ନର୍ଲା: ନର୍ଲା ବ୍ଲକ ବାଗପୁର ପଞ୍ଚାୟତର ସରପଞ୍ଚ ଗୋପାଳକୃଷ୍ଣ ହାତୀ ବାଗପୁ୍ର ପଞ୍ଚାୟତ ପିପଲପଦର ଗ୍ରାମର ଜଗବନ୍ଧୁ ନାଏକଙ୍କ ଇଟାଭାଟିରୁ ଇଟା ଚୋରି କରି ନେଇଥିବା ନର୍ଲା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଡିଏସ୍ପି ସମ୍ୱିତ ମାଝୀ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ନର୍ଲା ଥାନା ପିପଲପଦର ଗ୍ରାମର ଜଗବନ୍ଧୁ ନାଏକ ନିକଟସ୍ଥ ଜୁର୍କାଭଟା ଗ୍ରାମ ସ୍ଥିତ ଶୁଣେନଗୁମା କାଜୁ ବଗିଚା ଜମିରେ ୩୫ ହଜାର ଇଟା ଗଢ଼ି ରଖିଥିଲେ। ଗତ ମେ’ ମାସ ୨୫ ତାରିଖରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ନିଜ ସ୍ତ୍ରୀଙ୍କୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରୁ ଫେରିବା ପରେ ଗ୍ରାମବାସୀଙ୍କଠାରୁ ସ୍ଥାନୀୟ ସରପଞ୍ଚ ଶ୍ରୀ ହାତୀ ତାଙ୍କ ଇଟାଭାଟିରୁ ୨୫ ରୁ ୩୦ ହଜାର ଇଟା ଚୋରି କରି ନେଇ ଥିବା ଜାଣିବାକୁ ପାଇଲେ। ଚୋରି ହୋଇଥିବା ଇଟାର ସ୍ଥାନୀୟ ବଜାର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କାରୁ ଅଧିକ ହେବ।
ଏ ବାବଦରେ ସେ ନର୍ଲା ଥାନାରେ ଅଭିଯୋଗ କରିଥିଲେ। ସରପଞ୍ଚ ଶ୍ରୀ ହାତୀ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ଯୋଗୁ ଜଗବନ୍ଧୁ ତାଙ୍କର ଚୋରି ହୋଇଥିବା ଇଟା କେମିତି ଫେରି ପାଇବେ ସେନେଇ ଚିନ୍ତିତ ଅଛନ୍ତି। ଅନ୍ୟପକ୍ଷରେ ସରପଞ୍ଚ ଶ୍ରୀ ହାତୀଙ୍କ କହିବାନୁଯାୟୀ ତାଙ୍କ ଲୋକ ଟୁକୁ ନାଏକଙ୍କ ଇଟା ନେବା ପାଇଁ ଯାଇଥିଲେ। ଭୁଲବଶତଃ ନିକଟରେ ଥିବା ଜଗବନ୍ଧୁଙ୍କ ଇଟା ଭାଟିରୁ ଇଟା ନେଇଥିଲେ। ଜାଣିବା ପରେ ସେମାନେ ଜଗବନ୍ଧୁଙ୍କ ଇଟା ରଖିଦେଇଥିଲେ ବୋଲି କହିଛନ୍ତି। ନର୍ଲା ଆଇଆଇସିଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ତଦନ୍ତ ପରେ ସତ୍ୟତା ଜଣାପଡ଼ିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/23-5.jpg)