ସଂପୃକ୍ତ ଥିବା ୪ ଆସାମୀକୁ ପୁଲିସ ଗିରଫ କରିଥିବା ବେଳେ ବିଭିନ୍ନ ସ୍ଥାନରୁ ୧୭ଟି ଚୋରା ବାଇକ୍ ପୁଲିସ ଜବତ କରାଯାଇଛି। ୪ ଆସାମୀ ହେଲେ ଡ଼ାବୁଗାଁ ଥାନା ସଦର ଡଙ୍ଗରିଗୁଡ଼ାର ରାମଚନ୍ଦ୍ର ଜାନି, ରାଇଘର ଥାନା ଜାମଦୋରା ଗ୍ରାମର ଚନ୍ଦନ ହରିଜନ ତଥା ଉମରକୋଟ ଥାନା ଧୋଡରା ନିକଟ ବଡ ଭିମାଗୁଡ଼ାର ଡୁମର ହରିଜନ ଓ ସୁଧୀର ହରିଜନ। ଏତେ ବଡ଼ ଚୋରି ରାକେଟ ଜଣା ପଡ଼ିବା ପରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଆଜି ଡ଼ାବୁଗାଁ ଥାନାରେ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଏହି ସୂଚନା ପ୍ରଦାନ କରିଛନ୍ତି। ସମସ୍ତ ୪ ଆସାମୀକୁ କେସ ନ ୧୧୦/୨୩ ରେ ମାମଲା ରୁଜୁ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ ଗତ ମାସ ୨୬ ତାରିଖ ଦିନ ଡ଼ାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମରେ ବଜାର ବସିବା ସହ ରାତ୍ର ଦେଶିଆ ନାଟ ହୋଇଥିଲା। ସେହି ଗ୍ରାମର ଚନ୍ଦ୍ର ମୀର୍ଗାନ ନିଜ ଘର ବାରଣ୍ଡାରେ ତାଙ୍କର ବାଇକ୍ (ଓଡି ୨୪ ଏଚ ୫୫୭୪) ରଖି ନାଟ ଦେଖି ଯାଇଥିଲେ। ତେବେ ପରଦିନ ସକାଳୁ ଆସି ଦେଖିବା ବେଳକୁ ଘର ବାରଣ୍ଡାରେ ରଖିଥିବା ବାଇକ୍‌କୁ କେହି ଦୁର୍ବୃତ୍ତ ଚୋରି ନେଇଯାଇଥିବା ଜାଣି ପାରିଥିଲେ। ଏ ନେଇ ଚନ୍ଦ୍ର ମିର୍ଗାନ ଡ଼ାବୁଗାଁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଜିଲ୍ଲା ପୁଲିସର ସହାୟତାରେ ୪ ଜଣ ବାଇକ୍ ଚୋରକୁ ପୁଲିସ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା। ଗିରଫ ପରେ ପୁଲିସ ତଦନ୍ତରୁ ଜାଣିବାକୁ ପାଇଲା ଯେ, ଏହି ଚୋର ମାନେ ବଡ ବାଇକ୍ ଚୋରି ରାକେଟରେ ସଂପୃକ୍ତି ଅଛନ୍ତି। ପରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୧୭ ଟି ଚୋରା ବାଇକ୍ ପୁଲିସ ଉଦ୍ଧାର କରିଥିଲେ।

ସମସ୍ତ ଚୋରା ବାଇକ୍‌ର ଆବଶ୍ୟକୀୟ କାଗଜ ପତ୍ର ଯାଞ୍ଚ କରାଯାଇ ବାଇକ୍ ମାଲିକମାନଙ୍କୁ ଖବର ଦିଆଯାଇ ବାଇକ୍ ହସ୍ତାନ୍ତର କରାଯିବ ବୋଲି ଏସପି ଏସ୍‌ ସୁଶ୍ରୀ ସୂଚନା ଦେଇଛନ୍ତି। ଏଥିସହ ଏହି ଚୋରି ଗ୍ୟାଙ୍ଗର ପଡୋଶୀ ଛତିଶଗଡ଼ ଓ କଳାହାଣ୍ଡି ଜିଲ୍ଲା ଚୋରି ଗ୍ୟାଙ୍ଗ ସହ ସଂପୃକ୍ତ ଥିବା ଅନୁମାନ କରାଯାଇଥିବା କହିବା ସହ ତଦନ୍ତ ଜାରି ରହିଥିବା ସୂଚନା ଦେଇଥିଲେ। ଜିଲ୍ଳାର ବିଭିନ୍ନ ସ୍ଥାନରୁ ଚୋରା ବାଇକ୍ ଉଦ୍ଧାର କରିବା ସମୟରେ ଡ଼ାବୁଗାଁ ପୁଲିସ କର୍ମଚାରୀମାନେ ନାକେଦମ ହେବା ସହ ବହୁ କଷ୍ଟ ସ୍ବୀକାର କରିଥିଲେ . ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସଦର ଡି ଏସ ପି ଚନ୍ଦ୍ର ଶେଖର ହୋତା, ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର, ଡ଼ାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ, ପୁଲିସ ଏସ ଆଇ ବିଜୁ ରାମ ବାଘ, ଚନ୍ଦନ ସାହୁ, ଏ ଏସ ଆଇ ଶିଶିର କାନ୍ତ ଘୋଷ, ବିଜୟ ସାହୁ, ପୁଷ୍ପଲତା ସୁନାନିସହ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର